/odisha-reporter/media/post_attachments/uploadimage/library/16_9/16_9_0/AP_1750671264.jpg)
AP
ମେ’ ୧୮ରେ ବେଶ ହସଖୁସିରେ ବାହା ହୋଇଥିଲେ। ବାହାଘରକୁ ଜୁନ ୧୮ରେ ମାସେ ପୂରି ଥାଆନ୍ତା। ବାହାଘର ବେଳେ ସମସ୍ତେ ବେଶ ଖୁସି ଥିଲେ। କିନ୍ତୁ ବାହାଘରର ମାସ ପୂର୍ତ୍ତିର ଦିନକ ପୂର୍ବରୁ ହଠାତ ଘଟିଲା ଅଘଟଣ। ହସ ଖୁସିରେ ବାହା ହୋଇଥିବା ବ୍ୟକ୍ତି ଜଣଙ୍କ ଜୁନ ୧୭ରେ ନିଖୋଜ ହୋଇ ଯାଇଥିଲେ।
ତାଙ୍କୁ ପରିବାର ଲୋକ ଓ ପୁଲିସ୍ ବିଭିନ୍ନ ସ୍ଥାନରେ ଖୋଜି ଥିଲେ। ହେଲେ କିଛି ବି ସୁଫଳ ମିଳି ନଥିଲା। ତାଙ୍କର ନବ ବିବାହିତା ପତ୍ନୀ ମଧ୍ୟ ରାହା ଧରି କାନ୍ଦୁ ଥିଲେ। ଏସବୁ ଭିତରେ ପୁଲିସ୍ ତଦନ୍ତ ଜାରି ରଖିଥିଲା। ଏବେ ସ୍ଥାନୀୟ ଅଞ୍ଚଳର ଗୋଟିଏ କେନାଲରୁ ମାସକ ତଳେ ବାହା ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ମିଳିଛି।
ମୃତଦେହ ମିଳିବା ପରେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଚର୍ଚ୍ଚାକୁ ଆସିଛି ପତ୍ନୀଙ୍କ ପରକୀୟା ପ୍ରୀତି। ଏଥିପାଇଁ ପୁଲିସ୍ ମୃତଦେହ ମିଳିଥିବା ବ୍ୟକ୍ତିଙ୍କ ପତ୍ନୀ ଓ ତାଙ୍କ ମା’ଙ୍କୁ ଅଟକ ରଖି ଜେରା ଆରମ୍ଭ କରିଛି। ଆନ୍ଧ୍ର ପ୍ରଦେଶର କର୍ଣ୍ଣନୁଲ ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ଏହା ରାଜା ରଘୁବଂଶୀଙ୍କ ଭୟଙ୍କର ହନିମୁନ ମର୍ଡର ସ୍ମୃତିକୁ ତାଜା କରିଛି। ମଧ୍ୟପ୍ରଦେଶର ରାଜାଙ୍କୁ ତାଙ୍କ ପତ୍ନୀ ସୋନମ ହନିମୁନ ପାଇଁ ମେଘାଳୟ ନେବା ସହ ସେଠାରେ ନିଜର ପ୍ରେମିକ ଓ ୩ ଜଣ ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରିଥିଲେ।
ଏବେ ଆନ୍ଧ୍ରରେ ୩୨ ବର୍ଷୀୟ ତେଜେସ୍ୱରଙ୍କ ମୃତଦେହ ମିଳିବା ପରେ ତାଙ୍କ ପତ୍ନୀ ଆଇନ ଜାଲରେ ଛନ୍ଦି ହୋଇଯାଇଛନ୍ତି। ମେ’ ୧୮ରେ ବିବାହ କରିଥିବା ତେଜେସ୍ୱର ଜୁନ ୧୭ରେ ହଠାତ୍ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ପୁଲିସ୍ ଗୋଟିଏ କେନାଲରୁ ଜବତ କରିଛି। ସେ ଜଣେ ଘରୋଇ ଜମି ସର୍ଭେକାରୀ ଓ ଜଣେ ଡ୍ୟାନ୍ସ ଶିକ୍ଷକ ଭାବେ କାମ କରୁଥିଲେ।
ତେଜେସ୍ୱରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ପରକୀୟା ପ୍ରୀତି ଚାଲିଥିଲା ଓ ସେ ହିଁ ସ୍ୱାମୀଙ୍କୁ ବେଶ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ଏପରି ଅଭିଯୋଗ ପରେ ପୁଲିସ୍ ଐଶ୍ୱର୍ଯ୍ୟା ଓ ତାଙ୍କ ମା’ ସୁଜାତାଙ୍କୁ ଅଟକ ରଖି ଜେରା ଆରମ୍ଭ କରିଛି। ତଦନ୍ତ ଚାଲିଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଥିଲେ ହେଁ ତେଜେସ୍ୱରଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ସତ କି ମିଛ, ତା’ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ତେଜେସ୍ୱରଙ୍କ ପରିବାର ଲୋକଙ୍କ କହିବା କଥା ଯେ ଐଶ୍ୱର୍ଯ୍ୟାଙ୍କ ମା’ ସୁଜାତା ଗୋଟିଏ ବ୍ୟାଙ୍କରେ କାମ କରନ୍ତି। ବ୍ୟାଙ୍କର ଜଣେ କର୍ମଚାରୀଙ୍କ ସହ ଐଶ୍ୱର୍ଯ୍ୟାଙ୍କ ପ୍ରେମ ସମ୍ପର୍କ ରହିଥିଲା। ସମାନ୍ତରଳ ଭାବେ ସେ ତେଜେସ୍ୱରଙ୍କୁ ମଧ୍ୟ ନିଜର ପ୍ରେମ ଜାଲରେ ଫସାଇଥିଲେ। ତେଜେସ୍ୱର ଓ ଐଶ୍ୱର୍ଯ୍ୟା ପରସ୍ପରକୁ ପ୍ରେମ କରୁଥିବାରୁ ସେମାନଙ୍କ ବାହାଘର କରିବାକୁ ଘର ଲୋକ ରାଜି ହୋଇ ଯାଇଥିଲେ।
ପ୍ରଥମେ ବାହାଘର ଫେବୃଆରୀ ମାସରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ବାହାଘର ପୂର୍ବରୁ ଐଶ୍ୱର୍ଯ୍ୟା ହଠାତ୍ କେଉଁ ଆଡ଼େ ଚାଲି ଯିବାରୁ ଏହା ସ୍ଥଗିତ ହୋଇଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଐଶ୍ୱର୍ଯ୍ୟା ଫେରିଥିଲେ ଓ ତେଜେସ୍ୱରଙ୍କୁ ସେ ବହୁତ ଭଲ ପାଉଥିବା ସମସ୍ତଙ୍କୁ ଜଣାଇଥିଲେ। ଏହାପରେ ମେ’ ୧୮ରେ ବୈଦିକ ପରମ୍ପରା ଅନୁସାରେ ତେଜେସ୍ୱର ଓ ଐଶ୍ୱର୍ଯ୍ୟାଙ୍କ ବିବାହ ଶେଷ ହୋଇଥିଲା।
ବାହାଘର ପରେ ମଧ୍ୟ ଐଶ୍ୱର୍ଯ୍ୟା ତାଙ୍କ ବ୍ୟାଙ୍କ ପ୍ରେମିକଙ୍କୁ ଭୁଲି ପାରି ନଥିଲେ। ଏଥିପାଇଁ ସେ ଓ ତାଙ୍କ ମା’ ମିଳିତ ଭାବେ ତେଜେସ୍ୱରଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ। ବାହାଘରର ଠିକ ମାସ ପୂର୍ତ୍ତି ପୂର୍ବରୁ ସେମାନେ ହତ୍ୟାକାଣ୍ଡକୁ ଚୂଡ଼ାନ୍ତ ରୂପ ଦେଇଥିବା ତେଜେସ୍ୱରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଏବେ ସବୁ ଦିଗରୁ ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
