Advertisment

ପତ୍ନୀଙ୍କୁ ନିଶା ଦେଉଥିଲେ, ଅଚେତ ଅବସ୍ଥାରେ ଦୁଷ୍କର୍ମ କରିବାକୁ ଅଜଣା ଲୋକଙ୍କୁ ଡାକୁ ଥିଲେ

ନିଜ ସ୍ତ୍ରୀଙ୍କ ସହ ଜଣେ ନିଷ୍ଠୁର ସ୍ୱାମୀ କରିଥିବା ଜଘନ୍ୟକାଣ୍ଡର ଖବର ସମସ୍ତଙ୍କୁ ବିଚଳିତ କରିଛି।

author-image
Hemant Lenka
France

France

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ନିଜ ସ୍ତ୍ରୀଙ୍କ ସହ ଜଣେ ନିଷ୍ଠୁର ସ୍ୱାମୀ କରିଥିବା ଜଘନ୍ୟକାଣ୍ଡର ଖବର ସମସ୍ତଙ୍କୁ ବିଚଳିତ କରିଛି। ସ୍ୱାମୀ ଜଣଙ୍କ ପତ୍ନୀଙ୍କୁ ନିଶା ଦେଇ ଅଚେତ କରିବା ପରେ ଅଜଣା ଲୋକଙ୍କୁ ଘରକୁ ଡାକୁଥିଲେ।

Advertisment

ଏହାପରେ ସେମାନଙ୍କ ଦ୍ୱାରା ପତ୍ନୀଙ୍କୁ ଦୁଷ୍କର୍ମ କରାଉଥିଲେ। ଦୀର୍ଘ ୧୦ ବର୍ଷ ଧରି ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇ ଚାଲିଥିଲେ। ଏପରି ଏକ ଘଟଣା ଫ୍ରାନ୍ସରେ ଘଟିଥିବା ବେଳେ ସୋମବାର ଠାରୁ କୋର୍ଟରେ ଏହାର ଶୁଣାଣି ଆରମ୍ଭ ହୋଇଛି। ଘଟଣା ସାମ୍ନାକୁ ଆସିବା ପରେ ଶତାଧିକ ମହିଳା ଓ ଯୁବତୀ କଳା ପୋଷାକ ପିନ୍ଧି ତ୍ୱରିତ ନ୍ୟାୟ ପାଇଁ ବିକ୍ଷୋଭ ଆରମ୍ଭ କରିଛନ୍ତି। 

ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ୭୧ ବର୍ଷୀୟ ବ୍ୟକ୍ତି। ସେ ଫ୍ରାନ୍ସ ସରକାରଙ୍କ ମାଲିକାନାରେ ଥିବା ପାୱାର ୟୁଟିଲିଟୀ କମ୍ପାନୀ ଇଡିଏଫର ପୂର୍ବତନ କର୍ମଚାରୀ। ତାଙ୍କ ସହ ଏହି ଜଘନ୍ୟକାଣ୍ଡ ଘଟାଇଥିବା ଆଉ ୫୦ ଜଣ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଶୁଣାଣି ଆରମ୍ଭ ହୋଇଛି।

Advertisment

ପୁଲିସ୍‌ର କହିବା କଥା ଯେ ୭୧ ବର୍ଷୀୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ପତ୍ନୀ ୯୨ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି। ୭୨ ଜଣ ଏପରି କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନଲାଇନ ଦ୍ୱାରା ଏସବୁ କାମ ଚାଲିଥିଲା।

୭୨ ବର୍ଷୀୟ ମହିଳାଙ୍କୁ ୧୦ ବର୍ଷ ଧରି ଦୁଷ୍କର୍ମ କରାଯାଉଥିଲେ ହେଁ ସେ ଏ ସମ୍ପର୍କରେ କିଛି ବି ଜାଣି ପାରୁ ନଥିଲେ। କାରଣ ତାଙ୍କୁ ବିପୁଳ ମାତ୍ରାରେ ନିଶା ଦିଆଯାଉଥିଲା। ୨୬ରୁ ୭୪ ବର୍ଷ ବୟସ୍କ ଲୋକମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ପ୍ରିଜାଇଡିଂ ଜଜ ରୋଜର ଅରାତା ଘୋଷଣା କରିଛନ୍ତି ଯେ ଶୁଶାଣି ବେଳର ତଥ୍ୟ ସାର୍ବଜନୀନ ହେବ। କୋର୍ଟ ମହିଳାଙ୍କ ଉପରେ ମାମଲାର ଗୋପନୀୟତା ଛାଡ଼ିଥିଲେ। ମହିଳା ଜଣଙ୍କ ମଧ୍ୟ ସମସ୍ତଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାକୁ ଯଥା ସମ୍ଭବ ଘଟଣାର ପ୍ରଚାର କରିବାକୁ ରାଜି ହୋଇଛନ୍ତି। ତାଙ୍କ ସହ ଯାହା ସବୁ ଘଟିଛି, ଆଉ କାହା ସହ ଏପରି ନ ଘଟୁ ବୋଲି ସେ ଚାହୁଁଛନ୍ତି।

୧୦ ବର୍ଷୀ ଧରି ମହିଳା ସହ ଘଟିଥିବା ନିର୍ଯାତନା ସମ୍ପର୍କରେ ସେ ପ୍ରଥମଥର ପାଇଁ ସାମ୍ନା କରିବାକୁ ଯାଉଛନ୍ତି। ୧୦ ବର୍ଷ ଧରି ତାଙ୍କ ସହ ଏତେ ସବୁ ଘଟି ଯାଇଥିଲେ ହେଁ ସେ କେବଳ ୨୦୨୦ରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ।

ମହିଳା ଜଣଙ୍କ ନିଜର ୩ ପିଲାଙ୍କ ସହ ସୋମବାର କୋର୍ଟ ରୁମକୁ ଆସିଥିଲେ। ସେ ରୁଦ୍ଧଦ୍ୱାର ବିଚାର ପାଇଁ ମନା କରିଛନ୍ତି। କାରଣ ତାଙ୍କ ସହ ଘଟାଇଥିବା ଜଘନ୍ୟକାଣ୍ଡର ଅଭିଯୁକ୍ତମାନଙ୍କ ଅସଲ ଚେହେରାକୁ ସେ ପର୍ଦ୍ଦାଫାସ କରିବାକୁ ଚାହୁଁଛନ୍ତି।

୨୦୨୦ ମସିହାରେ ପୁଲିସ୍‌ ଅଭିଯୁକ୍ତି ଡୋମିନିକ୍ୟୁ ପିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ସେ ଗୋଟିଏ ଶପିଂ ମଲ୍‌ରେ ୩ ଜଣ ମହିଳାଙ୍କ ସ୍କଟ ତଳେ ମୋବାଇଲ ରଖି ଗୁପ୍ତ ଭାବେ ଶୁଟିଂ କରୁଥିବା ବେଳେ ସିକ୍ୟୁରିଟୀ ଗାର୍ଡଙ୍କ ହାତରେ ଧରାପଡ଼ିଥିଲେ। ଏହାପରେ ପୁଲିସ୍‌ ଯାଞ୍ଚ ଆରମ୍ଭ କରିଥିଲା।

ଏହି ସମୟରେ ତାଙ୍କ କମ୍ପ୍ୟୁଟରରୁ ପୁଲିସ୍‌ ପତ୍ନୀଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ଠାବ କରିଥିଲା। ସବୁ ଭିଡିଓ ଓ ଫଟୋରେ ଡୋମିନିକ୍ୟୁ ଅଚେତ କିମ୍ବା ଶୋଇଥିବା ଅବସ୍ଥାରେ ରହିଛନ୍ତି। ଅଧିକ ଖୋଳତାଡ଼ କରାଯିବାରୁ ପତ୍ନୀଙ୍କୁ ଡୋମିନିକ୍ୟୁ ମାଜାନ ସ୍ଥିତ ଘରେ ଏକାଧିକ ଲୋକଙ୍କ ଦ୍ୱାରା ପର୍ଯ୍ୟାୟକ୍ରମେ ଦୁଷ୍କର୍ମ କରାଯାଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

coco.fr ନାମକ ଗୋଟିଏ ସାଇଟରୁ ପୁଲିସ୍‌ କିଛି ମେସେଜ ଠାବ କରିଥିଲା। ଏଥିରେ ଅଜଣା ଲୋକଙ୍କୁ ଡୋମିନିକ୍ୟୁ ଘରକୁ ଡାକୁଥିଲେ ଓ ସେମାନଙ୍କୁ ପତ୍ନୀଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ କହୁଥିଲେ। ସେମାନେ ମଧ୍ୟ ଡୋମିନିକ୍ୟୁ କଥାରେ ତାଙ୍କ ଘରକୁ ଆସି ଅଚେତ ଅବସ୍ଥାରେ ଥିବା ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ।

ତଦନ୍ତ ବେଳେ ଡୋମିନିକ୍ୟୁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ଶକ୍ତିଶାଳୀ ନିଶା ଦେଉଥିଲେ। ପୂରା ଘଟଣା ୨୦୧୧ରୁ ଆରମ୍ଭ ହୋଇଥିଲା। ପ୍ରଥମେ ଦମ୍ପତି ପ୍ୟାରିସରେ ରହୁଥିଲେ। ଏହାପରେ ୨ ବର୍ଷ ପରେ ମାଜାନକୁ ଚାଲି ଯାଇଥିଲେ। ତେବେ ପ୍ୟାରିସ ଭଳି ସେଠାରେ ମଧ୍ୟ ଡୋମିନିକ୍ୟୁ ଜଘନ୍ୟକାଣ୍ଡ ଜାରି ରହିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡୋମିନିକ୍ୟୁ ପତ୍ନୀଙ୍କୁ ବାହାର ଲୋକଙ୍କୁ ଡାକି ଦୁଷ୍କର୍ମ କରାଉଥିଲେ ହେଁ କୌଣସି ପ୍ରକାରର ଟଙ୍କା ନେଉ ନଥିଲେ। ତାଙ୍କ ଘରକୁ ଆସି ଦୁଷ୍କର୍ମ କରିଥିବା ଲୋକଙ୍କ ମଧ୍ୟରେ ଜଣେ ଫାୟାର ବ୍ରିଗେଡ ଅଫିସର, କମ୍ପାନୀ ମାଲିକ ଓ ସାମ୍ବାଦିକ ମଧ୍ୟ ରହିଛନ୍ତି।

ବିବାହିତ, ଅବିବାହିତଙ୍କ ଠାରୁ ଆରମ୍ଭ କରି ପରିବାର ରହିଥିବା ଲୋକମାନେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି। କିଛି ଲୋକ ଥରେ ଲେଖାଏ ଆସିଥିବା ବେଳେ ଆଉ କିଛି ସର୍ବାଧିକ ୬ ଥର ମଧ୍ୟ ଡୋମିନିକ୍ୟୁଙ୍କ ଘରକୁ ଆସିଥିଲେ।

France Crime Stop Rape