/odisha-reporter/media/post_attachments/uploadimage/library/16_9/16_9_0/well_1757242676.jpg)
well
କୌଣସି କ୍ରାଇମ ୱେବ ସିରିଜ ଓ ବଲିଉଡ ଫିଲ୍ମ ମଧ୍ୟ ଫିକା ପଡ଼ିଯିବ। ୩ ବିବାହ, ୨ ଭଉଣୀଙ୍କୁ ସ୍ତ୍ରୀ କରିବା ଓ ଶେଷରେ ତୃତୀୟ ପତ୍ନୀ, ସୁପାରୀ କିଲର ଓ ପତ୍ନୀଙ୍କ ପ୍ରେମିକ ହାତରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ପୂରା ଘଟଣାକୁ ଭଲ ଭାବେ ନ ପଢ଼ିଲେ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ୱାଭାବିକ। ଏବେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା।
ଜଣେ ବ୍ୟକ୍ତିଙ୍କ ମୃତଦେହ କୂଅ ଭିତରୁ ମିଳିଥିଲା। ମୃତଦେହ ଅଖା ଭିତରେ ରହିଥିଲା ଓ ଏହା ଉପରେ କମ୍ବଳ ଘୋଡ଼ା ଯାଇଥିଲା। ସେହିପରି ଏହାକୁ ଦଉଡ଼ି ଓ ଶାଢ଼ୀ ଦ୍ୱାରା ବନ୍ଧା ଯାଇଥିଲା। ମଧ୍ୟପ୍ରଦେଶର ଗୋଟିଏ ଗାଁର କୂଅରୁ ମୃତଦେହ ମିଳିବା କ୍ଷଣି ପୂରା ହଇଚଇ ସୃଷ୍ଟି ହୋଇଥିଲା। ଏହା ଗୋଟିଏ ସାଧାରଣ ହତ୍ୟାକାଣ୍ଡ ଭଳି ଲାଗୁଥିଲେ ହେଁ ଏହା ପଛରେ ଥିବା ଧୋକା ଓ ଷଡ଼ଯନ୍ତ୍ର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
ଘଟଣାଟିଚ ଅନୁପୁର ଜିଲ୍ଲାର ସାକାରିଆ ଗାଁର। ମୃତକ ଜଣଙ୍କ ହେଲେ ୬୦ ବର୍ଷୀୟ ଭୟାଲାଲ ରଜାକ। ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଏହି ଅପରାଧ ଭଳି ବେଶ ଦ୍ୱନ୍ଦ୍ୱାତ୍ମକ। ଭୟାଲାଲ ୩ଥର ବିବାହ କରିଥିଲେ। ପ୍ରଥମ ପତ୍ନୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ଦ୍ୱିତୀୟ ପତ୍ନୀ ଗୁଡ୍ଡି ବାଈ ଅନେକ ବର୍ଷ ଧରି ବିବାହ କରିଥିଲେ ହେଁ ତାଙ୍କର କୌଣସି ପିଲା ଛୁଆ ନାହିଁ। ପିଲା ଛୁଆ ନ ହେବାରୁ ଭୟାଲାଲ ଅସନ୍ତୁଷ୍ଟ ହୋଇ ଯାଇଥିଲେ। ଏଥିପାଇଁ ସେ ଗୁଡ୍ଡି ବାଈଙ୍କ ସାନ ଭଉଣୀ ମୁନି ଓରଫ ବିମଳାଙ୍କୁ ତୃତୀୟ ବିବାହ କରିଥିଲେ। ମୁନିଙ୍କୁ ବିବାହ କରିବା ପରେ ଭୟାଲାଲ ୨ ଟି ସନ୍ତାନର ବାପା ହୋଇଥିଲେ।
ହେଲେ ଏହା ପଛରେ ଥିବା ଷଡ଼ଯନ୍ତ୍ର ଅତ୍ୟନ୍ତ ବିପଦଜନକ ଥିଲା। ବାସ୍ତବରେ ମୁନିଙ୍କ ପ୍ରେମ ସମ୍ପର୍କ ସ୍ଥାନୀୟ ଅଞ୍ଚଳରେ ଜମି ବାଡ଼ି ବ୍ୟବସାୟ କରୁଥିବା ନାରାୟଣ ଦାସ କୁଶୱା ଓରଫ ଲାଲୁଙ୍କ ସହ ରହିଥିଲା। ପୁଲିସ୍ର କହିବା କଥା ମୁନି ଓ ଲାଲୁଙ୍କ ଅନୈତିକ ସମ୍ପର୍କ ଏତେ ବଢ଼ି ଯାଇଥିଲା ଯେ ସେମାନେ ଭୟାଲାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଲାଲୁ ଜଣେ ୨୫ ବର୍ଷୀୟ ଶ୍ରମିକ ଧୀରଜ କୋଲଙ୍କୁ ଠିକ କରିଥିଲେ।
ଅଗଷ୍ଟ ୩୦ ତାରିଖ ଦିନ ରାତିରେ ଭୟାଲାଲ ତାଙ୍କ ନିର୍ମାଣଧୀନ ବିଲଡିଂର ବାରଣ୍ଡାରେ ଶୋଇଥିଲେ। ଯୋଜନା ଅନୁସାରେ ମୁନିଙ୍କ ଠାରୁ ଖବର ପାଇ ରାତି ପ୍ରାୟ ୨ଟା ବେଳେ ଲାଲୁ ଓ ଧୀରଜ ସେଠାରେ ପହଞ୍ଚିଥିଲେ। ଭୟାଲାଲ ଶୋଇଥିବା ବେଳେ ତାଙ୍କ ମୁଣ୍ଡକୁ ଉଭୟ ଲୁହା ରଡରେ ପିଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଭୟାଲାଲଙ୍କ ଜୀବନ ଚାଲି ଯାଇଥିଲା।
ଏହାପରେ ମୃତଦେହକୁ ଗୋଟିଏ ଅଖାରେ ଭର୍ତ୍ତି କରାଯାଇଥିଲା। ଏହାକୁ କମ୍ବଳରେ ଗୁଡ଼ା ଯାଇଥିଲା। ଶେଷରେ ଦଉଡ଼ି ଓ ଶାଢ଼ୀ ଦ୍ୱାରା ଏହାକୁ ବାନ୍ଧି ଗାଁର କୂଅରେ ଉଭୟ ଫିଙ୍ଗି ଦେଇଥିଲେ। ସେମାନେ ଭାବିଥିଲେ ଯେ ଏକଥା କେହି ଜାଣିପାରିବେ ନାହିଁ।
କିନ୍ତୁ ଭଗବାନଙ୍କର କିଛି ଅଲଗା ଯୋଜନା ଥିଲା। ଅଗଷ୍ଟ ୩୧ ତାରିଖ ସକାଳେ ଭୟାଲାଲଙ୍କ ଦ୍ୱିତୀୟ ପତ୍ନୀ ଗୁଡ୍ଡି ବାଈ ହିଁ କୂଅରେ କିଛି ଭାସୁଥିବା ଦେଖିବାକୁ ପାଇଥିଲେ। ହେଲେ ସେଇଟା ତାଙ୍କ ସ୍ୱାମୀଙ୍କ ମୃତଦେହ ଥିବା ଜଣାପଡ଼ିବା ପରେ ପୂରା ଗାଁରେ ଆତଙ୍କ ଖେଳି ଯାଇଥିଲା। ପୁଲିସ୍କୁ ଡକା ଯାଇଥିଲା। ପୁଲିସ୍ କୂଅରୁ ପାଣି କାଢ଼ି ଭୟାଲାଲଙ୍କ ମୃତଦେହ ସହ ତାଙ୍କ ମୋବାଇଲକୁ ଜବତ କରିଥିଲା।
ଶବ ବ୍ୟବଚ୍ଛେଦରୁ ଭୟଙ୍କର ମୁଣ୍ଡଜନିତ ଆଘାତ ଯୋଗୁ ଭୟାଲାଲ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ପୁଲିସ୍ ଛାନଭିନ ଆରମ୍ଭ କରିଥିଲେ। ମୃତଦେହ ମିଳିବାର ୩୬ ଘଣ୍ଟା ମଧ୍ୟରେ କୋଟୱାଲି ପୁଲିସ୍ ପୂରା ମାମଲା ଉପରୁ ପରଦା ଉଠାଇବାକୁ ସକ୍ଷମ ହୋଇଛି।
ଏସ୍ପି ମୋତି ଉର ରହମନ କହିଛନ୍ତି, “ଭୟାଲାଲଙ୍କ ମୃତଦେହ କୂଅରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା। ସେ ୩ଟି ବିବାହ କରିଥିଲେ। ତାଙ୍କର ତୃତୀୟ ପତ୍ନୀ ମୁନି ଓରଫ ବିମଳାଙ୍କ ଅନୈତିକ ସମ୍ପର୍କ ନାରାୟଣ ଦାସ କୁଶୱା ଓରଫ ଲାଲୁ ସହ ରହିଥିଲେ। ସେମାନେ ଧୀରଜ କୋଲ ନାମକ ଜଣେ ଶ୍ରମିକଙ୍କ ସହ ମିଶି ଭୟାଲାଲଙ୍କୁ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ କୂଅରେ ଫିଙ୍ଗି ଦେଇଥିଲେ। ଭୟାଲାଲଙ୍କ ମୋବାଇଲ ମଧ୍ୟ କୂଅରୁ ଜବତ ହୋଇଛି।”
ପୁଲିସ୍ ମୁନି, ଲାଲୁ ଓ ଧୀରଜଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
