Advertisment

ତନ୍ତ୍ର ପାଇଁ ବାବା ସାଜିଲେ ହତ୍ୟାକାରୀ, ନେଲେ ବାବାଙ୍କ ଜୀବନ!

ବିଷ୍ଣୁ ବାବା ମଧ୍ୟ ଅର୍ଜୁନ ବାବାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ। ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ। ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ଆହତ ବାବା ଦୟାନିଧିଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବିଷ୍ଣୁ ଦାଶଙ୍କୁ ପୁଲିସ ଅଟକ ରଖିଛି।

Advertisment

ଅର୍ଜୁନ ବାବା ଆଶ୍ରମରେ ଶୋଇଥିଲେ। ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ପାହାର ପକାଇଥିଲେ। ଅର୍ଜୁନ ବାବା ଜୋରରେ ଚିତ୍କାର କରିଥିଲେ। ହେଲେ ଆଶ୍ରମରେ କୀର୍ତ୍ତନ ଚାଲିଥିବାରୁ ଅର୍ଜୁନ ବାବାଙ୍କ ଚିତ୍କାର କାହାକୁ କିଛି ଶୁଭିନଥିଲା। ପରେ ଅର୍ଜୁନଙ୍କୁ ବିଷ୍ଣୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ।

ଅର୍ଜୁନଙ୍କୁ ହତ୍ୟା କରିବା ପରେ ବିଷ୍ଣୁ ଆଶ୍ରମ ଉପର ମହଲାରୁ ତଳକୁ ଆସୁଥିଲେ। ଏହି ସମୟରେ ଦୟାନିଧି ବାବାଙ୍କ ସହ ତାଙ୍କର ଭେଟ ହୋଇଥିଲା। ତୁମ ମୁହଁରେ ରକ୍ତ କେଉଁଠୁ ଲାଗିଲା ବୋଲି ବିଷ୍ଣୁଙ୍କୁ ଦୟାନିଧି ପ୍ରଶ୍ନ କରିଥିଲେ। ବିଷ୍ଣୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ। ଏକ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଆଶ୍ରମରେ ଥିବା ଅନ୍ୟବାବାମାନେ ଦୟାନିଧିଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ପଠାଇବା ସହ ପୁଲିସକୁ ଖବର ଦେଇଥିଲା। ପୁଲିସ ପହଞ୍ଚି ବିଷ୍ଣୁ ବାବାଙ୍କୁ ଶୌଚାଳୟରୁ କାବୁ କରିଥିଲେ।

Advertisment

ବିଷ୍ଣୁ ବାବା ତିନିମାସ ହେବ ଏହି ଆଶ୍ରମରେ ରହି ଆସୁଥିଲେ। ଅର୍ଜୁନ ବାବା ତିନି ବର୍ଷ ହେବ ଏହି ଆଶ୍ରମରେ ରହୁଥିଲେ। ତନ୍ତ୍ର ସାଧନା ନେଇ ଉଭୟ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡର ବ୍ୟବହୃତ କାଠଗଣ୍ଡି ଓ ଏକ ବ୍ଲେଟ୍‌ ଜବତ କରିଛି। ଏହାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।

ବିଷ୍ଣୁ ବାବା ମଧ୍ୟ ଅର୍ଜୁନ ବାବାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ତନ୍ତ୍ର ପାଇଁ ସେ ତାଙ୍କୁ ହତ୍ୟା କରିଥିବା କହିଛନ୍ତି।

Odisha Police Puri Murder