Advertisment

ଜନ୍ମଦିନ ଉପହାରକୁ ନେଇ ଝଗଡ଼ା: ସ୍ତ୍ରୀ ଓ ଶାଶୁଙ୍କୁ ମାରିଦେଲେ

ପୁଅର ଜନ୍ମ ଦିନ ପାର୍ଟିରେ ଉପହାରକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ଯୋଗୁ ଏତେ ବଡ଼ କାଣ୍ଡ ଘଟିଥିବା କୁହାଯାଉଛି। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ। ପତ୍ନୀ ଓ ଶାଶୁଙ୍କୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ପୁଅର ଜନ୍ମ ଦିନ ପାର୍ଟିରେ ଉପହାରକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ଯୋଗୁ ଏତେ ବଡ଼ କାଣ୍ଡ ଘଟିଥିବା କୁହାଯାଉଛି। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଦିଲ୍ଲୀର କେଏନକେ ମାର୍ଗ ପୁଲିସ ଷ୍ଟେସନକୁ ଅଗଷ୍ଟ ୩୦ ତାରିଖ ଅପରାହ୍ନ ସମୟରେ ଗୋଟିଏ ଫୋନ କଲ ଆସିଥିଲା। ଫୋନଟି ରୋହିଣୀର ସେକ୍ଟର ୧୭ରୁ ଆସିଥିଲେ। ଫୋନ କରିଥିବା ଲୋକ ନିଜ ମା’ ଓ ଭଉଣୀଙ୍କ ହତ୍ୟା ନେଇ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।

ଘଟଣା ସ୍ଥଳରେ ୬୩ ବର୍ଷୀୟ କୁସୁମ ସିହ୍ନା ଓ ତାଙ୍କ ଝିଅ ପ୍ରିୟା ସେଗଲ(୩୪)ଙ୍କ ରକ୍ତରଞ୍ଜିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ପୁଲିସ୍‌କୁ ଅଗଷ୍ଟ ୩୦ ରେ ଏନେଇ କୁସୁମଙ୍କ ପୁଅ ମେଘ ସିହ୍ନା ଫୋନ କରି ଜଣାଇଥିଲେ। କୁସୁମ ନିଜ ନାତି ଚିରାଗଙ୍କ ଜନ୍ମ ଦିନ ପାଇଁ ପ୍ରିୟାଙ୍କ ଘରକୁ ଯାଇଥିଲେ।

Advertisment

ଜନ୍ମ ଦିନ ପାର୍ଟିରେ ପ୍ରିୟା ଓ ତାଙ୍କ ସ୍ୱାମୀ ଯୋଗେଶଙ୍କ ମଧ୍ୟରେ ଉପହାରକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାର ସାମାଧାନ ପାଇଁ କୁସୁମ ଝିଅ ଘରେ ରହିଥିଲେ। ଅଗଷ୍ଟ ୩୦ରେ କୁସୁମଙ୍କ ପୁଅ ମା’ଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ କୌଣସି ଉତ୍ତର ମିଳି ନଥିଲା। ଏହାପରେ ସେ ପ୍ରିୟାଙ୍କ ଘରକୁ ଆସିଥିଲେ। ହେଲେ ଘର ବାହାରୁ ବନ୍ଦ ରହିଥିଲା। କିନ୍ତୁ ଘରର ଗେଟ ପାଖରେ ରକ୍ତର ଛିଟା ଦେଖିବାକୁ ମିଳିଥିଲା।

ଏନେଇ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଖବର ଦେଇଥିଲେ ଓ କବାଟ ଭାଙ୍ଗି ପ୍ରିୟାଙ୍କ ଘରେ ପଶିଥିଲେ। ଘର ଭିତରେ ପ୍ରିୟା ଓ କୁସୁମଙ୍କ ରକ୍ତରଞ୍ଜିତ ମୃତଦେହ ପଡ଼ିଥିବା ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ପୁଲିସ୍‌କୁ ଖବର ଦେଇଥିଲେ। ମେଘଙ୍କ କହିବା କଥା ଯେ ପ୍ରିୟାଙ୍କ ସ୍ୱାମୀ ଯୋଗେଶଙ୍କ ପାଖରେ କୌଣସି ଚାକିରି ନଥିଲା। ସେ ହିଁ ପ୍ରିୟା ଓ କୁସୁମଙ୍କୁ ମାରି ପୁଅକୁ ଧରି ଚାଲି ଯାଇଛନ୍ତି।

ପୁଲିସ୍‌ ମେଘଙ୍କ ଅଭିଯୋଗ ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଯୋଗେଶଙ୍କୁ ଗିରଫ କରିଛି। ଘଟଣା ସ୍ଥଳରୁ ପୁଲିସ୍‌ ରକ୍ତଭିଜା ପୋଷାକ ଓ ହତ୍ୟାରେ ସମ୍ଭବତଃ ବ୍ୟବହାର ହୋଇଥିବା କଇଁଚିକୁ ଜବତ କରିଥିଲେ। ପୁଲିସ୍‌ କହିବା କଥା ଯେ ପାରିବାରିକ ବିବାଦରୁ ଏପରି ଘଟଣା ଘଟିଛି।

ପ୍ରିୟାଙ୍କ ଆଉ ଜଣେ ଭାଇ ହିମାଳୟ କହିଛନ୍ତି, “ମୋ ମା’ ଦିନକ ଆଗରୁ ମୋ ଭଉଣୀଙ୍କ ଘରକୁ ଯାଇଥିଲା। ଦିନକ ପରେ ସେ ଫେରିବ ବୋଲି କହିଥିଲା। ଆମେ ଯେତେବେଳେ ତା’କୁ ଫୋନ କରିଥିଲୁ ସେତେବେଳେ ମୋ ଭଉଣୀ ଓ ତା’ ସ୍ୱାମୀ ମଧ୍ୟରେ ଝଗଡ଼ା ହୋଇଥିବା ମା’ ଜଣାଇଥିଲା। ଝଗଡ଼ାକୁ ସମାଧାନ କରି ସେ ଫେରିବ ବୋଲି କହିଥିଲା। ହେଲେ ସେ ଆଉ ଫେରି ନଥିଲା।

ଆମେ ଅଗଷ୍ଟ ୩୦ ତାରିଖ ଦିନ ପ୍ରାୟ ୧୧.୩୦ ଓ ପରେ ୧୨ଟାରେ ଫୋନ କରିଥିଲୁ। କିନ୍ତୁ ମା’ କିମ୍ବା ଭଉଣୀ କେହି ବି ଫୋନ ଉଠାଇ ନଥିଲେ। ଏହାପରେ ଆମେ (ପ୍ରିୟାଙ୍କ ଦୁଇ ଭାଇ) ଭଉଣୀର ଘରେ ପହଞ୍ଚିଲା ବେଳକୁ ଏତେ ସବୁ ଘଟି ଯାଇଥିବା ଜାଣିବାକୁ ପାଇଥିଲୁ। ଆମେ ଦିନ ପ୍ରାୟ ୩.୩୦ରେ ସେଠାରେ ପହଞ୍ଚି ଥିଲୁ।

ମୋ ଭିଣୋଇ ଉଭୟଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ। ସେ କାହିଁକି ଏମିତି କଲା? ବାହାଘରରେ ଝଗଡ଼ା ହୋଇଥାଏ। ଉଭୟ ୧୭ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ନିଜ ପତ୍ନୀ ଓ ଶାଶୁଙ୍କୁ କିଏ ଏମିତି ହତ୍ୟା କରେ? ଏହା ଅମାନୁଷିକ।”

Murder Delhi