MP
ବୟସ ୪୫। ଏହି ବୟସରେ ବାହା ହେବାକୁ ଭାରି ବିକଳ ହେଉଥିଲେ। ସର୍ବସମ୍ମୁଖରେ ବାହା ହେବାକୁ ଇଚ୍ଛା ପ୍ରକାଶ କରିବା ସହ ଝିଅ ମିଳୁ ନଥିବା କଥା ଜଣାଇଥିଲେ। ବାସ୍ ବାହା ହେବାକୁ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଏପରି ଉତ୍ସୁକତା ଶେଷରେ ତାଙ୍କ ଜୀବନ ନେଇଛି। ୪୫ ବର୍ଷରେ ବାହା ହୋଇଥିବା ବ୍ୟକ୍ତିଙ୍କୁ ତାଙ୍କର ନୂଆ ପତ୍ନୀ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ବ୍ୟକ୍ତିଙ୍କ ସମ୍ପତ୍ତିକୁ ହାସଲ କରିବା ପାଇଁ ମହିଳା ଜଣଙ୍କ ତାଙ୍କୁ ମିଛ ମିଛିକା ବିବାହ କରିଥିଲେ। ବାହାଘର ମାତ୍ର କିଛି ଦିନ ପରେ ସେ ତାଙ୍କୁ ହତ୍ୟା କରି ସବୁ ସମ୍ପତ୍ତି ନେଇ ଯାଇଛନ୍ତି।
ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଅନ୍ତର୍ଗତ ପଡୱାର ଗାଁର ଇନ୍ଦର କୁମାର ତିୱାରୀ। ତାଙ୍କୁ ଉତ୍ତର ପ୍ରଦେଶରେ ହତ୍ୟା କରାଯାଇଛି। ଇନ୍ଦିର କୁମାର ପାର୍ଟ ଟାଇମ ଶିକ୍ଷକ ଓ କୃଷକ ଭାବେ କାମ କରୁଥିଲେ। ତାଙ୍କ ବୟସ ୪୫ ଛୁଇଁ ଥିଲେ ହେଁ ସେ ବିବାହ ପାଇଁ ଝିଅ ପାଉ ନଥିଲେ। ସେ ବାହା ହେବାକୁ ଭାରି ବିକଳ ହେଉଥିଲେ। ଗତ ମାସରେ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କ ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହି ସମୟରେ ବାହା ହେବାକୁ ଝିଅ ମିଳୁ ନଥିବା କଥା ସର୍ବସମ୍ମୁଖରେ ମହାରାଜଙ୍କୁ ଜଣାଇଥିଲେ।
ଇନ୍ଦିର କୁମାର ଗୁରୁ ଅନିରୁଦ୍ଧାଚାର୍ଯ୍ୟଙ୍କୁ କହିଥିଲେ ଯେ ତାଙ୍କ ପାଖରେ ୧୮ ଏକରର ଜମି ରହିଛି। କିନ୍ତୁ ଏହି ସମ୍ପତ୍ତିକୁ ଦେଖାଶୁଣା କରିବାକୁ କେହି ନାହାନ୍ତି। ସେ ବାହା ହେବାକୁ ଚାହୁଁଥିଲେ ହେଁ ତାଙ୍କୁ ଝିଅ ମିଳୁ ନଥିବା ସେ ସର୍ବସମ୍ମୁଖରେ ଗୁରୁଙ୍କୁ ଜଣାଇଥିଲେ। ଏହାର ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା।
ଭାଇରାଲ ଭିଡିଓରୁ ଫାଇଦା ଠକମାନେ ଉଠାଇଛନ୍ତି। ଇନ୍ଦିର କୁମାର ଭାଇରାଲ ଭିଡିଓର କିଛି ଦିନ ପରେ ହଠାତ୍ ନିଖୋଜ ହୋଇ ଯାଇଥିଲେ। ଜୁନ ୬ରେ ଉତ୍ତର ପ୍ରଦେଶର କୁଶିନଗରର ଜାତୀୟ ରାଜପଥ ୨୮ର ଗୋଟିଏ ବୁଦା ମୂଳରୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ବେକରେ ଛୁରୀ ଭୁଷି ହତ୍ୟା କରାଯାଇଥିବା ପୁଲିସ୍ ଜାଣିବାକୁ ପାଇଥିଲା।
କୁଶିନଗର ଏସ୍ପି ସନ୍ତୋଷ କୁମାର କହିଛନ୍ତି ଯେ ଇନ୍ଦିର କୁମାରଙ୍କ ବାହାଘର ନିବେଦନ ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ତାଙ୍କୁ ଜଣେ ମହିଳା ଯୋଗାଯୋଗ କରିଥିଲେ। ସେ ନିଜକୁ ଖୁସି ତିୱାରୀ ଭାବେ ଇନ୍ଦିର କୁମାରଙ୍କୁ ପରିଚୟ ଦେଇଥିଲେ। କିନ୍ତୁ ତାଙ୍କର ପ୍ରକୃତ ନାଁ ଥିଲା ସାହିବା ବାନୋ। ସୋଶାଲ ମିଡିଆରେ ଖୁସି ବାହାଘର ପ୍ରସ୍ତାବ ଦେବା କ୍ଷଣି ଇନ୍ଦିର କୁମାର ବେଶ ଖୁସି ହୋଇ ଯାଇଥିଲେ।
ଧୀରେଧୀରେ ଇନ୍ଦିର କୁମାର ଓ ସାହିବାଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିଥିଲା। ଶେଷରେ କଥା ବାହାଘର ପାଖରେ ପହଞ୍ଚିଥିଲା। ଇନ୍ଦିର କୁମାରଙ୍କୁ ସାହିବା ଉତ୍ତର ପ୍ରଦେଶର ଗୋରଖପୁରକୁ ଡାକିଥିଲା। ସେଠାରେ ସେ ତାଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲେ। ଇନ୍ଦିର କୁମାର ଏଥିରେ ରାଜି ହୋଇ ଯାଇଥିଲେ। ପରିବାର ଲୋକଙ୍କୁ ଜଣାଇ ଖୁସି ଓରଫ ସାହିବାଙ୍କୁ ବାହା ହେବାକୁ ଇନ୍ଦିର କୁମାର ଖୁସିନଗରକୁ ଯାଇଥିଲେ।
ଗୋରଖପୁରରେ ଉଭୟ ବିବାହ କରିଥିଲେ। କିନ୍ତୁ ବାହାଘରର କିଛି ଦିନ ପରେ ଇନ୍ଦିର କୁମାରଙ୍କ ମୃତଦେହ ମିଳିଥିଲା। ସାହିବା ଓ ତାଙ୍କର କିଛି ସହଯୋଗୀ ଇନ୍ଦିର କୁମାରଙ୍କୁ ନିଜ ଜାଲରେ ଫସାଇ ହତ୍ୟା କରିବା ସହ ବାହାଘର ପାଇଁ ସେ ନେଇଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ ବୋଲି ଏସ୍ପି କହିଛନ୍ତି।
ଇନ୍ଦିର କୁମାରଙ୍କ ମୃତଦେହ ମିଳିବା ପରେ ପୁଲିସ୍ ଘଟଣାର ତଦନ୍ତ କରି ସାହିବାକୁ ଗିରଫ କରିଛି। ତାଙ୍କ ପାଖରୁ ନକଲି ଆଧାର କାର୍ଡ ମିଳିଛି। ଏବେ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ପୁଲିସ୍ ମିଳିତ ଭାବେ ସାହିବାଙ୍କ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/MP_1751269892.jpg)