Advertisment

ସ୍କୁଲ ପିଲାଙ୍କ ଆଗରେ ଜଣଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ୨ ଯୁବକ, ଭିଡିଓ ଭାଇରାଲ

୨ ଜଣ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆସୁଛନ୍ତି। ଆଗରେ ପ୍ରାଣ ବିକଳରେ ଦୌଡ଼ୁଥିବା ବ୍ୟକ୍ତି ଜଣଙ୍କ କିଛି ବାଟ ଚାଲିବା ପରେ ଗୋଟିଏ ଘର ଆଗରେ ତଳେ ପଡ଼ି ଯାଇଥିଲେ।

author-image
Hemant Lenka
CCTV

CCTV

କ୍ୟାମେରାରେ ଧରାପଡ଼ିଛି ଦୁଇ ଯୁବକଙ୍କ ଭୟଙ୍କର କାଣ୍ଡ। ସ୍କୁଲ ପିଲାମାନଙ୍କ ଆଗରେ ୨ ଜଣ ଯୁବକ ଜଣେ ବ୍ୟକ୍ତିଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ପଥର, ଟାଇଲ୍ସ ଓ ଛୁରୀରେ ସେମାନେ ଆକ୍ରମଣ କରୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଦେଶର ରାଜଧାନୀ ଦିଲ୍ଲୀର ଆଦର୍ଶ ନଗରରେ ଏପରି ଭୟଙ୍କର କାଣ୍ଡ ସମସ୍ତଙ୍କୁ ବିଚଳିତ କରିଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ୨ ଜଣ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆସୁଛନ୍ତି। ଆଗରେ ପ୍ରାଣ ବିକଳରେ ଦୌଡ଼ୁଥିବା ବ୍ୟକ୍ତି ଜଣଙ୍କ କିଛି ବାଟ ଚାଲିବା ପରେ ଗୋଟିଏ ଘର ଆଗରେ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ତାଙ୍କ ପିଛା କରୁଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଭୟଙ୍କର ଢଙ୍ଗରେ ବିଧା ଓ ଗୋଇଠା ମାରିବାକୁ ଲାଗିଥିଲେ।

ଏହି ସମୟରେ ଆଉ ଜଣେ ଯୁବକ ଛୁରୀରେ ତଳେ ପଡ଼ିଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ପ୍ରଥମ ଯୁବକ ଜଣଙ୍କ ଅଟକାଇ ଦେଇଥିଲେ। ଏହାପରେ ଉଭୟ ମିଳିତ ଭାବେ ତଳେ ପଡ଼ିଥିବା ବ୍ୟକ୍ତିଙ୍କୁ ପଥର ଓ ଟାଇଲ୍ସରେ ପିଟିବାକୁ ଲାଗିଥିଲେ।

Advertisment

ଗୋଟିଏ ସ୍କୁଲ ନିକଟରେ ଏହି ଘଟଣା ଘଟିଛି। ଘଟଣା ବେଳେ ସ୍କୁଲ ଛୁଟି ହେଉଥିଲା। ତେଣୁ ବିଚ ରାସ୍ତାରେ ଏପରି ଘଟଣାକୁ ସ୍କୁଲର ପିଲାମାନେ ଦେଖି ପୂରା ସ୍ତବ୍ଧ ହୋଇଯାଇଛନ୍ତି। ସେହିପରି ଘଟଣା ବେଳେ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ କେହି ବି ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ।

ବେଶ କିଛି ସମୟ ଧରି ଦୁଇ ଯୁବକ ତଳେ ପଡ଼ିଥିବା ବ୍ୟକ୍ତିଙ୍କୁ ପିଟିବା ପରେ ସେଠାରୁ ଚାଲି ଯାଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି।

ଦିଲ୍ଲୀ ପୁଲିସ୍‌ କହିଛି ଯେ ଏନେଇ କିଛି ବି ଅଭିଯୋଗ ହୋଇନି। ତଥାପି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରାଯାଇଛି। ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ।

Delhi Cctv Police CCTV Footage