Advertisment

ଭୂତ ଛଡ଼ାଇବା ନାଁରେ ଯୁବକଙ୍କୁ ପିଟିପିଟି ମାରିଦେଲେ ପାଦ୍ରୀ

ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଭୂତ ଛଡ଼ାଇବା ନାଁରେ ପିଟିପିଟି ହତ୍ୟା କରାଯାଇଛି। ଜଣେ ପାଦ୍ରୀ ଓ ତାଙ୍କର ୮ ଜଣ ସହଯୋଗୀ ଏମିତି କାଣ୍ଡ ଘଟାଇଛନ୍ତି।

author-image
Hemant Lenka
man beaten to death

man beaten to death

ଶରୀର ଭିତରେ ଦୁଷ୍ଟ ଆତ୍ମା ପ୍ରବେଶ କରିଛି। ଏହି ଭୂତକୁ ଶରୀରରୁ ଛଡ଼ାଇବାକୁ ପଡ଼ିବ। ଏମିତି କିଛି ଦାବି କରି ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଭୂତ ଛଡ଼ାଇବା ନାଁରେ ପିଟିପିଟି ହତ୍ୟା କରାଯାଇଛି। ଜଣେ ପାଦ୍ରୀ ଓ ତାଙ୍କର ୮ ଜଣ ସହଯୋଗୀ ଏମିତି କାଣ୍ଡ ଘଟାଇଛନ୍ତି। ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଏପରି ଘଟଣା ଘଟିଛି।

Advertisment

ପ୍ରାଣ ହରାଇଥିବା ୩୦ ବର୍ଷୀୟ ଯୁବକ ଜଣଙ୍କ ହେଲେ ସାମ୍ୟୁଏଲ ମାସି। ସେ ଦିନ ମୁଜୁରିଆ ଭାବେ କାମ କରନ୍ତି। କିଛି ଦିନ ହେବ ସେ ଅସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ସେ ବେଳେବେଳେ ଚେତାଶୂନ୍ୟ ମଧ୍ୟ ହୋଇଯାଉଥିଲେ। ତାଙ୍କ ଅବସ୍ଥା ଦେଖି ପରିବାର ଲୋକ ପୂରା ଡରି ଯାଇଥିଲେ। ଘରେ ସାମ୍ୟୁଏଲଙ୍କ ପାଇଁ ପ୍ରାର୍ଥନା ସଭା କରିବାକୁ ପରିବାର ଲୋକ ପାଦ୍ରୀ ଜ୍ୟାକବ ମାସିଙ୍କୁ ଡାକିଥିଲେ।

ପାଦ୍ରୀ ଜଣଙ୍କ ସାମ୍ୟୁଏଲଙ୍କୁ ଦେଖିବା ପରେ ତାଙ୍କ ଦେହରେ ଗୋଟିଏ ଆତ୍ମା ପ୍ରବେଶ କରିଛି ବୋଲି କହିଥିଲେ। ଏଥିସହ ଶରୀରରୁ ଭୂତ ବା ଉକ୍ତ ଆତ୍ମାକୁ ବାହାର କରିବାକୁ ପଡ଼ିବ। ଏଥିପାଇଁ କିଛି ସ୍ୱତନ୍ତ୍ର ପ୍ରାର୍ଥନାର ବ୍ୟବସ୍ଥା କରିବାକୁ ହେବ ବୋଲି ସେ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। 

Advertisment

ପରିବାର ଲୋକ ଭୂତ ଛଡ଼ାଇବାକୁ ରାଜି ହେବାରୁ ପାଦ୍ରୀ ଜ୍ୟାକବ ଓ ତାଙ୍କର ୮ ସହଯୋଗୀ ସ୍ୱତନ୍ତ୍ର ପ୍ରାର୍ଥନା ଆରମ୍ଭ କରିଥିଲେ। ଏହି ସମୟରେ ସେମାନେ ସାମ୍ୟୁଏଲଙ୍କ ଶରୀରରୁ ଭୂତକୁ ବାହାର କରିବା ନାଁରେ ତାଙ୍କୁ ପ୍ରବଳ ପିଟିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଘଟଣା ସ୍ଥଳରେ ସାମ୍ୟୁଏଲଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକ ଖଟ ଉପରେ ସାମ୍ୟୁଏଲ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଘଟଣା ପରେ ପରିବାର ଲୋକ ସାମ୍ୟୁଏଲଙ୍କ ଶବକୁ କବରଖାନା ନେଇ ଅନ୍ତିମ ସଂସ୍କାର କରିଦେଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ପାଦ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ପାଇବା ପରେ ଡେପୁଟି ମାଜିଷ୍ଟ୍ରେଟ ଇନ୍ଦରଜିତ କୌରଙ୍କ ନେତୃତ୍ୱରେ ଗୋଟିଏ ପୁଲିସ୍‌ ଟିମ କବରଖାନାରେ ପହଞ୍ଚିଥିଲେ। ସେମାନେ ମାଟି ତଳେ ପୋତା ଯାଇଥିବା ସାମ୍ୟୁଏଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାହାର କରି ଆଣିଛନ୍ତି। ଏଥିସହ ଜ୍ୟାକବ, ବଲଜୀତି ସିଂହ ସୋନୁ ଓ ଅନ୍ୟମାନଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରିଛି।

Punjab Beaten To Death