Advertisment

ଗର୍ଭବତୀ ପତ୍ନୀଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କଲେ, ପୁଲିସ୍‌ ଆସିବା ଯାଏ ଶବ ପାଖରେ ବସି ରହିଲେ

ପତ୍ନୀଙ୍କୁ ମାରିବା ପରେ ସେ ଶବ ନିକଟରେ ବସି ରହିବା ସହ ପୁଲିସ୍‌କୁ ନିଜ ଆଡ଼ୁ ଫୋନ କରି ଡାକିଛନ୍ତି।

author-image
Hemant Lenka
Sapana

Sapana

ନିଜର ଗର୍ଭବତୀ ପତ୍ନୀଙ୍କୁ ଅତ୍ୟନ୍ତ ନର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଉତ୍ତର ପ୍ରଦେଶର ମୀରଟର ରବି ଶଙ୍କର ତାଙ୍କ ୭ ମାସର ଗର୍ଭବତୀ ପତ୍ନୀ ସପନାଙ୍କୁ ଗୋଟିଏ ରୁମ ଭିତରେ ବନ୍ଦ କରି ତାଙ୍କ ସହ ଏପରି ଜଘନ୍ୟକାଣ୍ଡ ଘଟାଇଛନ୍ତି। ପତ୍ନୀଙ୍କୁ ମାରିବା ପରେ ସେ ଶବ ନିକଟରେ ବସି ରହିବା ସହ ପୁଲିସ୍‌କୁ ନିଜ ଆଡ଼ୁ ଫୋନ କରି ଡାକିଛନ୍ତି।

Advertisment

ପୁଲିସ୍‌ର କହିବା କଥା ଯେ ଆଜି ସକାଳେ ପୂରା ଘଟଣା ଘଟିଛି। ଦୀର୍ଘ ୫ ମାସ ହେଲା ସପନା ପାରିବାରିକ ବିବାଦ କାରଣରୁ ଅମହେରା ସ୍ଥିତ ନିଜ ଭଉଣୀଙ୍କ ଘରେ ରହୁଥିଲେ। ରବି ଓ ସପନାଙ୍କ ବାହା ଘର ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା। କିଛି ମାସ ସବୁ କିଛି ଠିକ ଠାକ ଚାଲିଥିଲା। ହେଲେ ସ୍ୱାମୀଙ୍କ ସହ ବିବାଦ କାରଣରୁ ସପନା ୫ ମାସ ହେଲା ଭଉଣୀଙ୍କ ପାଖରେ ରହୁଥିଲେ।

ଶନିବାର ସକାଳେ ରବି ହଠାତ୍‌ ପତ୍ନୀ ରହୁଥିବା ଅମହେରା ସ୍ଥିତ ଘରେ ପହଞ୍ଚିଥିଲେ। ସେ ସପନାଙ୍କ ସହ କଥା ହେବାକୁ ଚାହୁଁଥିବା କହିଥିଲେ। ଏହାପରେ ଘରର ପ୍ରଥମ ମହଲାରେ ଥିବା ରୁମକୁ ରବି ଓ ସପନା ଯାଇଥିଲେ। ଭିତରୁ ରବି ରୁମର କବାଟ ବନ୍ଦ କରି ଦେଇଥିଲେ। କିଛି ସମୟ ପରେ ବନ୍ଦ ରୁମ ଭିତରରୁ ସପନାଙ୍କ ଚିତ୍କାର ଶୁଭିବା ଆରମ୍ଭ ହୋଇଥିଲା।

Advertisment

ସପନା ଛାଡ଼ି ଦେବାକୁ ନେହୁରା ହେଉଥିବା କଥା ପରିବାର ଲୋକ ଓ ପଡ଼ୋଶୀ ମଧ୍ୟ ଶୁଣିଛନ୍ତି। ସପନାଙ୍କ ଅନୁରୋଧ ସତ୍ତ୍ୱେ ରବି କିଛି ବି ଶୁଣି ନଥିଲେ।

ପ୍ରଥମେ ସେ ତାଙ୍କର ଗଳା କାଟି ଦେଇଥିଲେ। ଏହାପରେ ଏକାଧିକ ଥର ଛୁରୀ ଭୁଷି ଚାଲିଥିଲେ। ସପନାଙ୍କ ମୃତ୍ୟୁ ହୋଇ ସାରିଥିଲେ ହେଁ ରବି ଛୁରୀ ଭୁଷିବା ବନ୍ଦ କରି ନଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ସପନାଙ୍କ ଭଉଣୀ ଓ ଅନ୍ୟମାନେ ରୁମ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ ହେଁ ଏହା ଭିତରୁ ବନ୍ଦ ଥିବାରୁ ସେମାନେ କିଛି ବି କରି ପାରି ନଥିଲେ। ଏସବୁ ଭିତରେ ସପନାଙ୍କୁ ହତ୍ୟା କରି ରବି ପୁଲିସ୍‌କୁ ଫୋନ କରି ଦେଇଥିଲେ।

ପୁଲିସ୍‌ ଆସିବା ପରେ କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲା। ସେତେବେଳକୁ ରକ୍ତରଞ୍ଜିତ ପତ୍ନୀଙ୍କ ମୃତଦେହ ପାଖରେ ରବି ଶଙ୍କର ବସିଛନ୍ତି। ରବି ଶଙ୍କର ପୁଲିସ୍‌କୁ ଧରା ଦେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି।

Uttar Pradesh Crime