Advertisment

ପରିବାର ଲେଖି ଫଟୋ ପୋଷ୍ଟ କରିଥିଲେ, କିଛି ଘଣ୍ଟା ପରେ ଛୁରୀ ଭୁଷି ମାରିଦେଲେ ଲିଭଇନ ପାର୍ଟନର

ଫଟୋ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଏମିତି କ’ଣ ହେଲା ଯେ ମହିଳା ଜଣଙ୍କ ତାଙ୍କ ଲିଭଇନ ପାର୍ଟନରଙ୍କୁ ହତ୍ୟା କଲେ, ତା’ର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

author-image
Hemant Lenka
Live In

Live In

ପୁଣିଥରେ ଲିଭଇନ ସମ୍ପର୍କର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ନିଜ ଲିଭଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ମହିଳା। ଉଭୟ ଏକାଠି କୋଲକାତାରେ ରହୁଥିଲେ। କିନ୍ତୁ ଘର ଭିତରେ ହିଁ ମହିଳା ଜଣଙ୍କ ତାଙ୍କ ପାର୍ଟନରଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି।

Advertisment

ହତ୍ୟାର କିଛି ଘଣ୍ଟା ପୂର୍ବରୁ ଯୁବକ ଜଣଙ୍କ ଉକ୍ତ ମହିଳା ଓ ତାଙ୍କ ପୁଅଙ୍କ ସହ ଉଠାଇଥିବା ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ସମସ୍ତେ ଏଥିରେ ହସିବା ସହ ଯୁବକ ଜଣଙ୍କ ଏହାର କ୍ୟାପସନ ଫ୍ୟାମିଲି ବା ପରିବାର ରଖିଥିଲେ।

ହେଲେ ଫଟୋ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଏମିତି କ’ଣ ହେଲା ଯେ ମହିଳା ଜଣଙ୍କ ତାଙ୍କ ଲିଭଇନ ପାର୍ଟନରଙ୍କୁ ହତ୍ୟା କଲେ, ତା’ର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

Advertisment

ଅଭିଯୁକ୍ତ ମହିଳା ଜଣଙ୍କ ହେଲେ ସଂଗୀତା ପଲ୍‌। ସେ ପୂର୍ବରୁ ବିବାହ କରିଥିଲେ। କିନ୍ତୁ ସ୍ୱାମୀଙ୍କ ସହ ଛାଡ଼ ପତ୍ର ଯୋଗୁ ସେ ନିଜ ପୁଅ ସହ ଅଲଗା ରହୁଥିଲେ। ସେ ଜଣେ ମେକଅପ ଲେଡି। ଫଟୋଗ୍ରାଫର ଭାବେ କାମ କରୁଥିବା ସାର୍ଥକ ଦାସଙ୍କ ସହ ସେ ଲିଭଇନରେ ରହୁଥିଲେ।

ସାର୍ଥକଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଉଭୟଙ୍କର ଅନେକ ଫଟୋ ରହିଛି। ସଂଗୀତାଙ୍କ ପୁଅକୁ ମଧ୍ୟ ସାର୍ଥକ ନିଜର ପୁଅ ଭାବେ ଗ୍ରହଣ କରି ନେଇଥିଲା। ତାଙ୍କ ରିଲେଶିପ ଷ୍ଟାଟସ ମଧ୍ୟ ବଦଳି ଯାଇଥିଲା। ସେ ନିଜକୁ ଏନଗେଜଡ ବୋଲି ବାୟୋରେ ଉଲ୍ଲେଖ କରିଛନ୍ତି।

ସାର୍ଥକ ଓ ସଂଗୀତାଙ୍କ ବୟସ ପ୍ରାୟ ସମାନ ହେବ। ସେମାନେ ବେଶ କିଛି ଦିନ ହେବ କୋଲକାତାରେ ଏକାଠି ରହୁଥିଲେ। ସବୁ କିଛି ଠକଠାକ ମଧ୍ୟ ଚାଲିଥିଲା। ହେଲେ ଏହି କିଛି ଦିନ ହେବ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା।

ତଥାପି ବୁଧବାର ସାର୍ଥକ ନିଜର ଲିଭଇନ ପାର୍ଟନର ଓ ତାଙ୍କ ପୁଅ ସହ ହସିହସି ଫଟୋ ଉଠାଇବା ସହ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ଏହାର କିଛି ଘଣ୍ଟା ପରେ ସଂଗୀତା ଗୋଟିଏ ଧାରୁଆ ଛୁରୀରେ ସାର୍ଥକଙ୍କୁ ବାରମ୍ବାର ଆକ୍ରମଣ କରି ହତ୍ୟା କରିଛନ୍ତି। ଛୁରୀ ଭୁଷିବା ପରେ ସେ କେଉଁ ଆଡ଼େ ଫେରାର ହୋଇ ନଥିଲେ। ବରଂ ନିଜର ଅପରାଧ ସମ୍ପର୍କରେ ନିଜେ ହିଁ ପୁଲିସ୍‌କୁ ଖବର ଦେଇଥିଲେ।

ଖବର ପାଇ ସଂଗୀତାଙ୍କ ଡୁମଡୁମ ସ୍ଥିତ ଆପାର୍ଟମେଣ୍ଟରେ ପୁଲିସ ପହଞ୍ଚିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସାର୍ଥକ ତଳେ ପଡ଼ିଥିବା ବେଳେ ସଂଗୀତା ସେହି ଠାରେ ହିଁ ରହିଥିଲେ। ପୁଲିସ୍‌ ତୁରନ୍ତ ସାର୍ଥକଙ୍କୁ ହସ୍ପିଟାଲ ନେଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ସଂଗୀତାଙ୍କୁ ଗିରଫ କରିବା ପରେ ସେ ନିଜର ଅପରାଧକୁ ସ୍ୱୀକାର କରି ନେଇଛନ୍ତି। ତେବେ ପ୍ରକୃତରେ କ’ଣ ପାଇଁ ସଂଗୀତା ଏତେ ବଡ଼ କାଣ୍ଡ ଘଟାଇଲେ, ସେକଥା ଜଣାପଡ଼ିନି।

Crime Live In Relation Live In Partner Kolkata