Advertisment

ଆଜି ହୋଇଥାଆନ୍ତା ବାହାଘର; ହଠାତ୍‌ ପ୍ରେମିକ ଘରେ ପହଞ୍ଚିଲେ ପ୍ରେମିକା

ଅଫିସ୍‌ ଭିତରେ କଥାବାର୍ତ୍ତା ହେଉ ହେଉ ପୁଷ୍ପା ଓ ଦିବାକର ପରସ୍ପରର ପ୍ରେମରେ ପଡ଼ିଗଲେ। ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ। ମିଶିଲା ମନ ଓ ମିଶିଲା ଦେହ। କହିବାକୁ ଗଲେ ଦେହ, ମନ ଓ ପ୍ରାଣ ସବୁକିଛି ମିଶିଥିଲା।

Nayagarh

Nayagarh

Advertisment

ଆଜି ହୋଇଥାଆନ୍ତା ବାହାଘର। ସେଥିପାଇଁ ସଜେଇ ହୋଇଥିଲା ପୂରା ଘର। ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିଲା। ଘରକୁ ଆସିଥିଲେ ବନ୍ଧୁବାନ୍ଧବ। କୋଳାହଳରେ ପ୍ରକମ୍ପିତ ହେଉଥିଲା ଘର। ଖୁସିର ଏହି ମାହୋଲ ଭିତରେ ଜଣେ ଯୁବତୀ ଆସି କହିଲେ, ମୁଁ ତୁମ ପୁଅର ପ୍ରେମିକା...। ବାସ୍‌ ଏହା ପରେ କୋଳାହଳ ମୟ ପରିବେଶ୍‌ ପୂରା ଶାନ୍ତ ପଡ଼ିଗଲା।

Advertisment

ପୂରା ଘଟଣା ଏମିତି। କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ପୁଷ୍ପା(ଛଦ୍ମନାମ) ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଏକ କମ୍ପାନୀରେ ଚାକିରି କରୁଥିଲେ। ସେଠାରେ ଚାକିରି କରୁଥିବା ବେଳେ ନୟାଗଡ଼ ସଦର ଥାନା ଗୁଳଗଡ଼ି ଗାଁ ଦିବାକର ରଥଙ୍କ ସହିତ ତାଙ୍କର ଦେଖା ସାକ୍ଷାତ ହୋଇଥିଲା। ଦିବାକର ମଧ୍ୟ ସେହି କମ୍ପାନୀରେ ଚାକିରି କରୁଥିଲେ। ଅର୍ଥାତ ଉଭୟ ଗୋଟିଏ କମ୍ପାନୀରେ ଚାକିରି କରୁଥିଲେ। ସମ୍ପର୍କରେ ସହକର୍ମୀ ଥିଲେ।

ଅଫିସ୍‌ ଭିତରେ କଥାବାର୍ତ୍ତା ହେଉ ହେଉ ପୁଷ୍ପା ଓ ଦିବାକର ପରସ୍ପରର ପ୍ରେମରେ ପଡ଼ିଗଲେ। ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ। ମିଶିଲା ମନ ଓ ମିଶିଲା ଦେହ। କହିବାକୁ ଗଲେ ଦେହ, ମନ ଓ ପ୍ରାଣ ସବୁକିଛି ମିଶିଥିଲା। ଯେଉଁଥିପାଇଁ ନିଜକୁ ଦିବାକରଙ୍କ ପାଖରେ ସମର୍ପି ଦେଇଥିଲେ ପୁଷ୍ପା। ଏହାର ସୁଯୋଗ ନେଇ ଦିବାକର ତାଙ୍କ ସହିତ ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ବେଶ୍‌ ହସ ଖୁସିରେ ରହୁଥିଲେ। ପ୍ରେମ ପକ୍ଷୀଟିଏ ପରି ଉଭୟ ରାଜଧାନୀ ଏ ପାର୍କରୁ ସେ ପାର୍କ ଘୂରି ବୁଲୁଥିଲେ।

Advertisment

ହଠାତ୍‌ କୌଣସି କାରଣ ପାଇଁ ପୁଷ୍ପା ଚାକିରି ଛାଡ଼ିଥିଲେ। ଏକ ସପିଂ ମହଲ୍‌ରେ ନୂଆ ଚାକିରି ଆରମ୍ଭ କଲେ। କିନ୍ତୁ ପ୍ରେମ ସମ୍ପର୍କରେ ପଡ଼ିନଥିଲା ଭଟ୍ଟା। ଉଭୟ ପୂର୍ବ ପରି ମିଳାମିଶା କରୁଥିଲେ ଓ ଅବସର ସମୟକୁ ଉପଭୋଗ କରୁଥିଲେ। ସବୁ ଠିକ୍‌ଠାକ୍‌ ଚାଲିଥିଲା। ବିବାହ କରି ଘର ସଂସାର ଗଢ଼ିବା ପାଇଁ କେତେ ସ୍ୱପ୍ନ ଦେଖୁଥିଲେ। ମାସେ ତଳେ ପରିବାର ଲୋକ ଦିବାକରଙ୍କୁ ଫୋନ୍‌ କରି ଡାକିଥିଲେ। ଦାବିକର ଘରେ ପହଞ୍ଚିଲା ପରେ ବାହାଘର ପାଇଁ ଝିଅ ଦେଖିବାକୁ କହିଥିଲେ। ଘର ଲୋକଙ୍କ କଥାକୁ ଖଣ୍ଡନ କରିପାରିନଥିଲେ ଦିବାକର। ଝିଅ ଦେଖିବାକୁ ଗଲେ। ପସନ୍ଦ ହେଲା। ନିର୍ବନ୍ଧ ହେଲା। ବାହାଘର ପାଇଁ ତିଥି ଓ ବାର ସ୍ଥିର ହେଲା। ହେଲେ ନିଜର ବାହାଘର ସମ୍ପର୍କରେ ପ୍ରେମିକାଙ୍କୁ କେମିତି କହିବେ ଦିବାକର? ସେହି ଚିନ୍ତାରେ ପଡ଼ିଗଲେ।

ଆଜକୁ ୯ ଦିନ ତଳେ ଭୁବନେଶ୍ୱର ଆସିଥିଲେ ଦିବାକର। ଆଉ ପ୍ରେମିକାଙ୍କୁ ଦେଖା କରିଥିଲେ। କଥା ଛଳରେ ବିବାହ କରୁଥିବା ଦିବାକର କହିଥିଲେ। କିନ୍ତୁ ବିଶ୍ୱାସ କରିପାରିନଥିଲେ ପ୍ରେମିକା ପୁଷ୍ପା। ହସରେ ଉଡାଇ ଦେଇଥିଲେ। ତା’ପରେ ଦିବାକର ଘରକୁ ପଳାଇ ଯାଇଥିଲେ। ବାହାଘର ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗତକାଲି ଅର୍ଥାତ ଶନିବାର ଦିବାକରଙ୍କର ମଙ୍ଗନ ଓ ଆଜି ବାହାଘର ଥିଲା। ସେଥିପାଇଁ ଉତ୍ସବ ମୁଖର ଥିଲା ପୂରା ପରିବାର। ଅତିଥି ନିମନ୍ତ୍ରଣ ସରିଥିଲା ଓ ବନ୍ଧୁ ବାନ୍ଧବ ଆସିଥିଲେ। ଘର ଆଗରେ ଟେଣ୍ଟ ପାଇଁ ଖୁଣ୍ଟ ପୋତା ସରିଥିଲା।

ଶନିବାର ସନ୍ଧ୍ୟା ବେଳେ କୋଳାହଳ ହୋଇ ଆସୁଥିଲା ଘର। ଛୋଟ ଛୋଟ ଛୁଆଙ୍କ କଳି ଓ ମହିଳାଙ୍କ ଥଟା ତାମସାରେ ପ୍ରକମ୍ପିତ ହେଉଥିଲା ଘର। ଆଉ ସେହି ସମୟରେ ଦିବାକରଙ୍କ ଘରେ ଆସି ପହଞ୍ଚିଥିଲେ ପୁଷ୍ପା। ନିଜକୁ ଦିବାକରଙ୍କ ପ୍ରେମିକା ବୋଲି ଦାବି କରିଥିଲେ। ଦିବାକରଙ୍କ ପରିବାର ଲୋକେ ପ୍ରଥମେ ବିଶ୍ୱାସ କରିପାରିନଥିଲେ। ପରେ ପୁଷ୍ପାଙ୍କୁ ଘର ଭିତରକୁ ଡାକି ନେଇଥିଲେ ଦିବାକରଙ୍କ ବାପା ଓ ମାଆ। ଦିବାକରଙ୍କ ଉପସ୍ଥିତିରେ ପୂରା ଘଟଣା ସମ୍ପର୍କରେ ପଚାରିଥିଲେ। ପୁଷ୍ପା ସବୁ ଗୋଟି ଗୋଟି କରି କହିଥିଲେ। ପୁଷ୍ପାଙ୍କ କଥା ସତ ବୋଲି ପରିବାର ଲୋକଙ୍କ ଆଗରେ ସ୍ୱୀକାର କରିଥିଲେ ଦିବାକର।

ପୁଅ ଏପରି କାର୍ଯ୍ୟରେ ମର୍ମାହତ ହୋଇଥିଲେ ପରିବାର ଲୋକେ। ବର୍ତ୍ତମାନ କରିବେ କଣ? ଜଣେ ଯୁବତୀଙ୍କ ସହିତ ବାହାଘର ପାଇଁ ନିର୍ବନ୍ଧ ସରିଛି, ରାତି ପାହିଲେ ବାହାଘର। ଆଉ ଏପାଖରେ ପୁଷ୍ପା, ନିଜକୁ ଦିବାକରଙ୍କ ପ୍ରେମିକା ଓ ପତ୍ନୀ ହେବ ବୋଲି କହୁଛନ୍ତି। ଏପରି ଦୋ’ ଛକିରୁ ମୁକୁଳିବା ପାଇଁ ପୁଷ୍ପାଙ୍କୁ ଟଙ୍କାର ଲୋଭ ଦେଖାଇଥିବା ଅଭିଯୋଗ ହେଉଛି। ଅର୍ଥାତ ଦିବାକରଙ୍କ ଜୀବନରରୁ ଦୂରେଇ ଯିବା ପାଇଁ ଅର୍ଥ ଲୋଭ ଦେଖାଯାଇଥିବା ଚର୍ଚ୍ଚା ହେଉଛି। ହେଲେ ଏ ସବୁକୁ ଗ୍ରହଣ କରିନଥିଲେ ପୁଷ୍ପା। ରାତି ସାରା ଦିବାକରଙ୍କ ଘର ଆଗରେ ଧାରଣାରେ ବସିଥିଲେ।

ଆଜି ପୀଡ଼ିତା ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୀଡ଼ିତା ପ୍ରଥମେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିବାରୁ ନୟାଗଡ଼ ସଦର ଥାନା ପୁଲିସ୍‌ ସେଠାକୁ ରେଫର କରିଥିଲା। ଅର୍ଥାତ ପୂରା ମାମଲାକୁ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ତଦନ୍ତ କରୁଛି। ସେପଟେ ଦିବାକର ଫେରାର ହୋଇଯାଇଛି। ଶେଷ ଖବର ସୁଦ୍ଧା ଆଜି ହେବାକୁ ଥିବା ବାହାଘର ଭାଙ୍ଗି ଯାଇଛି।

ରିପୋର୍ଟ-ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Bhubaneswar Cuttack Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe