Advertisment

ସଞ୍ଜ ବେଳେ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଘରୁ ନେଇ ଗଲେ ୨୦ ଲକ୍ଷ ଟଙ୍କା

ଅମିତାଙ୍କୁ ଲୁଟିବା ପରେ ଆଲମାରୀରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଆଉ ଗଲା ବେଳେ ବାହାର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ।

author-image
Manoranjan Sial
Crime

Crime

ସଞ୍ଜ ବେଳେ ମୁଖା ପିନ୍ଧି ଘରେ ପଶିଲେ। ଛୁରୀ ଦେଖାଇ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଦେଲେ। ତା’ପରେ ସମସ୍ତ ଅଳଙ୍କାର ଓ ଆଲ୍‌ମିରାରେ ଥିବା ନଗଦ ୨୦ ଲକ୍ଷ ଟଙ୍କା ଲୁଟିନେଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ନବରଙ୍ଗପୁର ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ତନାଘନା କରୁଛି ପୁଲିସ୍‌।

Advertisment

ନବରଙ୍ଗପୁର ସହର କେଉଁଟ ସାହିର ସରୋଜ ମହାନ୍ତି ହେଉଛନ୍ତି ଜଣେ ବ୍ୟବସାୟୀ। ଆଜି ସନ୍ଧ୍ୟା ବେଳେ ସେ ନିଜର ବ୍ୟବସାୟ କାର୍ଯ୍ୟରେ ବାହାରକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଦୁଇ ଜଣ ମୁଖା ପିନ୍ଧା ଲୁଟେରା ସରୋଜଙ୍କ ଉପର ମହଲା ଘରେ ପଶିଥିଲେ। ଘରେ ଏକାକୀ ଥିବା ତାଙ୍କ ସ୍ତ୍ରୀ ଅମିତା ମହାନ୍ତିଙ୍କୁ ଧରି ପକାଇଥିଲେ। ଛୁରୀ ଦେଖାଇ ତାଙ୍କ ହାତ, ଗୋଡ ଓ ପାଟି ବାନ୍ଧି ଦେଇଥିଲେ। ଅମିତା ପିନ୍ଧିଥିବା ଅଳଙ୍କାର ଲୁଟିଥିଲେ।

ଅମିତାଙ୍କୁ ଲୁଟିବା ପରେ ଆଲମାରୀରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଆଉ ଗଲା ବେଳେ ବାହାର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ। କୌଶଳ କରି ଅମିତା ବନ୍ଧା ହାତ ଖୋଲି ନିଜ ସ୍ୱାମୀଙ୍କୁ ଫୋନ କରି ଜଣାଇବା ପରେ ସରୋଜ ଘରକୁ ଆସି ପୁଲିସକୁ ସୂଚନା ଦେଇଥିଲେ। ନବରଙ୍ଗପୁର ପୁଲିସ ଘରେ ପହଞ୍ଚି ଅମିତାଙ୍କୁ ପଚରାଉଚରା କରିଛି।

Advertisment

ସାଇଣ୍ଟିଫିକ ଟିମ୍‌ ସହାୟତାରେ ଘଟଣାର ତଦନ୍ତ ଚଳାଇଛି ପୁଲିସ୍‌। ସେପଟେ ନବରଙ୍ଗପୁର ଏସ୍‌ପି ମିହିର କୁମାର ପଣ୍ଡା, ASP ଆଦିତ୍ୟ ସେନ, SDPO କୃଷ୍ଣଚନ୍ଦ୍ର ଭତରା ପ୍ରମୁଖ ସରୋଜଙ୍କ ଘରେ ପହଞ୍ଚିଛନ୍ତି। ନବରଙ୍ଗପୁର ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରି ତନାଘନାକୁ ଜୋରଦାର କରିଛି ପୁଲିସ୍‌।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Loot Crime Nabarangpur