Advertisment

ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ: ବାପା ଓ ଖୁଡ଼ିଙ୍କ ସମେତ ୪ ଜଣଙ୍କୁ କଟୁରୀରେ ହାଣିଲା

ଅଭିଯୁକ୍ତ ସବୁ ବେଳେ ନିଶାରେ ରହେ। ନିଶାନିବାରଣ କେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିବା ପରେ ପୁଣି ନିଶା ପ୍ରେମରେ ପଡ଼ିଯାଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Suresh

Suresh

ନିଶାସକ୍ତ ଯୁବକର ଉନ୍ମତକାଣ୍ଡ। ବାପା ଓ ଖୁଡ଼ିଙ୍କ ସହିତ ଗାଁର ଆଉ ଦୁଇ ଜଣ ଲୋକଙ୍କୁ କଟୁରୀରେ ହାଣିବା ପରେ ଫେରାର ହୋଇଯାଇଛି। ଗାଁ ଯୁବକଙ୍କ ସହାୟତାରେ ପୁଲିସ୍ ତାକୁ ଖୋଜାଖୋଜି କରୁଛି। ଆଜି ସନ୍ଧ୍ୟାରେ ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତର ଗୁଆଳିଡ଼ିହ ଗାଁରେ।

Advertisment

ଅଭିଯୁକ୍ତର ନାଁ ସୁରେଶ ମହାନ୍ତି। ସେ ସବୁ ବେଳେ ନିଶା ସେବନ କରେ ବୋଲି ଗାଁ ଲୋକେ କହିଛନ୍ତି। ଏମିତି କି ପୂର୍ବରୁ ତିନି/ଚାରି ଥର ସେ ମାରଣାସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଛି। ତାକୁ ନିଶାନିବାରଣ କେନ୍ଦ୍ରରେ ବି ରଖାଯାଇଥିଲା। କିନ୍ତୁ ସେଠାରୁ ଫେରିବା ପରେ ସେ ପୁଣି ନିଶା ସେବନ କରୁଛି। ନିଶା ସେବନ କରି ସେ ତାଙ୍କ ବାପାମା’ଙ୍କୁ ଗାଳିଗୁଲଜ କରେ।

ଆଜି ସନ୍ଧ୍ୟାରେ ସୁରେଶ ପ୍ରଥମେ ପୋଖରୀ କୂଳରେ ତାଙ୍କ ଖୁଡ଼ିକୁ ଆକ୍ରମଣ କରିଥିଲା। ଦୁଇ ହାତରେ ଦୁଇଟି କଟୁରୀ ଧରି ସେ ତାଙ୍କ ଖୁଡ଼ି ସୁକାନ୍ତି ମହାନ୍ତିଙ୍କୁ ଆକ୍ରମଣ କରିଥିଲା। ସେ ସୁକାନ୍ତିଙ୍କ ଡାହାଣ ହାତ ହାଣି ଦେଇଛି। ସେଠାରୁ ଫେରି ବାଟରେ ଗାଁର ଆଉ ଦୁଇ ଜଣ ମହିଳା- ରଞ୍ଜୁଲତା ବିଶ୍ୱାଳ ଓ ପ୍ରମିଳ ବିଶ୍ୱାଳଙ୍କୁ କଟୁରୀରେ ହାଣି ଦେଇଥିଲା। ଶେଷରେ ସେ ତା’ ବାପା ଶରତ ଚନ୍ଦ୍ର ମହାନ୍ତିଙ୍କୁ ହାଣିଥିଲା। ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଅଭିଯୁକ୍ତ ସୁରେଶଙ୍କ କକା ମଧୁସୂଦନ ମହାନ୍ତି କହିଛନ୍ତି, ତା’ (ସୁରେଶ) ସହିତ କାହାର କିଛି ଶତ୍ରୁତା ନାହିଁ। ନିଶା ଖାଇ ସେମିତି ହେଉଛି। ପୂର୍ବରୁ ବି ଏମିତି ଆକ୍ରମଣ କରିଛି। ଥରେ ମୋତେ, ମୋ ସ୍ତ୍ରୀ ଓ ଝିଅକୁ ଆକ୍ରମଣ କରିଥିଲା।

ଖବର ଲେଖାଯିବା ବେଳକୁ ଅଭିଯୁକ୍ତ ଧରାପଡ଼ି ନଥିବା ବେଳେ ପୁଲିସ୍‌ର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ।

Cuttack Attempt To Murder Murder Attempt Attack