DeadBody
ଘରୁ ବାହାରିଥିବା ଯୁବକ ଆଉ ଘରକୁ ଫେରି ନ ଥିଲେ। ସମ୍ପର୍କୀୟଙ୍କ ଘରକୁ ଯାଇଥିବେ ଭାବି ପରିବାର ଲୋକେ ବି ରାତିରେ ବେଶି ଖୋଜାଖୋଜି କରି ନ ଥିଲେ। ମାତ୍ର ସକାଳୁ ମିଳିଲା ରକ୍ତାକ୍ତ ମୃତଦେହ। ଏପରି ଏକ ଅଭାବନୀୟ କାଣ୍ଡ ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ଘଟିଛି । ମୃତକ ହେଲେ ଜାମପାଲିର ବିଭିଷଣ ମହାରଥୀ ।
ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜାମପାଲି ଗ୍ରାମର ବିଭିଷଣ ମହାରଥୀ ଗତକାଲି ରାତିରେ ଘରକୁ ଫେରିନଥିଲେ। ପରିବାର ଲୋକେ ଏଣେତେଣେ ଖୋଜିଥିଲେ ମାତ୍ର ତାଙ୍କର କୌଣସି ସନ୍ଧାନ ନମିଳିବାରୁ କୌଣସି ସମ୍ପର୍କୀୟ ଘରକୁ ଯାଇଥିବା ଭାବି ଆଉ ଖୋଜି ନଥିଲେ।
ଆଜି ସକାଳେ ଗୌଡ଼ଦେଇ ମନ୍ଦିର ପଛପଟେ ରକ୍ତ ଉଡୁବୁଡୁ ଅବସ୍ଥାରେ ଏକ ଯୁବକଙ୍କ ମୃତଦେହ ପଡିଥିବା ଖବର ଶୁଣି ପରିବାର ଲୋକେ ଘଟଣା ସ୍ଥଳକୁ ଯାଇଥିଲେ। ସେଠାରେ ସେମାନେ ବିଭିଷଣଙ୍କ ମୃତଦେହ ଚିହ୍ନଟ କରିଛନ୍ତି ।
ମୃତଦେହ ପଡିଥିବା ସ୍ଥାନରୁ ଏକ ଘରକୁ ରକ୍ତ ଚିହ୍ନ ପଡିଛି । ଫଳରେ ଉକ୍ତ ଘରୁ ତାଙ୍କୁ ପିଟି ପିଟି ପିଟି ହତ୍ୟା ପରେ ବାହାରେ ଆଣି ପିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଉକ୍ତ ଘର ତାଲା ପଡିଥିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି ।
ଖବର ପାଇ ବଘିଆପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ ଚଳାଇଛି। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରି ନ ଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
