Advertisment

ଭୂତ ଛଡ଼ାଇବା ନାଁରେ ମହିଳାଙ୍କୁ ପିଟିପିଟି ମାରିଦେଲେ, ଗୁଣିଆକୁ ଡାକିଥିଲା ପୁଅ

ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ପୁଅ, ଗୁଣିଗାରେଡି କରି ଭୂତ ଛଡ଼ାଉଥିବାର ଦାବି କରୁଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ୍‌ ଗିରଫ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
woman

woman

ଆଧୁନିକ ଯୁଗରେ ମଧ୍ୟ ଭୂତ, ଆତ୍ମା ଓ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଜାରି ରହିଛି। ଗାଁ ଗହଳୀରେ ଏବେ ବି ଲୋକମାନେ ଏହି କୁସଂସ୍କାରକୁ ବିଶ୍ୱାସ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ କର୍ଣ୍ଣାଟକାରୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଭୂତ ଛଡ଼ାଇବା ନାଁରେ ପିଟିପିଟି ହତ୍ୟା କରିଯାଇଛି। ମା’ଙ୍କୁ ଭୂତ କବଳରୁ ରକ୍ଷା କରିବା ପାଇଁ ପୁଅ ହିଁ ଗୁଣିଆକୁ ଡାକିଥିଲା। ହେଲେ ଏବେ ପୁଅଟି ମା’କୁ ହରାଇଛି।

Advertisment

ଶିବମୋଗା ଜିଲ୍ଲାରେ ସୋମବାର ରାତିରେ ଏପରି ଘଟଣା ଘଟିଛି। ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ପୁଅ, ଗୁଣିଗାରେଡି କରି ଭୂତ ଛଡ଼ାଉଥିବାର ଦାବି କରୁଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ୍‌ ଗିରଫ କରିଛି।

ପୂରା ଘଟଣା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ୫୫ ବର୍ଷୀୟ ଗୀତାମ୍ମାଙ୍କ ପୁଅ ସଞ୍ଜୟ ଆଶାଙ୍କା କରିଥିଲେ ତାଙ୍କ ମା’ଙ୍କୁ ଭୂତ ଲାଗିଛି। ମା’ଙ୍କ ବ୍ୟବହାରେ ପରିବର୍ତ୍ତନ ଆସିବାରୁ ସେ ଗୁଣି ଗାରେଡ଼ି କରି ଭୂତ ଛଡ଼ାଉଥିବା ଆଶା ନାମକ ଜଣେ ମହିଳାଙ୍କୁ ଡାକିଥିଲେ। ସଞ୍ଜୟଙ୍କ ଡାକରା ପାଇ ଆଶା ଓ ତାଙ୍କ ସ୍ୱାମୀ ସନ୍ତୋଷ ପୂଜାର୍ଚ୍ଚନା କରି ଗୀତମ୍ମାଙ୍କ ଦେହରୁ ଭୂତ ଛଡ଼ାଇବା ପାଇଁ ସୋମବାର ରାତିରେ ଆସିଥିଲେ। ସେମାନେ ଘରେ ପହଞ୍ଚିବା ପରେ ଆରମ୍ଭ ହୋଇ ଯାଇଥିଲା ତଥାକଥିତ ପୂଜାପାଠ।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୀତାମ୍ମା ମୁହଁକୁ ତଳକୁ କରି ବସିଛନ୍ତି। ତାଙ୍କ ଚୁଟି ଖୋଲା ରହିଛି। ଅର୍ଦ୍ଧ ଅଚେତ ଅବସ୍ଥାରେ ତାଙ୍କୁ ଚଟାଣରେ ବସାଇ ଆଶା ପୂଜାପାଠ ଆରମ୍ଭ କରିଥିଲେ। ସେ ପ୍ରଥମେ ଗୀତାମ୍ମାଙ୍କ ମୁଣ୍ଡ ଚାରିପାଖରେ ଗୋଟିଏ ଲେମ୍ବୁକୁ ବୁଲାଇ ଥିଲେ। ଏହାକୁ ସୁଙ୍ଘିବାକୁ ଗୀତାମ୍ମାଙ୍କୁ କହିବା ସହ ସମାନ ଲେମ୍ବୁରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ଆଶା ଲେମ୍ବୁକୁ ଦୁଇ ଖଣ୍ଡ କରିଥିଲେ ଓ ଏହାକୁ ଗୀତାଙ୍କ ଚୁଟିକୁ ଫିଙ୍ଗିଥିଲେ। ମୁଣ୍ଡରେ ପିଟିଥିଲେ। ବେଶ କିଛି ସମୟ ଧରି ଆଶା ବିଭିନ୍ନ ମନ୍ତ୍ରପାଠ କରି ଏପରି କରି ଚାଲିଥିଲେ।

ଲେମ୍ବୁ ମନ୍ତ୍ର ଶେଷ ହେବା ପରେ ଆତ୍ମଘୋଷିତ ଗୁଣିଆ ଆଶା ଚୁଟି ଧରି ଗୀତାମ୍ମାଙ୍କୁ ପାଖକୁ ଆଣିଥିଲେ। ଏହାପରେ ତାଙ୍କୁ ୪ ଚାପୁଡ଼ା ମାରି ତଳେ ପକାଇ ଦେଇଥିଲେ। ଗୀତାମ୍ମା ତଳେ ପଡ଼ିଥିବା ବେଳେ ଆଶା ଗୋଟିଏ କାଠ ଫାଳିଆ ଆଣିଥିଲେ। ଏଥିରେ ଗୀତାମ୍ମାଙ୍କୁ ପିଟିବା ଆରମ୍ଭ କରିଥିଲେ। ଆକ୍ରମଣରୁ ବର୍ତ୍ତିବାକୁ ସେ ଚେଷ୍ଟା କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା।

ରାତି ୯.୩୦ରୁ ଗୀତାମ୍ମାଙ୍କ ବିରୋଧରେ ନିର୍ଯାତନା ଆରମ୍ଭ ହୋଇଥିବା ବେଳେ ଏହା ରାତି ୧ଟା ଯାଏ ଚାଲିଥିଲା। ଏତେ ସମୟ ଧରି ଗୀତାମ୍ମାଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ସହ ଗୀତାମ୍ମାଙ୍କ ମୃତଦେହକୁ ଜବତ କରିଛି। ଏଥିସହ ହତ୍ୟା ମାମଲା ରୁଜୁ କରି ସଞ୍ଜୟ, ଆଶା ଓ ସନ୍ତୋଷଙ୍କୁ ଗିରଫ କରିଛି। ଏବେ ଘଟଣା ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ କହିଛି।

Murder Karnataka