Advertisment

ପତ୍ନୀ ଶୁଣିଲେନି କଥା, ଶ୍ୱଶୁରଙ୍କୁ ରଡରେ ପିଟି ହତ୍ୟା

ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସ୍ୱାମୀ ପତ୍ନୀ ଓ ନିଜ ଛୁଆକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏହାକୁ ବାଧା ଦେବାରୁ ସେ ନିଜ ଶ୍ୱଶୁରଙ୍କୁ ରଡରେ ଆକ୍ରମଣ କରି ଜୀବନ ନେଲେ।

author-image
Niharika Rout
ଅଦ୍ୟତନ ହୋଇଛି
family

family

ସ୍ୱାମୀ ନିର୍ଯାତନାରେ ଅତିଷ୍ଠ ପତ୍ନୀ ବାପ ଘର ଚାଲି ଯାଇଥିବା ବେଳେ ଆଉ ଶାଶୁ ଘର ଫେରିବାକୁ ମଙ୍ଗିଲେ ନାହିଁ। ଫଳରେ ପତ୍ନୀଙ୍କୁ ଫେରାଇ ଆଣିବାକୁ ଯାଇଥିବା ପତି ହିତାହିତ ଜ୍ଞାନ ହରାଇ ବସି ଘଟାଇଲେ ତୁମୁଳ କାଣ୍ଡ । ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସ୍ୱାମୀ ପତ୍ନୀ ଓ ନିଜ ଛୁଆକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏହାକୁ ବାଧା ଦେବାରୁ ସେ ନିଜ ଶ୍ୱଶୁରଙ୍କୁ ରଡରେ ଆକ୍ରମଣ କରି ଜୀବନ ନେଲେ।

Advertisment

ଏପରି ଏକ ନାରକୀୟ କାଣ୍ଡ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ରେଲୱେ କଲୋନୀରେ ଗତ ରାତିରେ ଘଟିଛି। ମୃତକ ହେଲେ ଲଚନ ବୈପାରି। ଲୋଚନଙ୍କ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ଜ୍ୱାଇଁ କୃଷ୍ଣ ଜାନୀଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ହୋଇ ଯାଇଛନ୍ତି।

ଲଚନ ଖଲାସୀ କାମ କରୁଥିବା ବେଳେ ଲକ୍ଷ୍ମୀପୁର ଥାନା ରେଲୱେ କଲୋନୀରେ ପ୍ରାୟ ୧୦ ବର୍ଷ ହେବ ରହୁଥିଲେ। ତାଙ୍କ ଝିଅ ପ୍ରାୟ ୪ ବର୍ଷ ପୂର୍ବେ କୃଷ୍ଣ ଜାନୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ୪ ବର୍ଷର ପୁଅ ଅଛି। ମାତ୍ର ବିବାହ ପରଠୁ କୃଷ୍ଣ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସେ ପ୍ରାୟ ୧୫ ଦିନ ହେବ ଛୁଆକୁ ଧରି ନିଜ ବାପ ଘରକୁ ଚାଲି ଆସିଥିଲେ।

Advertisment

ଗତ ରାତିରେ କୃଷ୍ଣ ଜାନୀ ନିଜର ୪ ସାଙ୍ଗଙ୍କ ସହ ଶ୍ୱଶୁର ଘରେ ପହଞ୍ଚିଥିଲେ। ଏହାପରେ ନିଜ ସହ ଯିବାକୁ ପତ୍ନୀଙ୍କୁ ବାଧ୍ୟ କରିଥିଲେ। ମାତ୍ର ତାଙ୍କ ପତ୍ନୀ ଏଥିରେ ରାଜି ହୋଇ ନ ଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା କୃଷ୍ଣ ନିଜ ପତ୍ନୀ ଓ ପିଲାକୁ ଆକ୍ରମଣ କରି ରକ୍ତାକ୍ତ କରିବାକୁ ପଛାଇ ନ ଥିଲେ।

ଲଚନ ଏହାଦେଖି ନିଜ ଝିଅ ଓ ନାତୀକୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ। ଫଳରେ କୃଷ୍ଣ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ସଂଘବଦ୍ଧ ଭାବେ ରଡରେ ଆକ୍ରମଣ କରିଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ଲୋଚନ ଗୁରୁତର ହୋଇ ଛଟପଟ ହେଉଥିଲେ।

ଏହାଦେଖି ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଲୋଚନ, ତାଙ୍କ ଝିଅ ଓ ନାତିଙ୍କୁ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲଚନଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଗତ ରାତିରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି। ଏଥିସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ସକାଳେ କୃଷ୍ଣଙ୍କ ସମେତ ତାଙ୍କର ଦୁଇ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢ଼ାଉ ଜାରି ରହିଥିବା ଅଧିକାରୀ କହିଛନ୍ତି।

Murder Koraput Family Dispute