Advertisment

ଗଣିତ ଦିଦିଙ୍କ ସବୁ ଅଙ୍କ ଭୁଲ୍‌ ହୋଇଗଲା! ପ୍ରଥମେ ଡିଭୋର୍ସ, ପରେ ଧୋକା

ଜିମ୍‌ରେ ବ୍ୟାୟାମ୍‌ କରୁଥିବା ବେଳେ ପ୍ରତିଜ୍ଞାଙ୍କ ସହିତ ବିଭୂତିଙ୍କ ଦେଖା ହୋଇଥିଲା। ବିଭୂତିଙ୍କର ଗୋଟିଏ ମେଡ଼ିସିନ୍‌ ଦୋକାନ ରହିଛି। ପ୍ରଥମ ଦେଖାରେ ଉଭୟ ପରସ୍ପର ଭଲ ବନ୍ଧୁ ପାଲଟି ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Teacher

Teacher

ଜଟିଳ ଗଣିତକୁ ଚୁଟ୍‌କିରେ ସମାଧାନ କରି ଦେଉଥିଲେ ଗଣିତ ଦିଦି। ହେଲେ ବାସ୍ତବ ଜୀବନର ମାନସାଙ୍କକୁ ବୁଝିପାରିଲେ ନାହିଁ! ଜୀବନର ଛକିଶୂନ ଖେଳରେ ହାରିଗଲେ। ଆଉ ପାରିବାରିକ ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ପ୍ରଥମେ ସ୍ୱାମୀଙ୍କଠାରୁ ଡିଭୋର୍ସ ନେଲେ। ପରେ ଦୁଷ୍କର୍ମରେ ଶିକାର ହୋଇ ଧୋକା ଖାଇଲେ ଗଣିତ ଦିଦି। ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଭଡ଼ା ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରୁ ଆସିଛି ଏପରି ଖବର।

Advertisment

ପ୍ରଥମ ପ୍ରେମରେ ଉଠିଥିଲା ପାରିବାରିକ ଝଡ଼। ତେଣୁ ବାଧ୍ୟ ହୋଇ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଏହା ପରେ ନିଜର ୬ ବର୍ଷର ଝିଅକୁ ଧରି ଭବିଷ୍ୟତ ଗଢ଼ିବା ପାଇଁ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ ପ୍ରତିଜ୍ଞା(ଛଦ୍ମନାମ)। ଏଠାରେ ଏକ ପ୍ରାଇଭେଟ୍‌ ସ୍କୁଲରେ ଗଣିତ ଶିକ୍ଷୟିତ୍ରୀ ଭାବେ ଚାକିରି କଲେ। ଝିଅ ଓ ଚାକିରି ଦାୟିତ୍ୱ ଭିତରେ ନିଜକୁ ଫିଟ୍‌ ରଖିବାକୁ ଚାହିଁଥିଲେ ପ୍ରତିଜ୍ଞା। ସେଥିପାଇଁ ନିୟମିତ ଜିମ୍‌ ଯାଉଥିଲେ।

ଜିମ୍‌ରେ ପ୍ରତିଜ୍ଞାଙ୍କ ସହିତ ବିଭୂତିଙ୍କର ଦେଖା ହୋଇଥିଲା। ବିଭୂତିଙ୍କର ଗୋଟିଏ ମେଡିସିନ୍‌ ଦୋକାନ ରହିଛି। ପ୍ରଥମ ଦେଖାରେ ଉଭୟ ପରସ୍ପରର ଭଲ ବନ୍ଧୁ ପାଲଟି ଯାଇଥିଲେ। ନିୟମିତ ବ୍ୟବଧାନରେ ଉଭୟଙ୍କ ଭିତରେ କଥାବାର୍ତ୍ତା ହେଉଥିଲା। ଉଭୟ ସୁଖଦୁଃଖ ଶେଆର କରୁଥିଲେ।

Advertisment

୨୦୨୩ ମସିହା ଅଗଷ୍ଟ ୯ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରତିଜ୍ଞା। ତାଙ୍କୁ ଭୀଷଣ ଜ୍ୱର ହୋଇଥିଲା। ଉଠିବା ସ୍ଥିତିରେ ନଥିଲେ ସେ। ଏ ସମ୍ପର୍କରେ ପ୍ରତିଜ୍ଞା ଫୋନ୍‌ କରି ବିଭୂତିଙ୍କୁ କହିଥିଲେ। ତାଙ୍କ ମେଡିସିନ୍‌ ଦୋକାନ ଥିବାରୁ ମେଡିସିନ୍‌ ଆଣି ଦେବା ପାଇଁ କହିଥିଲେ ପ୍ରତିଜ୍ଞା। ଉଭୟଙ୍କ ଭିତରେ ଭଲ ବନ୍ଧୁତା ଥିବାରୁ ସେ ବିଭୂତିଙ୍କୁ ଔଷଧ ଆଣିଦେବାକୁ କହିଥିଲେ। 

ରାତି ପ୍ରାୟ ସାଢ଼େ ୧୦ଟା ହେବ। ବିଭୂତି ଔଷଧ ଧରି ପ୍ରତିଜ୍ଞାଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ପ୍ରତିଜ୍ଞାଙ୍କ ଝିଅ ଶୋଇଥିଲେ। ଭୀଷଣ ଜ୍ୱର ହୋଇଥିବାରୁ ପ୍ରତିଜ୍ଞା ଉଠି ପାରୁନଥିଲେ। ଏହାର ସୁଯୋଗ ନେଇ ବିଭୂତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପ୍ରତିଜ୍ଞା ବିରୋଧ କରିଥିଲେ ମଧ୍ୟ ବିଭୂତି ଶୁଣିବା ସ୍ଥିତିରେ ନଥିଲେ ବୋଲି ଅଭିଯୋଗ ହୋଇଛି। ତା’ପରେ ସେ ସେଠାରୁ ପଳାଇ ଯାଇଥିଲେ।

ଦୁଷ୍କର୍ମ ପରେ ଭାଙ୍ଗି ପଡ଼ିଥିଲେ ପ୍ରତିଜ୍ଞା। ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କୌଣସି ସୂତ୍ରରୁ ଏ ସମ୍ପର୍କରେ ଖବର ପାଇଥିଲେ ବିଭୂତି। ସେ ଆସି ପ୍ରତିଜ୍ଞାଙ୍କ ପାଖରେ ପହଞ୍ଚିଥିଲେ। ସେ କରିଥିବା ଭୁଲ୍ ପାଇଁ କ୍ଷମା ମାଗିଥିଲେ। ଗୋଡ଼ ହାତ ଧରି ଥିଲେ। କ୍ଷମା ନକଲେ ଆତ୍ମହତ୍ୟା କରିଦେବେ ବୋଲି ବିଭୂତି ଧମକ ଦେଇଥିଲେ। ଯେଉଁଥିପାଇଁ ଅଡୁଆରେ ପଡ଼ି ଯାଇଥିଲେ ପ୍ରତିଜ୍ଞା। କୋର୍ଟ ମ୍ୟାରେଜ କରିବେ ବୋଲି ବିଭୂତି ପ୍ରତିଶ୍ରୁତି ଦେବା ପରେ ଉଭୟଙ୍କ ଭିତରେ ବିବାଦ ସମାଧାନ ହୋଇଥିଲା। ଏହା ପରେ ବିଭୂତି ନିୟମିତ ପ୍ରତିଜ୍ଞାଙ୍କ ଘରକୁ ଯିବା ଆସିବା କରୁଥିଲେ। ବାହା ହେବା ପାଇଁ କଥା ଦେଇଥିବାରୁ ଅଗଷ୍ଟ ଓ ସେପ୍ଟେମ୍ୱର ମାସ ଭିତରେ ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା। 

ଅଭିଯୋଗ ଅନୁସାରେ ବିଭୂତିଙ୍କ ବାପାଙ୍କ ଅପରେଶନ୍‌ ହୋଇଥିଲା। ସେହି ସମୟରେ ବିଭୂତିଙ୍କର ଟଙ୍କା ଆବଶ୍ୟକ ହୋଇଥିଲା। ତେଣୁ ପ୍ରତିଜ୍ଞା ନିଜର ଗହଣା ବିକ୍ରି କରି ତଥା ଧାରଉଧାର କରି ବିଭୂତିଙ୍କୁ ଟଙ୍କା ଦେଇଥିଲେ। ହେଲେ ସେହି ଟଙ୍କା ବିଭୂତି ଫେରାଇ ନଥିଲେ। ଟଙ୍କା ମାଗିଲେ ଧରାଛୁଆଁ ଦେଉନଥିଲେ। ଆଉ ଏବେ ବାହା ହେବା ପାଇଁ ମନା କରି ଦେଇଛନ୍ତି ବିଭୂତି। ତା’ସହିତ ଧମକଚମକ ଦେଉଛନ୍ତି।

ସବୁଆଡୁ ନିରାଶ ହେବା ପରେ ପୀଡ଼ିତା ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବିଭୂତି ଭଡ଼ାରେ ରହୁଥିବା ସତ୍ୟ ବିହାର ଅଞ୍ଚଳରେ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ପୀଡ଼ିତା କହିଛନ୍ତି।

Bhubaneswar Bhubaneswar News