କଲେଜରୁ ନେଇଗଲେ, ମନ୍ଦିରରେ ବାହା ହେଲେ; ଆଉ ଏବେ...

ବାହାଘର ପରେ ଗୋଟିଏ ରୁମ୍‌ରେ ସ୍ୱାମୀ-ସ୍ତ୍ରୀଙ୍କ ପରି ରହିଥିଲେ। ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା ବୋଲି ପଦ୍ମା ନିଜ ପ୍ରତିକ୍ରିୟାରେ କହିଥିଲେ। ପଦ୍ମା ସବୁ ଭୁଲି ଯାଇଥିଲେ। ପତି ବ୍ରତା ସ୍ତ୍ରୀ ପାଲିଟି ଯାଇଥିଲେ ପଦ୍ମା।

Representative image

  • Published: Sunday, 13 August 2023
  • , Updated: 13 August 2023, 04:09 PM IST

ଅଜବ ଏ ପ୍ରେମ? ଦେଖାଚୁଆଁ ପରେ ବିବାହ ସ୍ଥିର ହେଲା। ପରେ ରିଙ୍ଗ ସେରିମୋନି ମଧ୍ୟ ହେଲା। ହେଲେ ହଠାତ୍‌ କ’ଣ ଘଟିଲା ପ୍ରେମରେ ଲାଗିଲା ବ୍ରେକ୍‌। ଆଉ ତା’ପରେ କଲେଜରୁ ପ୍ରେମିକାକୁ ଉଠାଇ ନେଲେ ପ୍ରେମିକ। ଢେଙ୍କାନାଳରୁ ସୁରତ ଗଲେ। ସେଠାରେ ବାହାହେଲେ ଓ ଗୋଟିଏ ରୁମ୍‌ରେ ସ୍ୱାମୀ-ସ୍ତ୍ରୀ ପରି ରହିଲେ। ଆଉ ଏବେ ପ୍ରେମିକାକୁ ଟ୍ରେନ୍‌ ଚଢ଼ାଇ ଦେଇ ପ୍ରେମିକ ଫେରାର୍‌।

ଯୌବନରେ ପଦାର୍ପଣ କରିଥିଲେ କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ମନୀଷ ଦେହୁରୀ। ବାହାହେବା ବୟସ ହୋଇଥିପାରୁ ପରିବାର ଲୋକେ ଝିଅ ଖୋଜିଥିଲେ। ଶେଷରେ ମନୀଷଙ୍କୁ ତାଙ୍କ ମନର ମାନସୀ ମିଳିଥିଲା। ବଡ଼ ଭଉଣୀଙ୍କ ସହିତ ଯାଇ ତୁମୁସିଙ୍ଗା ଥାନା ଅଞ୍ଚଳର ପଦ୍ମା(ଛଦ୍ମନାମ)ଙ୍କୁ ଦେଖିଥିଲେ। ପସନ୍ଦ ମଧ୍ୟ ହୋଇଥିଲା। ଉଭୟ ପରିବାର ସହମତିରେ ଅପ୍ରେଲ ୧୬ ତାରିଖରେ ସୋଗର ଗାଁ ସ୍ଥିତ ଔଷଧୀୟ ଅରଣ୍ୟ ପାର୍କରେ ରିଙ୍ଗ ସେରିମୋନି ହୋଇଥିଲା। ଆଉ ପଦ୍ମାଙ୍କ ଆଙ୍ଗୁଠିରେ ରିଙ୍ଗ ପିନ୍ଧାଇଥିଲେ ମନୀଷ।

ରିଙ୍ଗ ସେରିମୋନି ପରେ ଉଭୟ ପ୍ରେମରେ ବୁଡ଼ି ଯାଇଥିଲେ। ଖାଲି ବାହାଘରକୁ ଅପେକ୍ଷା କରିଥିଲେ। ତେବେ ହଠାତ୍‌ କ’ଣ ହେଲା, ମନୀଷଙ୍କ ପରିବାର ଲୋକେ ବାହାଘରକୁ ଭାଙ୍ଗି ଦେଇଥିଲେ। ଏ କଥା ଶୁଣିବା ପରେ ମନୀଷ ଭାଙ୍ଗି ପଡ଼ିଥିଲେ। ଯାହାକୁ ମନ ଦେଇଥିଲେ, ତାଙ୍କୁ ସହଜରେ ଭୁଲି ପାରୁନଥିଲେ। ପରିବାର ଲୋକଙ୍କ କଥାରେ ସହମତି ପ୍ରକାଶ କରିପାରୁନଥିଲେ ମନୀଷ। ମନେ ମନେ ପଦ୍ମାଙ୍କୁ ଖୋଜୁଥିଲେ।

ପଦ୍ମାଙ୍କ କହିବା ଅନୁସାରେ ବିବାହ ଭାଙ୍ଗିଯିବା ପରେ ଏପ୍ରିଲ୍‌ ୨୯ ତାରିଖରେ ସେ କଲେଜ ଯାଇଥିଲେ। କ୍ଲାସ୍‌ ସାରି କଲେଜରୁ ବାହାରୁଥିବା ବେଳେ ହଠାତ୍‌ ମନୀଷଙ୍କ ଫୋନ୍‌ କଲ ଆସିଥିଲା। ଦେଖା କରିବାକୁ ଚାହୁଁଛନ୍ତି ବୋଲି ମନୀଷ କହିଥିଲେ। ଏହା ପରେ ପଦ୍ମାଙ୍କୁ ମନୀଷ ଏକ ଦୋକାନଙ୍କୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ। ପଦ୍ମା ମଧ୍ୟ ମନା କରିପାରିନଥିଲେ। ମନୀଷ ଦେଇଥିବା ଥଣ୍ଡା ପାନୀୟକୁ ପଦ୍ମା ପିଇଦେଇଥିଲେ। ତା’ପରେ କ’ଣ ହେଲା ସେ ଜାଣିନାହାନ୍ତି। ଆଉ ପରେ ନିଜକୁ ଭୁବନେଶ୍ୱରରେ ପାଇଥିଲେ ପଦ୍ମା।

ପଦ୍ମା ଓ ମନୀଷ ଫ୍ଲାଇଟ୍‌ରେ ଭୁବନେଶ୍ୱରରୁ ସୁରତ ପଳାଇଯାଇଥିଲେ। ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ମେ ୨୫ ତାରିଖରେ ସୁରତର ଗଲଟେଶ୍ୱର ଶିବ ମନ୍ଦିରରେ ପଦ୍ମାଙ୍କୁ ବିବାହ କରିଥିଲେ ମନୀଷ। ବାହାଘର ପରେ ଗୋଟିଏ ରୁମ୍‌ରେ ସ୍ୱାମୀ-ସ୍ତ୍ରୀଙ୍କ ପରି ରହିଥିଲେ। ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା ବୋଲି ପଦ୍ମା ନିଜ ପ୍ରତିକ୍ରିୟାରେ କହିଥିଲେ। ପଦ୍ମା ସବୁ ଭୁଲି ଯାଇଥିଲେ। ପତି ବ୍ରତା ସ୍ତ୍ରୀ ପାଲିଟି ଯାଇଥିଲେ ପଦ୍ମା। ଆଉ ମନୀଷଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲେ।

ଜୁନ ୧ ତାରିଖରେ ପଦ୍ମାଙ୍କୁ ଗାଁକୁ ପଠାଇ ଦେଇଥିଲେ ମନୀଷ। ବାହାନା କରି ସେ ସୁରତରେ ରହିଯାଇଥିଲେ। ବିବାହ ହୋଇଥିବାରୁ ତାଙ୍କ ପଛେ ପଛେ ମନୀଷ ଆସିବେ ବୋଲି ପଦ୍ମା ଭାବିଥିଲେ। ହେଲେ ତାହା ହେଲାନାହିଁ। ଜୁନ୍‌ ୩ ତାରିଖରେ ଢେଙ୍କାନାଳ ଷ୍ଟେସନ୍‌ରେ ପହଞ୍ଚିଥିଲେ ପଦ୍ମା। ତା’ପରଠାରୁ ମନୀଷଙ୍କ ଫୋନ୍‌ ଲାଗୁନି। ଶେଷରେ ନିଜ ଘରକୁ ଫେରିଥିଲେ ପଦ୍ମା।

ନ୍ୟାୟ ପାଇଁ ଜୁଲାଇ ୪ ତାରିଖରେ କାମାକ୍ଷାନଗର ଥାନାର ଦ୍ୱାରସ୍ଥ ହୋଇଥିଲେ ପଦ୍ମା। ଆଉ ମନୀଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତିକରିପ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ହେଲେ ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିବାରୁ ପୀଡ଼ିତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତା ଚେତାବନୀ ଦେଇଛନ୍ତି।

ସେପଟେ ମନୀଷ କହିଛନ୍ତି, ଝିଅକୁ ସୁରତ ନେଇଥିଲେ। ଗୋଟିଏ ରୁମରେ ରହୁଥିଲେ। ମାତ୍ର କୌଣସି ଶାରୀରିକ ସମ୍ପର୍କ କିମ୍ବା ବିବାହ କରିନଥିଲେ।

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Related story