Advertisment

୧୦୦ ଟଙ୍କା ପାଇଁ ଗର୍ଭବତୀ ପତ୍ନୀଙ୍କୁ ମାରିଦେଲା, ମା’ ବି ଆହତ

ମଦ ପିଇବାକୁ ପତ୍ନୀ ୧୦୦ ଟଙ୍କା ନ ଦେବାରୁ ତାଙ୍କ ଜୀବନ ନେଇ ଯାଇଛି ସ୍ୱାମୀ। ଘଟଣା ବେଳେ ୮ ମାସର ଗର୍ଭବତୀ ଥିଲେ ପତ୍ନୀ।

author-image
Hemant Lenka
crime

crime

ମଦ୍ୟପ ସ୍ୱାମୀର ଭୟଙ୍କର କାଣ୍ଡ। ମଦ ପିଇବାକୁ ପତ୍ନୀ ୧୦୦ ଟଙ୍କା ନ ଦେବାରୁ ତାଙ୍କ ଜୀବନ ନେଇ ଯାଇଛି ସ୍ୱାମୀ। ଘଟଣା ବେଳେ ୮ ମାସର ଗର୍ଭବତୀ ଥିଲେ ପତ୍ନୀ। ଘରକୁ ନୂଆ ଅତିଥୀ ଖୁବଶୀଘ୍ର ଆସି ଥାଆନ୍ତେ। ହେଲେ ମଦ ଆଗରେ ଗର୍ଭବତୀ ପତ୍ନୀଙ୍କ ଜୀବନ ମଧ୍ୟ ତୁଚ୍ଛ ହୋଇଯାଇଛି।

Advertisment

ତାଙ୍କୁ ସେ ଠେଙ୍ଗାରେ ପିଟିବା ସହ ୭ଥର ଛୁରୀ ଭୁଷି ମାରି ଦେଇଛି। ବୋହୂଙ୍କୁ ବଞ୍ଚାଇବାକୁ ଶାଶୁ ଭରପୂର ପ୍ରୟାସ କରିବା ବେଳେ ମଦୁଆ ପୁଅର ଆକ୍ରମଣରେ ସେ ବି ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ ଅଙ୍କୁର ନାମକ ପତ୍ନୀ ହନ୍ତା ସ୍ୱାମୀକୁ ଗିରଫ କରିଛି।

ଗିରଫ ପରେ ଅଙ୍କୁର ନିଜର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଏହାପରେ ଗୁଡାମ୍ବା ପୁଲିସ୍‌ ତା’କୁ ଜେଲ ହାଜତକୁ ପଠାଇ ଦେଇଛି। ଜେରା ବେଳେ ଅଭିଯୁକ୍ତ ଅଙ୍କୁର ସ୍ୱୀକାର କରିଛି ଯେ ସେ ତା’ର ପତ୍ନୀ ନୀଲମଙ୍କୁ ମଦ ପିଇବାକୁ ୧୦୦ ଟଙ୍କା ମାଗିଥିଲା। ହେଲେ ମଦ ପିଇବାକୁ ଟଙ୍କା ନାହିଁ ବୋଲି ନୀଲମ କହିବା ପରେ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା।

Advertisment

ଯୁକ୍ତିତର୍କ ବେଳେ ଘରେ ଥିବା ଗୋଟିଏ ଠେଙ୍ଗାରେ ଅଙ୍କୁର ପତ୍ନୀ ନୀଲମଙ୍କୁ ଆକ୍ରମଣ କରିଥିଲା। ଏଥିରୁ ଭର୍ତ୍ତିବା ପାଇଁ ନୀଲମ ଘର ଚାଲି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଘରର ଦ୍ୱାର ମୁହଁରେ ଅଙ୍କୁର ତାଙ୍କୁ ଧରିବା ସହ ବାରମ୍ବାର ଛୁରୀ ଭୁଷି ଚାଲିଥିଲା। ନୀଲମଙ୍କ ଚିତ୍କାର ଶୁଣି ଆଉ ଏକ ରୁମରେ ଥିବା ତାଙ୍କ ଶାଶୁ ଫୁଲ କୁମାରୀ ଦୌଡ଼ି ଆସିଥିଲେ। ହେଲେ ମଦୁଆ ପୁଅ ମା’ଙ୍କୁ ବି ଛାଡ଼ି ନଥିଲା।

ଧାରୁଆ ଅସ୍ତ୍ରରେ ଅଙ୍କୁର ନିଜ ମା’ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଛନ୍ତି ଫୁଲ କୁମାରୀ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନୀଲମ ଓ ଫୁଲ କୁମାରୀଙ୍କୁ କେଜିଏମୟୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ନୀଲମଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ କେଜିଏମୟୁରେ ଫୁଲ କୁମାରୀଙ୍କ ଚିକିତ୍ସା ଚାଲିଛି।

ସେହିପରି ଶବ ବ୍ୟବଚ୍ଛେଦ ପରେ ନୀଲମଙ୍କୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେମାନେ ନୀଲମଙ୍କ ଅନ୍ତିମ ସଂସ୍କାର କରିଛନ୍ତି।

ବାରବାଙ୍କୀ ଜିଲ୍ଲା ଫତେପୁରର ମୂଳ ବାସିନ୍ଦା ଅଙ୍କୁର ନିଜର ଭଉଣୀ ଚାନ୍ଦିନୀ, ପତ୍ନୀ ନୀଲମ, ମା’ ଫୁଲ କୁମାରୀ, ଭାଇ ଆକାଶ ଓ ବାପା ଦୀନେଶଙ୍କ ସହ ଦସାଉଲି ଗାଁରେ ଘର ଭଡ଼ା ନେଇ ରହୁଥିଲା। ରାମ ସିଂହ ନାମକ ଜଣଙ୍କ ଘରେ ଅଙ୍କୁର ଓ ତା’ ପରିବାର ରୁହନ୍ତି।

ରାମ ସିଂହ କହିଛନ୍ତି ବିଶ୍ୱକର୍ମା ପୂଜା ଦିନ ଅର୍ଥାତ ବୁଧବାର ଅପରାହ୍ନ ୫ଟା ବେଳେ ଘରେ ଗୋଟିଏ ଭୋଜି ଚାଲିଥିଲା। ଏହି ସମୟରେ ଅଙ୍କୁର ଗୋଟିଏ ଠେଙ୍ଗାରେ ନୀଲମ ଓ ଫୁଲ କୁମାରୀଙ୍କୁ ଆକ୍ରମଣ କରିଥିଲା। ଏହାପରେ ସେ ଗୋଟିଏ ଧାରୁଆ ଅସ୍ତ୍ରରେ ପତ୍ନୀ ନୀଲମ ଓ ମା’ଙ୍କୁ ହାରି ପକାଇଥିଲା। ଏହା ଦେଖି ଭଉଣୀ ଚାନ୍ଦିନୀ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ।

ଚାନ୍ଦିନୀଙ୍କ ଚିତ୍କାର ଶୁଣି ଗାଁ ଲୋକ ଭିଡ଼ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ପ୍ରଥମେ ଅଙ୍କୁରକୁ କାବୁ କରି ତା’ ହାତରେ ଥିବା ଧାରୁଆ ଅସ୍ତ୍ରକୁ ଛଡ଼ାଇ ଆଣିଥିଲେ। ଏହାପରେ ପୁଲିସ୍‌କୁ ଖବର ଦିଆଯିବା ସହ ନୀଲମ ଓ ଫୁଲ କୁମାରୀଙ୍କୁ ହସ୍ପିଟାଲ ପଠାଯାଇଥିଲା ବୋଲି ରାମ ସିଂହ କହିଛନ୍ତି।

Uttar Pradesh Crime Police