Advertisment

ପୁଲିସର ‘ମାଫିଆଗିରି’, ଗୁମର ଖୋଲି ତାଗିଦ୍ କଲେ ପୁଲିସ ଡିଜି : ବେଆଇନ କାର୍ଯ୍ୟରୁ ବିରତ ରୁହ

ପୁଲିସ ଡିଜି ଏହି ଘଟଣାରେ ଗଭୀର ଉଦବେଗ ବ୍ୟକ୍ତ କରିବା ସହ ଏସବୁ କାର୍ଯ୍ୟ ପୁଲିସର ଦାୟିତ୍ୱ ବାହାରେ ବୋଲି କହିଛନ୍ତି ।

author-image
Ordigital Desk
undefined

DGP OFFICE

ଓଡ଼ିଶା ପୁଲିସ ପୁଣିଥରେ ନିଜର ବେଆଇନ ଗତିବିଧି ଓ କାର୍ଯ୍ୟକଳାପ ପାଇଁ ବିବାଦଘେରକୁ ଆସିଛି । ରାଜ୍ୟର ବିଭିନ୍ନ ଶିଳ୍ପାଂଚଳରେ ଓଡ଼ିଶା ପୁଲିସର ‘ମାଫିଆଗିରି’ର ଗୁମର ଖୋଲିଛନ୍ତି ଖୋଦ୍ ପୁଲିସ ଡିଜି । ଶିଳ୍ପ ଅଂଚଳରେ ଖଣି ମାଫିଆ ଓ ବ୍ୟବସାୟୀଙ୍କ ହାତବାରିସୀ ସାଜି ବିଭିନ୍ନ ପ୍ରକାରର ଅଣପୁଲିସ କାର୍ଯ୍ୟ(ଖଣିଜ ସାମଗ୍ରୀ ପରିବହନ)ରେ ଜଡ଼ିତ ଫିଲଡ୍ ଷ୍ଟାଫ(ପୁଲିସ ଅଫିସର ଓ କର୍ମଚାରୀ)ଙ୍କୁ ତୁରନ୍ତ ଏଥିରୁ ବିରତ ରହିବାକୁ ପୁଲିସ ମୁଖାଳୟରୁ ନିର୍ଦ୍ଦେଶ ଜାରି ହୋଇଛି । ଆଉ ଏଭଳି ଗତିବିଧିରେ ସମ୍ପୃକ୍ତ ଥିବା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରାଯାଇଛି । ସବୁ ପୁଲିସ ଏସପି, ଡିଆଇଜି,ଆଇଜି ଓ ପୁଲିସ କମିଶନରଙ୍କୁ ଚିଠି ଲେଖି ରାଜ୍ୟ ପୁଲିସ ମୁଖ୍ୟାଳୟ(ଆଇନଶୃଙ୍ଖଳା ଅତିରିକ୍ତ ଡିଜି) ଅବଗତ କରାଇବା ପରେ ପୁଲିସକୁ ରାଜ୍ୟର ବିଭିନ୍ନ ଶିଳ୍ପାଂଚଳ ବିଶେଷକରି ଖଣି ଅଂଚଳରେ ‘ମାଫିଆଗିରି’ କରିବା ପାଇଁ ତତକାଳୀନ ସରକାର ପରୋକ୍ଷରେ ସମ୍ମତି ଦେଇଥିବାର ଅଭିଯୋଗ ଏବେ ସତ ପ୍ରମାଣିତ ହେବାରେ ଲାଗିଛି ।

Advertisment

ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗତ ୨୪ତାରିଖରେ ଏକ ଚିଠି ଲେଖାଯାଇଛି । ଯେଉଁଥିରେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସ୍ପଷ୍ଟ ଭାବେ କହିଛନ୍ତି ଯେ, କିଛି ପୁଲିସ ଫିଲଡ୍ ଅଫିସର ଶିଳ୍ପାଂଚଳ ଓ ଖଣି ଅଂଚଳରେ ଅଣପୁଲିସ ଗତିବିଧି ବିଶେଷକରି ପରିବହନ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ଜିଲ୍ଲା ଏସପି ମୁଖ୍ୟାଳୟମାନଙ୍କର ନଜରକୁ ଆସିଛି । ପୁଲିସ ଡିଜି ଏହି ଘଟଣାରେ ଗଭୀର ଉଦବେଗ ବ୍ୟକ୍ତ କରିବା ସହ ଏସବୁ କାର୍ଯ୍ୟ ପୁଲିସର ଦାୟିତ୍ୱ ବାହାରେ ବୋଲି କହିଛନ୍ତି । ଯଦି କୌଣସି ପୁଲିସ୍ ଅଫିସର ଏଭଳି କାର୍ଯ୍ୟରେ ସମ୍ପୃକ୍ତି ଜାରି ରୁହନ୍ତି ଅବା କାହାରି ସହ ପକ୍ଷପାତ କରିଥିବା ଜଣାପଡ଼େ ତାକୁ ଗୁରୁତର ଭାବେ ଗ୍ରହଣ କରାଯିବ । ତେଣୁ ସମସ୍ତ ଫିଲଡ୍ ଅଫିସରମାନଙ୍କୁ ଏହି ନିର୍ଦ୍ଦେଶକୁ ଗ୍ରହଣ କରିବା ସହ କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ଅତିରିକ୍ତ ପୁଲିସ ଡିଜି(ଆଇନଶୃଙ୍ଖଳା) କହିଛନ୍ତି ।

ଖଣି ଓ ଶିଳ୍ପାଂଚଳରେ ପୁଲିସ ଅଫିସରମାନେ କିଛି ନିର୍ଦ୍ଦିଷ୍ଟ ଖଣି ମାଫିଆ ଓ ବ୍ୟବସାୟୀଙ୍କ ହାତବାରିସି ସାଜି କାର୍ଯ୍ୟ କରିଥିବାର ପୁଳାପୁଳା ଅଭିଯୋଗ ରହିଆସିଛି । ବିଶେଷକରି ଏସବୁ ସ୍ଥାନରେ ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ଓ ଏଏସଆଇ ଆଦି ପଦବୀରେ ରହିବା ନିମନ୍ତେ ମଧ୍ୟ ପୁଲିସ ପ୍ରଶାସନରେ ବଡ଼ଧରଣର କିକବ୍ୟାକ୍ ହେଉଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ । ଯୋଡ଼ା-ବଡ଼ବିଲ, କଳିଙ୍ଗନଗର, ପାରାଦୀପ, ଚୌଦ୍ୱାର, ବଣାଇ, ଝାରସୁଗୁଡ଼ା ସମେତ ମୟୂରଭଞ୍ଜ, ସମ୍ବଲପୁର,କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର ଖଣି ଓ ଶିଳ୍ପ ଅଂଚଳରେ କିଛି ନିର୍ଦ୍ଦିଷ୍ଟ ବରିଷ୍ଠ ପାହ୍ୟାର ପୁଲିସ ଅଫିସରମାନେ ଏସବୁ ବେଆଇନ ଗତିବିଧିରେ ଲିପ୍ତ ରହି କୋଟିକୋଟି ଟଙ୍କା ଆଦାୟ କରିଥାନ୍ତି ଏବଂ ସେମାନଙ୍କୁ ରାଜନୀତିକ ସଂରକ୍ଷଣ ମଧ୍ୟ ମିଳିଥାଏ ବୋଲି ଅଭିଯୋଗ ହୁଏ । ବିଗତ ବିଜେଡି ସରକାର ଅମଳରେ ଝାରସୁଗୁଡ଼ାରେ ଜଣେ ଡିଏସପି(ପଦୋନ୍ନତିପ୍ରାପ୍ତ ଅଫିସର)ଙ୍କ ନିଯୁକ୍ତି ବଦଳରେ ଜଣେ ଡାଇରେକ୍ଟ ଆଇପିଏସ ଅଫିସରଙ୍କୁ ନିଯୁକ୍ତି ଦେବା ତତକାଳୀନ ପୁଲିସ ଡିଜିଙ୍କୁ ମହଙ୍ଗା ପଡ଼ିଥିଲା । ଏହି କାରଣରୁ ସେହି ସମୟରେ ଗୃହ ବିଭାଗର ଅଘୋଷିତ ମୁଖିଆ ସାଜିଥିବା ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ କୋପଦୃଷ୍ଟିର ଶିକାର ହୋଇ ତତକାଳୀନ ଡିଜିଙ୍କୁ ନାଟକୀୟ ଢଙ୍ଗରେ ମିଛ କେସରେ ଫସାଇ ସବୁଦିନ ପାଇଁ ତାଙ୍କ କ୍ୟାରିୟରରେ ନାଲିଦାଗ ଲଗାଇ ଦିଆଯାଇଥିଲା ବୋଲି ଚର୍ଚ୍ଚା ହୁଏ ।

Advertisment

ଏବେ ବିଜେଡି ସରକାର କ୍ଷମତାରୁ ଯିବାପରେ ଏଭଳି ଅର୍ଗାନାଇଜଡ୍ କ୍ରାଇମ ଓ ମାଫିଆଗିରିରେ ଲିପ୍ତ ଥିବା ପୁଲିସ ଅଫିସରମାନଙ୍କୁ ତୁରନ୍ତ ସୁଧୁରିଯିବା ପାଇଁ ପୁଲିସ ଡିଜି ତାଗିଦ୍ କରିବାକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Odisha DGP