/odisha-reporter/media/post_attachments/uploadimage/library/16_9/16_9_0/Loot_1706615691.jpeg)
Loot
କାଙ୍ଗାଳି ଚୋର! ତାଲା ଭାଙ୍ଗି ପଞ୍ଚାୟତ ଅଫିସ୍ରୁ ଚୋରି କଲେ। ହେଲେ ପ୍ଲାଷ୍ଟିକ୍ ଚେୟାରକୁ ମଧ୍ୟ ଛାଡ଼ିଲେନି। ସବୁ ପ୍ଲାଷ୍ଟିକ୍ ଚେୟାର ଚୋରି କରିନେଲେ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଅଞ୍ଚଳରୁ। ଏନେଇ ଅଭିଯୋଗହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ୍।
ତେଲକୋଇ ବ୍ଲକ୍ କାଳିଆହତା ଫାଣ୍ଡି ଅଞ୍ଚଳରେ ରହିଛି କାଳିଆହତା ପଞ୍ଚାୟତ। ସୋମବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପଞ୍ଚାୟତ କାର୍ଯ୍ୟାଳୟରେ ପଶିଥିଲେ। ପରେ ଫାଇଲ୍ ପତ୍ର ରଖାଯାଇଥିବା ଆଲମିରା ଭାଙ୍ଗି କିଛି ସରକାରୀ ଫାଇଲ, ଗ୍ରାମସଭା ଖାତା, ଦରମା ରେଜିଷ୍ଟର ସହିତ ପଞ୍ଚାୟତରେ ଥିବା ୩୦ଟି ଚେୟାର, ଦୁଇଟି ଏଲସିଡି ଟିଭି, ପ୍ରୋଜେକଟର, ଇନଭର୍ଟର, ବ୍ୟଟେରୀ ଆଦି ଚୋରି କରି ନେଇଛନ୍ତି।
ଆଜି ସକାଳେ ପଞ୍ଚାୟତ କାର୍ଯ୍ୟାଳୟ ଗେଟ୍ରେ ପଡ଼ିଥିବା ତାଲା ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକ ଜିଆର୍ଏସ୍ଙ୍କୁ ଖବର ଦେଇଥିଲେ। ଖବର ପାଇ ଜିଆରଏସ୍ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ସେ ଏନେଇ ସରପଞ୍ଚ ସୀତା ସୋରେନଙ୍କୁ ସୂଚନା ଦେଇଥିଲେ। ପରେ ଉଭୟ ଏନେଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ସେପଟେ ପଞ୍ଚାୟତ ଅଫିସ୍ର ରାତ୍ର ଜଗୁଆଳୀ ସେଦିନ ଆସିଥିବା ଜଣାପଡ଼ିଛି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଫିସ୍ରେ କଳା କନା ବୁଲାଇ ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ୍ ଚୋରଙ୍କ ପାଖରେ ପହଞ୍ଚି ପାରିନାହିଁ।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
