ଉଧାର ଟଙ୍କା ମାଗିବାରୁ ପ୍ରେମିକାଙ୍କୁ ମାରିଦେଲା ପ୍ରେମିକ!

ପ୍ରେମ ଜାଲରେ ଫଶାଇ ଶାନ୍ତିଲତାଙ୍କଠାରୁ ବିଭିନ୍ନ ଉପାୟରେ ଧାର ସୂତ୍ରରେ ୫୦ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ପ୍ରାୟ ଦେଢ଼ ବର୍ଷ ତଳେ ସ୍ୱାମୀ ଓ ଦୁଇ ପୁଅଙ୍କୁ ଛାଡ଼ି ପ୍ରେମିକ ପ୍ରବର ମିଥୁନ୍‌ଙ୍କ ସହିତ ଘରୁ ଫେରାର ହୋଇଯାଇଥିଲେ ଶାନ୍ତିଲତା।

Representative Image

  • Published: Friday, 28 June 2024
  • , Updated: 28 June 2024, 08:23 PM IST

ମୁଣ୍ଡ ଉପରେ ଛାତଟିଏ କରିବେ। ସେଥିପାଇଁ କେତେ ପରିଶ୍ରମ କରି ରୋଜଗାର କରିଥିଲେ ୫୦ ହଜାର ଟଙ୍କା। ସେହି ଟଙ୍କାକୁ ପତ୍ନୀଙ୍କୁ ଦେଇଥିଲେ ପତି। ହେଲେ ପାଖରେ ରଖିବା ପରିବର୍ତ୍ତେ ସେହି ଟଙ୍କାକୁ ଉଧାରରେ ପ୍ରେମିକଙ୍କୁ ଦେଇଥିଲେ। ଆଉ ସେହି ଟଙ୍କା ମାଗିବାରୁ ପ୍ରେମିକାଙ୍କୁ ମାରି ଗଛରେ ଝୁଲାଇଦେଲେ ପ୍ରେମିକ! ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରେ ଘଟିଛି।

କାମାକ୍ଷାନଗର ଥାନା ଅଞ୍ଚଳର ଶାନ୍ତିଲତା ପାତ୍ର। ସ୍ୱାମୀ ଓ ଦୁଇ ପୁଅଙ୍କୁ ନେଇ କରିଥିଲେ ଘର। ସ୍ୱାମୀ ଦିନ ମଜୁରୀ କରି ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ପରିବାର ଜଞ୍ଜାଳ ଭିତରେ ପେଶୀ ହୋଇଥିବା ବେଳେ ଶାନ୍ତିଲତା ଆଉ କାହା ପ୍ରେମରେ ପଡ଼ିଥିଲେ। ତାଙ୍କ ଘରକୁ ଯା’ଆସ କରୁଥିବା ସମ୍ପର୍କୀୟ ମିଥୁନ୍‌ଙ୍କୁ ପ୍ରେମ କରୁଥିଲେ ଶାନ୍ତିଲତା। ମିଥୁନ୍‌ ମଧ୍ୟ ତାଙ୍କ ଭଲ ପାଉଥିଲେ। ହେଲେ ସେ ଥିଲେ ଜଣେ ଚତୁର ବ୍ୟକ୍ତି।

ପ୍ରେମ ଜାଲରେ ଫଶାଇ ଶାନ୍ତିଲତାଙ୍କଠାରୁ ବିଭିନ୍ନ ଉପାୟରେ ଧାର ସୂତ୍ରରେ ୫୦ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ପ୍ରାୟ ଦେଢ଼ ବର୍ଷ ତଳେ ସ୍ୱାମୀ ଓ ଦୁଇ ପୁଅଙ୍କୁ ଛାଡ଼ି ପ୍ରେମିକ ପ୍ରବର ମିଥୁନ୍‌ଙ୍କ ସହିତ ଘରୁ ଫେରାର ହୋଇଯାଇଥିଲେ ଶାନ୍ତିଲତା। ମାସେରୁ ଦୁଇ ମାସ ଧରି ରାଜ୍ୟ ବାହାରେ ବୁଲିଥିଲେ। ଏ ସମ୍ପର୍କରେ ଶାନ୍ତିଲତାଙ୍କ ପରିବାର ଲୋକେ ଜାଣିବାରି ତାଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ସ୍ୱାମୀ ଓ ପିଲାଙ୍କ ପାଖକୁ ଫେରିଆସିବା ପାଇଁ କାକୁତି ମିନତି ହୋଇଥିଲେ।

ଶେଷରେ ପ୍ରେମିକ ମିଥୁନ୍‌ଙ୍କୁ ଛାଡ଼ି ସ୍ୱାମୀ ଓ ଦୁଇ ପୁଅଙ୍କ ପାଖକୁ ଫେରିଥିଲେ ଶାନ୍ତିଲତା। ଗତ ଦେଢ଼ ବର୍ଷ ହେଲା ନିଜ ପରିବାର ସହିତ ରହୁଥିଲେ। ହେଲେ ପ୍ରେମିକଙ୍କୁ ଭୁଲି ପାରୁନଥିଲେ। ସ୍ୱାମୀଙ୍କ ଅନୁପସ୍ଥିତିରେ ଶାନ୍ତିଲତାଙ୍କ ଘରକୁ ମିଥୁନ୍‌ ଆସୁଥିବା ଅଭିଯୋଗ ହୋଇଛି। ଲୁଚାଛପାରେ ଭାବ ଦିଆନିଆ ହେଉଥିଲେ। ହେଲେ ସେହି ଲୁଚାଛପାର ପ୍ରେମ ଭିତରେ ମିଥୁନ୍‌ଙ୍କୁ ଉଧାର ଟଙ୍କା ମାଗିଥିଲେ ଶାନ୍ତିଲତା। ହେଲେ ସେ ଆଜି କାଲିର ବାହାନା କରି ଦିନ ଗଡ଼ାଇ ଚାଲୁଥିଲେ।

ଗୁରୁବାର ସକାଳେ ସ୍ୱାମୀ କାମକୁ ଗଲା ପରେ ଶାନ୍ତିଲତା ବାପଘରକୁ ଯାଇଥିଲେ। ବାପଘରେ ମୁହଁଟି ମାରିଦେଇ ପ୍ରେମିକ ମିଥୁନ୍‌ଙ୍କ ଘର ଇନ୍ଦିପୁର ଯାଇଥିଲେ। ଆଉ ମିଥୁନ୍‌ଙ୍କୁ ଧାର ନେଇଥିବା ଟଙ୍କା ମାଗିଥିଲେ। ଅଭିଯୋଗ ଅନୁସାରେ ସେଠାରେ କୁଆଡେ ଦୁଇ ଜଣଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏପରି ମାରଧର ହୋଇଥିବା ଅଭିଯୋଗ ହୋଇଥିଲା। ତା’ପରଠାରୁ ଶାନ୍ତିଲତା ଘରକୁ ଫେରିନଥିଲେ। ଶାନ୍ତିଲତା ବାପଘରକୁ ଯାଇଥିବାରୁ ନିଶ୍ଚିନ୍ତରେ ଘରେ ରହିଥିଲେ ତାଙ୍କ ସ୍ୱାମୀ। ହେଲେ ସେ ବାପଘରକୁ ନଯାଇ ପ୍ରେମିକଙ୍କୁ ଟଙ୍କା ମାଗିବାକୁ ଯାଇଥିଲେ ବୋଲି ଶାନ୍ତିଲତାଙ୍କ ସ୍ୱାମୀ ଜାଣିନଥିଲେ।

ଆଜି ସକାଳେ ଅନୁଗୋଳ-ସୁକିନ୍ଦା ନୂତନ ରେଳପଥର ଇନ୍ଦିପୁର ଗାଁ ପାଖରେ ଥିବା ଗଛରେ ଶାନ୍ତିଲତାଙ୍କ ମୃତଦେହ ଝୁଲିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ଇନ୍ଦିପୁରରେ ପହଞ୍ଚିଥିଲେ ଶାନ୍ତିଲତାଙ୍କ ସ୍ୱାମୀ ଓ ବାପଘର ଲୋକ। ତା’ପରେ ସେମାନେ ଗାଁ ଲୋକଙ୍କଠାରୁ ପୂରା କଥା ଶୁଣିଥିଲେ। ଏହା ପରେ ସେମାନେ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶାନ୍ତିଲତାଙ୍କୁ ମିଥୁନ୍‌ ମାରି ଗଛରେ ଟାଙ୍ଗି ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ପ୍ରେମିକ ମିଥୁନ୍‌ ଫେରାରଥିବା ଜଣାପଡ଼ିଛି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Related story