Advertisment

ଅଧା ରହିଗଲା ପ୍ରେମ କାହାଣୀ: ପ୍ରେମୀ ଯୁଗଳଙ୍କ ତଣ୍ଟି ଚିପି ଗଛରେ ଝୁଲାଇ ଦେଲେ ପ୍ରେମିକାର ପରିବାର

ପୁଲିସ ଘଟଣାର ତଦନ୍ତ କରି ପ୍ରଥମେ ଜେମାମଣିଙ୍କ ବାପା କନେଶ୍ୱର ପଟେଲଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରିବା ପରେ ତାଙ୍କ ଭାଇ ଦେବାନନ୍ଦ ପଟେଲ ଓ ଜ୍ୱାଇଁ ଠନ ସୁନ୍ଦର ନାଏକଙ୍କ ନାଁ ସାମ୍ନାକୁ ଆସିଥିଲା। ପରେ ପୁଲିସ୍ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Accused

Accused

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁର ଏକ ପ୍ରେମୀ ଯୁଗଳଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ପ୍ରେମୀ ଯୁଗଳଙ୍କୁ ପ୍ରେମିକାର ବାପା, କାକା ଓ ଭିଣୋଇ ହତ୍ୟା କରିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- କନେଶ୍ୱର ପଟେଲ, ଦେବାନନ୍ଦ ପଟେଲ ଓ ଠନ ସୁନ୍ଦର ନାଏକ। କନେଶ୍ୱର ପଟେଲଙ୍କ ଝିଅ ଜେମାମଣି ତାଙ୍କରି ଗାଁର ସୁନୀଲ ପଟେଲଙ୍କୁ ଭଲ ପାଉଥିଲେ। ଉଭୟ ନାବାଳିକା ଓ ନାବାଳକ ଥିଲେ। ପ୍ରାୟ ଦୁଇ ବର୍ଷ ହେଲା ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ ଉଭୟ ପ୍ରେମିକ ଓ ପ୍ରେମିକା ସଂପର୍କୀୟ ହୋଇଥିବାରୁ ଜେମାମଣିଙ୍କ ପରିବାର ଲୋକେ ଏ ସଂପର୍କକୁ ସ୍ୱୀକୃତି ଦେଉ ନଥିଲେ। କିନ୍ତୁ ସୁନୀଲଙ୍କ ପରିବାର ସେମାନଙ୍କ ପ୍ରେମ ସଂପର୍କକୁ ସମର୍ଥନ କରୁଥିଲା।

ଏହି ଟଣାଓଟରା ମଧ୍ୟରେ ଗତ ଜୁନ୍ ୩୦ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ଜେମାମଣି ଓ ସୁନୀଲ ଘରୁ ଫେରାର ହୋଇଯାଇଥିଲେ। ସେମାନେ ଗାଁ ବାହାରେ ଥିବା ଏକ ପରିତ୍ୟକ୍ତ ମିଲ୍‌ରେ ଲୁଚି ରହିଥିଲେ। ରାତି ପ୍ରାୟ ୯ଟା ବେଳକୁ ଜେମାମଣିଙ୍କ ବାପା କନେଶ୍ୱର ପଟେଲ ଜାଣିବାକୁ ପାଇଲେ ଯେ ସେମାନେ ସେଠାରେ ଲୁଚିଛନ୍ତି। ସେ ତାଙ୍କ ଭାଇ ଦେବାନନ୍ଦ ପଟେଲ ଓ ଜ୍ୱାଇଁ ଠନ ସୁନ୍ଦର ନାଏକ (ଜେମାମଣିଙ୍କ ଭିଣୋଇ)ଙ୍କୁ ସାଙ୍ଗରେ ନେଇ ଉକ୍ତ ମିଲ୍‌ରେ ପହଞ୍ଚିଲେ। ସେମାନେ ଜେମାମଣି ଓ ସୁନୀଲଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ତା’ପରେ ବାଞ୍ଜିପଦର ଏବଂ ସାଗୁନ ଭାଡ଼ି ଗାଁ ମଝିରେ ଥିବା ପୋଲ ନିକଟରେ ଜଙ୍ଗଲରେ ସେମାନଙ୍କ ମୃତଦେହକୁ ଗଛରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିଲେ କନେଶ୍ୱର, ତାଙ୍କ ଭାଇ ଓ ଜ୍ୱାଇଁ।

Advertisment

ଏହା ପରେ ଜୁଲାଇ ୨ ତାରିଖରେ ଝିଅ ଜେମାମଣି ନିଖୋଜ ହୋଇଯାଇଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ କନେଶ୍ୱର। ତାଙ୍କ ଅଭିଯୋଗକ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ତାହା ବିଶେଷ କିଛି ଅଗ୍ରଗତି କରି ନଥିଲା। ପରେ ଜୁଲାଇ ୯ ତାରିଖରେ ବାଞ୍ଜିପଦର ଏବଂ ସାଗୁନ ଭାଡ଼ି ଗାଁ ମଝିରେ ଥିବା ପୋଲ ନିକଟରେ ଦୁର୍ଗନ୍ଧ ହୋଇଥିଲେ। ସେଠାରେ ଲୋକେ ଦୁଇଟି ଗଳିତ ମୃତଦେହ ଠାବ କରି ପୁଲିସକୁ ଖବର ଦେଇଥିଲେ। ଜେମାମଣି ଓ ସୁନୀଲଙ୍କ ମୃତଦେହ ମିଳିବା ପରେ ସେମାନଙ୍କୁ ଜେମାମଣିଙ୍କ ପରିବାର ଲୋକେ ମାରିଥିବା ନେଇ ଅଭିଯୋଗ କରିଥିଲେ ସୁନୀଲଙ୍କ ଘର ଲୋକେ।

ପୁଲିସ ଘଟଣାର ତଦନ୍ତ କରି ପ୍ରଥମେ ଜେମାମଣିଙ୍କ ବାପା କନେଶ୍ୱର ପଟେଲଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରିବା ପରେ ତାଙ୍କ ଭାଇ ଦେବାନନ୍ଦ ପଟେଲ ଓ ଜ୍ୱାଇଁ ଠନ ସୁନ୍ଦର ନାଏକଙ୍କ ନାଁ ସାମ୍ନାକୁ ଆସିଥିଲା। ପରେ ପୁଲିସ୍ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା।

ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡାଙ୍କ ରିପୋର୍ଟ

Murder Police Honor Killing Arrest