Advertisment

୮ ବର୍ଷ ତଳେ ବାପାଙ୍କୁ ମାରିଥିଲେ: ଜାତୀୟ ରାଜପଥରେ ପ୍ରତିଶୋଧ ନେଲେ ପୁଲିସରେ ଥିବା ଭାଇ

୮ ବର୍ଷ ହେଲା ଜେଲରେ ଥିବାରୁ ଅଜୟ ବାହାରକୁ ବାହାରି ବେଶ ଉତ୍ସାହିତ ଅବସ୍ଥାରେ ରହିଥିଲେ। ସେ ଜାଣି ନଥିଲେ ଯେ ତାଙ୍କ ସହ ଥିବା ନାବାଳିକା ଜଣେ ମୋହରା ଓ ସେ ତାଙ୍କୁ ହତ୍ୟା ପାଇଁ ନିଜ ସାଙ୍ଗରେ ନେଇ ଯାଉଛନ୍ତି।

author-image
Hemant Lenka
Bhanu

Bhanu

ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ହତ୍ୟା କରି ଜେଲ ଯାଇଥିଲେ। ତାଙ୍କ ବାପା ପ୍ରତିଶୋଧ ପାଇଁ ଦିନ, ମାସ ଓ ବର୍ଷ ଗଣି ଚାଲିଥିଲେ। ଜଣେ ୧୭ ବର୍ଷୀୟ ଝିଅ ଓ ସୁପାରୀ କିଲରଙ୍କ ଜରିଆରେ ବାପାଙ୍କ ହତ୍ୟାର ପ୍ରତିଶୋଧ ନେଇଛନ୍ତି ପୁଲିସରେ ଥିବା ଭାଇ। ମଧ୍ୟପ୍ରଦେଶର ଶିବପୁରରେ ଘଟିଥିବା ଏହି ଘଟଣା କୌଣସି ସିନେମା ଠାରୁ କମ ନୁହେଁ। ପ୍ରକୃତ ଘଟଣା ସିନେମା ଠାରୁ ଅଧିକ ଭୟଙ୍କର ହୋଇପାରେ ବୋଲି ଏହି ଘଟଣା ପ୍ରମାଣିତ କରିଛି।

Advertisment

୨୦୧୭ରେ ଅବସରପ୍ରାପ୍ତ ପୁଲିସ୍‌ ଇନସପେକ୍ଟର ହନୁମାନ ସିଂହ ଥୋମାରଙ୍କୁ ଗୁଳି ମାଡ଼ କରାଯାଇଥିଲା ଓ ତାଙ୍କ ପୁଅ ଭାନୁ ତୋମାର ଅଳ୍ପକେ ବର୍ତ୍ତି ଯାଇଥିଲେ। ହନୁମାନ ସିଂହ ତୋମାରଙ୍କ ବଡ଼ ପୁଅ ଅଜୟ ବାପାଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ପାଇଥିଲେ।

ଅଜୟ ଜେଲ ଭିତରକୁ ଚାଲି ଯିବାରୁ ତାଙ୍କ ଭାଇ ଭାନୁ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଅପେକ୍ଷା କରି ରହିଥିଲେ। ବାପାଙ୍କ ହତ୍ୟା ପରେ ଭାନୁ ପୁଲିସ୍‌ ବିଭାଗରେ ଚାକିରି ପାଇଥିଲେ। ଆଉ ଦୀର୍ଘ ୮ ବର୍ଷ ହେଲା ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଅପେକ୍ଷା କରି ରହିଥିଲେ।

Advertisment

ଗତ ମାସରେ ଆଜୀବନ ଜେଲ ଦଣ୍ଡ ପାଇଥିବା ୪୦ ବର୍ଷୀୟ ଅଜୟ ପ୍ୟାରୋଲରେ ଜେଲରୁ ବାହାରିଥିଲେ। ୯ ଦିନ ପରେ ଅର୍ଥାତ ଜୁଲାଇ ୨୩ରେ ସେ କାର ଯୋଗେ ଶିବପୁରରୁ ଗ୍ୱାଲିୟର ଯାଉଥିଲେ। ତାଙ୍କ ସହ ଜଣେ ୧୭ ବର୍ଷୀୟ ଝିଅ ରହିଥିଲେ। ନିକଟରେ ଅଜୟ ଓ ଉକ୍ତ ନାବାଳିକାଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।

୮ ବର୍ଷ ହେଲା ଜେଲରେ ଥିବାରୁ ଅଜୟ ବାହାରକୁ ବାହାରି ବେଶ ଉତ୍ସାହିତ ଅବସ୍ଥାରେ ରହିଥିଲେ। ସେ ଜାଣି ନଥିଲେ ଯେ ତାଙ୍କ ସହ ଥିବା ନାବାଳିକା ଜଣେ ମୋହରା ଓ ସେ ତାଙ୍କୁ ହତ୍ୟା ପାଇଁ ନିଜ ସାଙ୍ଗରେ ନେଇ ଯାଉଛନ୍ତି। ଶିବପୁରରୁ କାରରେ ବାହାରିବାର କିଛି ଘଣ୍ଟା ପରେ ଅଜୟଙ୍କ ଉପରେ ହୋଇଥିଲା ଗୁଳି ବର୍ଷା। ୮ ବର୍ଷ ତଳେ ବାପାଙ୍କୁ ଯେମିତି ସେ ଗୁଳି କରିଥିଲେ, ତାଙ୍କୁ ସମାନ ଦଶା ଭୋଗିବାକୁ ପଡ଼ିଥିଲା। ଭାନୁ ହତ୍ୟାର ପ୍ରତିଶୋଧ ନେବାକୁ ସକ୍ଷମ ହୋଇଥିଲେ।

ପଛ କାହାଣୀ

୨୦୧୭ ମସିହା ମେ’ ୨୩ ତାରିଖ। ଗ୍ୱାଲିୟର ସ୍ଥିତ ବାପା ହନୁମାନ ସିଂହ ତୋମାରଙ୍କ ଘରେ ପହଞ୍ଚିଥିଲେ ପୁଅ ଅଜୟ। ପାରିବାରିକ ସମ୍ପତ୍ତି ଓ ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଅଜୟ ନିଜ ପାଖରେ ରଖିଥିବା ବନ୍ଧୁକରୁ ୪ ରାଉଣ୍ଡ ଗୁଳି ବାପାଙ୍କ ମୁଣ୍ଡକୁ ଟାର୍ଗେଟ କରି ଚଳାଇଥିଲେ। ଘଟଣା ସ୍ଥଳରେ ହନୁମାନଙ୍କ ମୃତ୍ୟୁ ହୋଇଥିଲା। ମାମଲାର ଶୁଣାଣି ବେଳେ ଅଜୟଙ୍କ ମା’ ଶକୁନ୍ତଳା ଦେବୀ ଓ ଭାଇ ଭାନୁ କୋର୍ଟରେ ଅଜୟଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ। ଅଜୟଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

ଜଣେ ଭାଇର ସାଂଘାତିକ ଯୋଜନା

ଅଜୟ ପ୍ୟାରୋଲରେ ବାହାରିବା ପରେ ଭାନୁ ନିଜ ପ୍ରତିଶୋଧ ନେବାର ସୁଯୋଗ ପାଇଥିଲେ। ଅଜୟଙ୍କ ସହ ରହିଥିବା ୧୭ ବର୍ଷୀୟ ଝିଅ ଜଣଙ୍କ ଗୋଟିଏ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ। ନାବାଳିକା ଯୋଗୁ ନିକଟରେ ତାଙ୍କୁ ଇନ୍ଦୋର ବାଳ ସୁଧାର ଗୃହରୁ ରିଲିଜ କରାଯାଇଥିଲା। ଭାନୁ ପୁଲିସ୍‌ରେ ଥିବାରୁ ତୁରନ୍ତ ନିଜ ଯୋଜନାରେ ନାବାଳିକାଙ୍କୁ ସାମିଲ କରିଥିଲେ।

ଭାନୁଙ୍କ କଥାରେ ନାବାଳିକା ଜଣଙ୍କ ଅଜୟଙ୍କ ସହ ବନ୍ଧୁତା କରିଥିଲେ। ତାଙ୍କ ବିଶ୍ୱାସ ଜିତି ନିଜ ସହ ଗ୍ୱାଲିୟର ଯିବାକୁ ରାଜି କରାଇ ଦେଇଥିଲେ। ଅଜୟଙ୍କୁ ଗୁଳି କରିବା ପାଇଁ ଭାନୁ ନିକଟରେ ହତ୍ୟା ମାମଲାରେ ଜେଲରୁ ବାହାରିଥିବା କୁଖ୍ୟାତ ସୁପାରୀ କିଲର ଧର୍ମେନ୍ଦ୍ର କୁଶୱାକୁ ଟଙ୍କା ଦେଇଥିଲେ। ଧର୍ମେନ୍ଦ୍ର ଓ ଭାନୁଙ୍କ ମଧ୍ୟରେ ୧ ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା।

ଜାତୀୟ ରାଜପଥରେ ହତ୍ୟା

ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ଅଜୟ ବସିଥିବା କାର ଗ୍ୱାଲିୟର ଯାଉଥିଲା ଓ ସୁପାରୀ କିଲରମାନେ ତାଙ୍କର ପିଛା କରୁଥିଲେ। ନୂଆ ଗାଁ ପେଟ୍ରୋଲ ପମ୍ପ ନିକଟରେ ନାବାଳିକା ଜଣଙ୍କ ରେଷ୍ଟ ରୁମ ବ୍ୟବହାର କରିବା ନାଁରେ ଗାଡ଼ି ଅଟକାଇବାକୁ କହିଥିଲେ।

ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ଅଜ୍ଞାତ ଥିବା ଅଜୟ ଗାଡ଼ି ରଖିବାକୁ ରାଜି ହୋଇଯାଇଥିଲେ। ଝିଅଟି କାରରୁ ବାହାରିଥିଲେ। ଏହାପରେ ହତ୍ୟାକାରୀ ନିଜ ଯୋଜନାକୁ ସଫଳ କରିବାର ସିଗ୍ନାଲ ପାଇଥିଲେ। ଝିଅଟି କାରରୁ ବାହାରିବାର କିଛି ସେକେଣ୍ଡ ମଧ୍ୟରେ କିଲରମାନେ ସେଠାରେ ପହଞ୍ଚି ଅଜୟଙ୍କ ଉପରେ ଗୁଳି ବର୍ଷା କରିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଗାମୀ ଦିନରେ ଭାନୁ ବେଶ ଭଲ ଭାବେ ଅଭିନୟ କରିବା ସହ ବଡ଼ ଭାଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ସବୁ କିଛି ନୀତି ନିୟମ ପାଳନ କରିଥିଲେ। କିନ୍ତୁ ଅଜୟଙ୍କ ହତ୍ୟାର ୩ ଦିନ ପରେ ସେ ଚୁପଚାପ ବ୍ୟାଙ୍କକ ଚାଲି ଯାଇଥିଲେ।

କେମିତି ମାମଲାର ପର୍ଦ୍ଦାଫାସ କଲା ପୁଲିସ୍‌

ହତ୍ୟା ମାମଲାର ସମାଧାନ କରିବା ପାଇଁ ପୁଲିସ ପକ୍ଷରୁ ପ୍ରାୟ ୫୦୦ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲେ। ଶିବପୁରୀ ଓ ଗ୍ୱାଲିୟର ମଧ୍ୟରେ ଥିବା ସିସିଟିଭିକୁ ବାରମ୍ବାର ପୁଲିସ୍‌ ସ୍କାନ କରିଥିଲେ। ଗୋଟିଏ ଫୁଟେଜରେ କାର ଭିତରୁ ୧୭ ବର୍ଷୀୟ ଝିଅ ଜଣଙ୍କ ବାହାରୁ ଥିବା ପୁଲିସ ନଜରକୁ ଆସିଥିଲା। ଏହାକୁ ଆଧାର କରି ପୁଲିସ୍‌ ଧର୍ମେନ୍ଦ୍ର ଓ ଭାନୁଙ୍କ ସମ୍ପର୍କୀୟ ଭାଇ ମୋନେଶ ପାଖରେ ପହଞ୍ଚିଥିଲା।

ଝିଅଟିକୁ ମଧ୍ୟ ପୁଲିସ୍‌ ନିଜ ହେପାଜତକୁ ନେଇଥିଲା। ପୁଲିସ ଧର୍ମେନ୍ଦ୍ରଙ୍କ ଠାରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଥିଲା। ବାସ ଏହାପରେ ଭାନୁଙ୍କ ବିରୋଧରେ ପ୍ରମାଣ ମିଳିଥିଲା। ଭାନୁ ଏବେ ବ୍ୟାଙ୍କକରେ ରହିଛନ୍ତି ଓ ତାଙ୍କୁ ଆଣିବା ପାଇଁ ପୁଲିସ୍‌ ଉଦ୍ୟମ କରୁଥିବା ଜଣାପଡ଼ିଛି।

Crime Police Madhya Pradesh