Advertisment

ପୋଷା କୁକୁରଙ୍କ ପାଇଁ ଦୁଇ ମାଲିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ଚାଲିଲା ଗୁଳି, ୨ ମୃତ

ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ରାଜପାଲ ସିଂହ ରାଜାୱତ ତାଙ୍କ ପଡ଼ୋଶୀଙ୍କ ଉପରକୁ ବାଲକୋନୀରୁ ଛିଡ଼ା ହୋଇ ୮ ରାଉଣ୍ଡ ଗୁଳି ଚଳାଇଛନ୍ତି।

author-image
Hemant Lenka
GUN

GUN

ଦୁଇ ପୋଷା କୁକୁରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଭୟଙ୍କର ରୂପ ନେଇଛି। ଦୁଇ କୁକୁର ପରସ୍ପରକୁ ଭୋକିବା ସହ ଆକ୍ରମଣ କରିବାରୁ ସେମାନଙ୍କ ମାଲିକମାନଙ୍କ ମଧ୍ୟରେ ରାକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି।

Advertisment

ଖାଲି ସେତିକି ନୁହେଁ, କୁକୁର ଲଢ଼େଇକୁ ନେଇ ଗୁଳିମାଡ଼ ମଧ୍ୟ ହୋଇଛି। ଶେଷରେ ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଛି। ମଧ୍ୟପ୍ରଦେଶର ଇନ୍ଦୋର୍‌ରେ ଗୁରୁବାର ରାତିରେ ପୂରା ଘଟଣା ଘଟିଥିବା ପୁଲିସ୍‌ କହିଛି।

ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ରାଜପାଲ ସିଂହ ରାଜାୱତ ତାଙ୍କ ପଡ଼ୋଶୀଙ୍କ ଉପରକୁ ବାଲକୋନୀରୁ ଛିଡ଼ା ହୋଇ ୮ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି।

Advertisment

ଆଡିସନାଲ ଡେପୁଟି ପୁଲିସ କମିଶନର ଅମରେନ୍ଦର ସିଂହ କହିଛନ୍ତି, “ରାଜପାଲ ସିଂହ ରାଜାୱତ ବ୍ୟାଙ୍କ ଅଫ ବରୋଦାର ସ୍ଥାନୀୟ ବ୍ରାଞ୍ଚରେ କାମ କରନ୍ତି। ସେ ଖାଜରାନା ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଗୋଟିଏ କଲୋନୀରେ ରୁହନ୍ତି। ଗୁରୁବାର ରାତିରେ ସେ ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ବାଲକୋନୀରେ ଛିଡ଼ା ହୋଇ ପଡ଼ୋଶୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ପୋଷା କୁକୁରଙ୍କୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ ପରେ ଗୁଳି ମାଡ଼ ହୋଇଛି।”

ରାଜାୱତଙ୍କ ପଡ଼ୋଶୀ ବିମଳ ଅମଚା(୩୫) ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ତାଙ୍କ କୁକୁରକୁ ଧରି କୃଷ୍ଣ ବାଗ କଲୋନୀର ଗୋଟିଏ ଛୋଟିଆ ଗଳିରେ ଚାଲୁଥିଲେ। ଏହି ସମୟରେ ରାଜାୱତଙ୍କ କୁକୁର ସହ ବିମଳଙ୍କ କୁକୁର ମୁହାଁମୁହିଁ ହୋଇଥିଲା।

ଫଳରେ ଦୁଇ କୁକୁର ପରସ୍ପରକୁ ଭୋକିବା ସହ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ବିମଳ ତାଙ୍କ କୁକୁରକୁ ଧରି ଘରକୁ ଯିବା ପାଇଁ ବାହରିଥିଲେ। ଏତିକି ବେଳେ ବିମଳଙ୍କ ଭାଇ ପ୍ରମୋଦ ଗୋଟିଏ କାଠ ଫାଳିଆ ଧରି ରାଜାୱତଙ୍କ କୁକୁରକୁ ସେଠାରୁ ତଡ଼ିବାକୁ ଚେଷ୍ଟା କରିଥିଲେ।

ବାସ୍‌ ଏହାକୁ ନେଇ ଦୁଇ କୁକୁର ମାଲିକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ରାଜାୱତ ଯୁକ୍ତିତର୍କ ଯୋଗୁ ପ୍ରବଳ ରାଗି ଯାଇଥିଲେ। ସେ ତୁରନ୍ତ ତାଙ୍କ ଘରକୁ ଦୌଡ଼ି ଯାଇଥିଲେ ଓ ବନ୍ଧୁକ ଆଣି ବାଲକୋନୀରୁ ବିମଳ ଓ ତାଙ୍କ ପରିବାର ଲୋକଙ୍କ ଉପରକୁ ଏକାଧିକ ରାଉଣ୍ତ ଗୁଳି ଚଳାଇଥିଲେ।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ରାଜାୱତଙ୍କ ତାଙ୍କ ବନ୍ଧୁକରେ ଗୁଳି ଲୋଡ କରି ପାଙ୍ଖା ଗୁଳି ଚଳାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏହାପରେ କିନ୍ତୁ ସେ ଘର ସାମ୍ନା ଦେଇ ଯାଇଥିବା ରାସ୍ତାକୁ ଗୁଳି କରିଥିଲେ। ଗୁଳି ମାଡ଼ ବେଳେ ରାସ୍ତାରୁ କେବଳ ଚିତ୍କାର ଶବ୍ଦ ଶୁଣିବାକୁ ମିଳିଥିଲା।

ଗୁଳି ମାଡ଼ ଯୋଗୁ ବିମଳ ଓ ତାଙ୍କ ୨୭ ବର୍ଷୀୟ ଶାଳକ ରାହୁଲ ବର୍ମା ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ରାହୁଲ ବର୍ମାଙ୍କ ଗର୍ଭବତୀ ପତ୍ନୀଙ୍କ ଆଖି ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଛି।

ଏମାନଙ୍କ ବ୍ୟତୀତ ଗୁଳିମାଡ଼ ବେଳେ ରାସ୍ତା ଦେଇ ଯାଉଥିବା ଆଉ ୫ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଘଟଣା ପରେ ପୁଲିସ ରାଜାୱତଙ୍କ ସହ ତାଙ୍କ ପୁଅ ସୁଧୀର ଓ ଜଣେ ସମ୍ପର୍କୀୟ ଶୁଭମଙ୍କୁ ଗିରଫ କରିଛି। ସେମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି।

Crime Madhya Pradesh