Advertisment

ଜି-୨୦ ସମ୍ମିଳନୀ ବେଳେ ହତ୍ୟାକାଣ୍ଡ: ପୁଅକୁ ବଞ୍ଚାଇବାକୁ ଯାଇଥିବା ବାପାଙ୍କୁ ପିଟିପିଟି ମାରିଦେଲେ

ଗୋଟିଏ ପଟେ ବିଶ୍ୱ ସ୍ତରୀୟ ନେତାମାନେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ କରୁଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ।

author-image
Hemant Lenka
Delhi

Delhi

ଅଭେଦ୍ୟ ସୁରକ୍ଷା ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀ। ପକ୍ଷୀ ବି ପର ମାରିବା ଏଠାରେ କଷ୍ଟକର। ଚାରିଆଡ଼େ ମାଳମାଳ ସୁରକ୍ଷାକର୍ମୀ। କାରଣ ଦିଲ୍ଲୀରେ ଆଜି ଠାରୁ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ।

Advertisment

ଗୋଟିଏ ପଟେ ବିଶ୍ୱ ସ୍ତରୀୟ ନେତାମାନେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ କରୁଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ। ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ କିଛି ଯୁବକ ଅତ୍ୟନ୍ତ ନିର୍ମମ ଭାବେ ଇଟିରେ ପିଟିପିଟି ହତ୍ୟା କରିଛନ୍ତି।

ବ୍ୟକ୍ତିଙ୍କ ପୁଅଙ୍କୁ କିଛି ଯୁବକ ମିଳିତ ଭାବେ ମାଡ଼ ମାରୁଥିଲେ। ପୁଅକୁ ରକ୍ଷା କରିବାକୁ ଯାଇ ବ୍ୟକ୍ତି ଜଣଙ୍କ ଆଖି ବୁଜିଛନ୍ତି। ଦିଲ୍ଲୀର ଓଖଲା ଫେଜ ୨ ସ୍ଥିତ ସଞ୍ଜୟ କଲୋନୀ ଅଞ୍ଚଳରେ ପୂରା ଘଟଣା ଘଟିଛି।

Advertisment

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୩୮ ବର୍ଷୀୟ ମହମ୍ମଦ ହନିଫ। ସେ କୁଲି ଭାବେ କାମ କରନ୍ତି। ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ହନିଫଙ୍କ ୧୪ ବର୍ଷୀୟ ପୁଅ ରାସ୍ତାରେ ରଖାଯାଇଥିବା ଗାଡ଼ିକୁ ଘରକୁ ନେବା ପାଇଁ ଆସିଥିଲେ।

ଏତିକି ବେଳେ ତାଙ୍କ ଗାଡ଼ି ଉପରେ ୪ରୁ ୫ ଜଣ ଯୁବକ ବସିଥିବା ସେ ଦେଖିଥିଲେ। ତୁରନ୍ତ ନାବାଳକ ଜଣଙ୍କ ସମସ୍ତଙ୍କୁ ହଟିବାକୁ କହିଥିଲେ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ। ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ। ଏହି ଯୁକ୍ତିତର୍କ ହାତାହାତି ସ୍ଥିତିକୁ ଚାଲି ଯାଇଥିଲା।

ବାହାରେ ପାଟି ଶୁଣି ହନିଫ ଦୌଡ଼ି ଆସିଥିଲେ। ଏହି ସମୟରେ ତାଙ୍କ ପୁଅଙ୍କୁ କିଛି ଯୁବକ ମାଡ଼ ମାରୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ସେମାନଙ୍କ କବଳରୁ ପୁଅକୁ ଉଦ୍ଧାର କରିବାକୁ ଚାହିଁଥିଲେ। ଏତିକି ବେଳେ ଆକ୍ରମଣକାରୀମାନେ ତାଙ୍କୁ ଇଟାରେ ଆକ୍ରମଣ କରିଥିଲେ।

ସେ ତଳେ ପଡ଼ି ଯାଇଥିଲେ ମଧ୍ୟ ଆକ୍ରମଣକାରୀମାନେ ହନିଫଙ୍କୁ ଇଟାରେ ପିଟି ଚାଲିଥିଲେ। ଫୋନ ପାଇ ପୁଲିସ୍‌ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ହନିଫଙ୍କୁ ଏମ୍ସରେ ଭର୍ତ୍ତି ମଧ୍ୟ କରିଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିଲେ ହେଁ ଅଭିଯୁକ୍ତମାନଙ୍କୁ ଧରିବାକୁ ସକ୍ଷମ ହୋଇନାହିଁ।

Murder Delhi G20 Summit