Advertisment

ଚୋରି ସନ୍ଦେହରେ ପିଟିପିଟି ମାରିଦେଲେ

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ନାନକ ସିଂହ, ଗୁରନାମ ସିଂହ, ଜଗତର ସିଂହ, ସିରା ସିଂହ, ଧର୍ମପାଲ ଓ କାକୁ ନାମକ ୬ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା କରିଛି।

Punjab

Punjab

Advertisment

ପଞ୍ଜାବର ମୋଗା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଚୋରି ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଗୋଟିଏ ଗୁରୁଦ୍ୱାରରୁ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ କିଛି ଲୋକ ତାଙ୍କୁ ତାଲିବାନୀ ଷ୍ଟାଇଲରେ ଗୁରୁଦ୍ୱାର ଭିତରେ ହିଁ ପିଟିପିଟି ମାରି ଦେଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ କରମ ସିଂହ। ଘଟଣାଟି ୧୦ ଦିନ ତଳେ ଘଟିଥିବା ବେଳେ ଏବେ ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ହିଁ ପୁଲିସ୍‌ ‌ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି।

କରମ ସିଂହଙ୍କ ଘର ଗୁରୁସର ମାଡି ଗାଁରେ। ତାଙ୍କ ହତ୍ୟା କରିବା ଅଭିଯୋଗରେ ପୁଲିସ୍‌ ୬ ଜଣଙ୍କ ନାଁରେ ମାମଲା କରିଛି। ଭିଡିଓକୁ ଆଧାର କରି ପୁଲିସ୍‌ ଏପରି ପଦକ୍ଷେପ ନେଇଛି। ପରିବାର ଲୋକ ହିଁ ପ୍ରଥମେ ଭିଡିଓ ଦେଖିବା ପରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୁଲିସ୍‌ ମାମଲା ରୁଜୁ କରିଛି।

Advertisment

ପୁଲିସ୍‌ କହିଛି କରମ ସିଂହଙ୍କୁ ଗୁରୁତର ଅବସ୍ଥାରେ ଅକ୍ଟୋବର ୧୬ରେ ଗାଁର କିଛି ଲୋକ ମୋଗା ସ୍ଥିତ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗାଁରେ ଥିବା ଗୋଟିଏ ଗୁରୁଦ୍ୱାରରୁ ଚୋରି କରି କରମ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିବା, ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କରମଙ୍କ ମୃତ୍ୟୁ ଘଟିଥିଲା।

ଅକ୍ଟୋବର ୧୭ରେ କରମଙ୍କ ପରିବାର ଲୋକ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ। ଗାଁ ପଞ୍ଚାୟତ ଓ ସ୍ଥାନୀୟ ଲୋକଙ୍କ ଚାପ ଯୋଗୁ ପରିବାର ଲୋକ କାହାକୁ କିଛି ନ ଜଣାଇ ଅନ୍ତିମ ସଂସ୍କାର କରି ଦେଇଥିଲେ।

ତେବେ କରମଙ୍କ ମୃତ୍ୟୁର ସପ୍ତାହକ ପରେ ପରିବାର ଲୋକ ଗୋଟିଏ ଭିଡିଓ ଦେଖିବାକୁ ପାଇଥିଲେ। ଏହି ଭିଡିଓରେ କିଛି ଲୋକ କରମ ସିଂହଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ପିଟୁଥିବା ଦେଖିବାକୁ ମିଳିଥିଲା। କରମ ସିଂହଙ୍କ ହାତ ଓ ଗୋଡ଼ ବନ୍ଧା ହୋଇଥିବା ବେଳେ ତାଙ୍କୁ ଗୁରୁଦ୍ୱାର ଭିତରେ ଲୋକମାନେ ତାଙ୍କୁ କାଠ ଫାଳିଆରେ ପିଟୁଥିବା ଦୃଶ୍ୟ ଦେଖି ପରିବାର ଲୋକ ପୂରା ସ୍ତବ୍ଧ ହୋଇ ଯାଇଥିଲେ।

ତୁରନ୍ତ ପରିବାର ଲୋକ ଭିଡିଓକୁ ଧରି ପୁଲିସ ନିକଟରେ ପହଞ୍ଚିଥିଲେ ଓ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ନାନକ ସିଂହ, ଗୁରନାମ ସିଂହ, ଜଗତର ସିଂହ, ସିରା ସିଂହ, ଧର୍ମପାଲ ଓ କାକୁ ନାମକ ୬ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା କରିଛି। ସେହିପରି ଆଉ ୧୬ ଜଣଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe