Advertisment

ଅବସରପ୍ରାପ୍ତ ଜଜଙ୍କ ଘରୁ ଲୁଟ୍‌; ଛାଡ଼ିଗଲେ ଚାବି ପେନ୍ଥା!

ଗୁରୁବାର ପୂରା ଘର ଏକ ରକମର ଖାଲି ପଡ଼ିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତଳ ମହଲାରେ କଳାକନା ବୁଲାଇ ଦେଇଥିଲେ। ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Loot

Loot

ଦିନକୁ ଦିନ ଅସୁରକ୍ଷିତ ମଣୁଛନ୍ତି ରାଜଧାନୀବାସୀ। ଅନାୟସରେ ଘରେ ପଶି ଲୁଟ୍‌ପାଟ୍‌ କରି ଚମ୍ପଟ ମାରୁଛନ୍ତି। ହେଲେ କମିଶନରେଟ୍‌ ପୁଲିସ୍‌ ଅସହାୟ। ରାଜଧାନୀର କୁହାଳିଆ ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ୱିତ ରାତିରେ ଅବସରପ୍ରାପ୍ତ ଜଜଙ୍କ ଘରେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ରୁମ୍‌ରୁ ଲୁଟିନେଲେ। ହେଲେ ଛାଡ଼ିଗଲେ ଚାବି ପେନ୍ଥା। କମିଶନରେଟ୍‌ ପୁଲିସ୍‌ ଚାବି ପେନ୍ଥାକୁ ଧରି ଚିରାଚରିତ ଢ଼ଙ୍ଗରେ ତଦନ୍ତ ଚଳାଇଛି।

Advertisment

ପୋଖରୀପୁଟ ଲିଙ୍ଗରାଜ ବିହାରରେ ରହିଛି ଅବସରପ୍ରାପ୍ତ ଜଜଙ୍କ ବାସ ଭବନ। ଅବସରପ୍ରାପ୍ତ ବିଚାରପତି ଓ ତାଙ୍କ ପରିବାର ଘରର ଉପର ମହଲାରେ ରହୁଥିବା ବେଳେ ତଳ ଫ୍ଲୋରକୁ ଭଡ଼ାରେ ଦେଇଥିଲେ। ସେହି ଘରେ ଭୁବନେଶ୍ୱର ଏୟାରପୋର୍ଟର ଜଣେ କର୍ମଚାରୀ ରହୁଥିଲେ। ଗତ କିଛିଦିନ ହେବ ବିଚାରପତିଙ୍କ ପରିବାର ଦେଶ ବାହାରକୁ ଯାଇଥିବା ବେଳେ ଭଡ଼ାରେ ରହୁଥିବା ବ୍ୟକ୍ତି ଜଣକ କୌଣସି କାମରେ ଯାଇଥିଲା।

ଗୁରୁବାର ପୂରା ଘର ଏକ ରକମର ଖାଲି ପଡ଼ିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତଳ ମହଲାରେ କଳାକନା ବୁଲାଇ ଦେଇଥିଲେ। ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଆଉ ଭଡାଟିଆଙ୍କ ଘରୁ ୧୨ ହଜାର ଟଙ୍କା, ସୁନା ଓ ରୁପାର ଛୋଟ ମୂର୍ତ୍ତି ଚୋରି କରିନେଇଛନ୍ତି। ଏହାଛନା ଗୋଦ୍ରେଜ୍‌ ଭାଙ୍ଗି ସୁନା ଅଲଙ୍କାର ନେଇଛନ୍ତି।

Advertisment

ଗୁରୁବାର ବିଳମ୍ୱିତ ରାତିରେ ଅଫିସ୍‌ରୁ ଘରକୁ ଆସିଲା ପରେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ଭଡ଼ାଟିଆ। ଏନେଇ ସେ ଏୟାଫିଲ୍‌ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଚୋରି ହୋଇଥିବା ଘରୁ ପୁଲିସ ଗୋଟିଏ ଅଜଣା ଚାବି ନେନ୍ଥା ପାଇଛି। ସେହି ଚାବି ପେନ୍ଥାକୁ ଧରି ପୁଲିସ ଖୋଳତାଡ ଚଳାଇଛି।

ସୂଚନାରୁ ପ୍ରକାଶ, ଗତ କିଛି ମାସ ହେଲା ରାଜଧାନୀରେ ଚୋରି ଓ ଛିନ୍‌ତାଇ ବଢ଼ିଯାଇଛି। କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଘରେ ପଶି ଲୁଟ୍‌ପାଟ୍‌ କରୁଛନ୍ତି। ହେଲେ ପୁଲିସ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯେଉଁଥିପାଇଁ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଲୁଟ୍‌ କରି ନିଜର ଅପରାଧିକ ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି। ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପଅକାଶ ପାଉଛି। ପୁଲିସ୍‌ ଉପର ଲୋକଙ୍କ ଭରସା ତୁଟିବାରେ ଲାଗୁଛି।

Bhubaneswar Bhubaneswar News