/odisha-reporter/media/post_attachments/uploadimage/library/16_9/16_9_0/Nora_1755764900.jpg)
Nora
ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଭଳି ପତ୍ନୀ ଦେଖା ଯାଆନ୍ତୁ ବୋଲି ଚାହୁଁଥିଲେ ପାଗଳ ସ୍ୱାମୀ। ନୋରାଙ୍କ ଭଳି ଫିଗର ପତ୍ନୀଙ୍କର ମଧ୍ୟ ହେଉ ବୋଲି ସେ ଚାହୁଁଥିଲେ। ଏଥିପାଇଁ ସେ ପତ୍ନୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ତାଙ୍କ ଖାଇବା ପିଇବା ବନ୍ଦ କରି ଦେଇଥିଲେ। ମାଡ଼ ପାରି ଘଣ୍ଟାଘଣ୍ଟା ଧରି ବ୍ୟାୟାମ କରାଉଥିଲେ।
ପତ୍ନୀ ଗର୍ଭବତୀ ଥିଲେ ମଧ୍ୟ ଏକଥାକୁ ଖାତିର କରି ନଥିଲେ ସ୍ୱାମୀ। ଶେଷରେ ସ୍ୱାମୀଙ୍କ ନିର୍ଯାତନା ଯୋଗୁ ମହିଳାଙ୍କ ଗର୍ଭ ମଧ୍ୟ ନଷ୍ଟ ହୋଇଯାଇଛି। ଦିନକୁ ଦିନ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ପୁଲିସ୍ରେ ପହଞ୍ଚିଛନ୍ତି ପତ୍ନୀ।
ଘରୋଇ ହିଂସା ସହ ଯୌକ ନିର୍ଯାତନାର ଅଭିଯୋଗ ଆଣି ମହିଳା ଜଣଙ୍କ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ଉତ୍ତର ପ୍ରଦେଶର ଗାଜିବାଦରୁ ଏପରି ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ତାଙ୍କୁ ଦୀର୍ଘ ଦିନ ହେଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ କହିଛନ୍ତି। ଅଭିଯୋଗକାରୀ ଶାନୁ ଓରଫ ଶାନଭୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଶିବମ ଉଜ୍ଜ୍ୱଲ ଜଣେ ସରକାରୀ ଶାରୀରିକ ଶିକ୍ଷାର ଶିକ୍ଷକ ବା ପିଟି। ସେ ତାଙ୍କୁ ଦିନକୁ ୩ ଘଣ୍ଟା କାଳ ବ୍ୟାୟାମ କରିବାକୁ ବାଧ୍ୟ କରନ୍ତି। ଯେତେବେଳେ ଶାନୁ ଯନ୍ତ୍ରଣା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ବ୍ୟାୟାମ କରି ନ ପାରନ୍ତି ସେତେବେଳେ ଶିବମ ତାଙ୍କର ଖାଇବା ଦିନ ଦିନ ଧରି ବନ୍ଦ କରି ଦିଅନ୍ତି।
ଶାନୁଙ୍କ କହିବା କଥା ଯେ ଶିବମ ଅଭିନେତ୍ରୀ ନୋରା ଫତେହିଙ୍କ ଫିଗରକୁ ବେଶ ପସନ୍ଦ କରନ୍ତି। ଶାନୁ ସେଭଳି ଦିଶୁ ନଥିବାରୁ ଶିବମ ତାଙ୍କୁ ପସନ୍ଦ କରୁ ନଥିଲେ। ତାଙ୍କୁ ବାହା ହୋଇ ଜୀବନ ବର୍ବାଦ ହୋଇଯାଇଥିବା ମଧ୍ୟ ସେ ବାରମ୍ବାର କହୁଥିଲେ। ପତ୍ନୀ ନୋରା ଭଳି ଦିଶନ୍ତୁ ବୋଲି ଶିବମ ଚାହୁଁଥିବାରୁ ତାଙ୍କୁ ବଳପୂର୍ବକ ନିଜ ଇଚ୍ଛାରେ ବ୍ୟାୟାମ କରାଉଥିଲେ।
ଖାଲି ସେତିକି ନୁହେଁ ଶିବମ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା, ଘରୋଇ ହିଂସା, ଗର୍ଭ ନଷ୍ଟ, ଧମକ ଓ ବ୍ଲାକମେଲିଂ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଶାନୁ।ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଅନ୍ୟ ମହିଳାମାନଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ମୋବାଇଲରେ ଦେଖନ୍ତି। ଏହାକୁ ଶାନୁ ବିରୋଧ କଲେ ସେ ତାଙ୍କୁ ମାଡ଼ ମାରି ଚୁପ କରାଇ ଦିଅନ୍ତି।
ଶାଶୂ, ଶ୍ୱଶୁର ଓ ନଣନ୍ଦ ମଧ୍ୟ ଶାନୁଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ସେମାନେ ଯୌତୁକ ମାଗିବା ସହ ବାପାଙ୍କ ଘରୁ ଦାମୀ ପୋଷାକ, ଗୋଟିଏ ଓଭେନ ଓ ସୁନା ଅଳଙ୍କାର ଆଣିବାକୁ ବାରମ୍ବାର ଚାପ ପକାଉଥିଲେ ବୋଲି ଶାନୁ କହିଛନ୍ତି। ୨୦୨୫ ମସିହା ମାର୍ଚ୍ଚ ମାସରେ ଶାନୁ ଓ ଶିବମ ବେଶ ଧୁମଧାମରେ ଗାଜିବାଦରେ ବିବାହ କରିଥିଲେ। ବାହାଘରରେ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।
ଶାନୁଙ୍କ ପରିବାର ଲୋକ ଶିବମଙ୍କୁ ୨୫ ଲକ୍ଷ ଟଙ୍କାର ଗୋଟିଏ ମହିନ୍ଦ୍ରା ସ୍କୋପ୍ରିଓ ଓ ନଗଦ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଏହା ସତ୍ତ୍ୱେ ଶିବମ ଓ ତାଙ୍କ ପରିବାର ଲୋକ ଶାନୁଙ୍କ ଉପରେ ଜମି, ନଗଦ ଟଙ୍କା ଓ ଅନ୍ୟ ଦାମୀ ଜିନିଷ ଆଣିବାକୁ ବାରମ୍ବାର ଚାପ ପକାଉଥିଲେ।
ବାହାଘର ପରେ କିଛି ଦିନ ସବୁ କିଛି ଠିକଠାକ ଥିଲା। ଶାନୁ ଗର୍ଭବତୀ ମଧ୍ୟ ହୋଇଥିଲେ। ସେ ଗର୍ଭବତୀ ଥିବା ବେଳେ ଶାଶୂ ଘର ଲୋକ ଶରୀରକୁ କ୍ଷତି ପହଞ୍ଚାଇବା ଭଳି ଖାଦ୍ୟ ଦେଉଥିଲେ। ଜୁଲାଇ ମାସରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଶାନୁ ହସ୍ପିଟାଲରେ ଆଡମିଟ ହୋଇଥିଲେ। ଏହି ସମୟରେ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଥିବା ଡାକ୍ତରମାନେ କହିଛନ୍ତି। ଶାରୀରିକ ଓ ମାନସିକ ନିର୍ଯାତନା ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁ ତାଙ୍କ ଭୃଣ ନଷ୍ଟ ହୋଇଥିବା ଡାକ୍ତରମାନେ ନିଶ୍ଚିତ କରିଥିଲେ ବୋଲି ଶାନୁ କହିଛନ୍ତି।
ଏହି ଘଟଣା ପରେ ଶାନୁ ତାଙ୍କ ବାପାଙ୍କ ଘରକୁ ଚାଲି ଆସିଥିଲେ। ସେ ବାପାଙ୍କ ଘରେ ଥିବା ବେଳେ ତାଙ୍କ ସ୍ୱାମୀ, ଶାଶୂ ଓ ନଣନ୍ଦ ଭିଡିଓ କଲରେ ଛାଡ଼ପତ୍ରର ଧମକ ଦେଇଥିଲେ। ଜୁଲାଇ ୨୬ରେ ଶାନୁ ତାଙ୍କ ବାପା ମା’ଙ୍କ ସହ ଶାଶୂ ଘରକୁ ଯାଇଥିଲେ। ହେଲେ ତାଙ୍କୁ ଘର ଭିତରେ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ବାହାଘର ବେଳେ ତାଙ୍କୁ ମିଳିଥିବା ସୁନା ଅଳଙ୍କାର ମଧ୍ୟ ଫେରାଇବାକୁ ଶାଶୂ ଘର ଲୋକ ମନା କରିଦେଇଥିଲେ।
ଏସିପି ସାଲୋନି ଅଗ୍ରୱାଲ ଅଭିଯୋଗକୁ ନିଶ୍ଚିତ କରି କହିଛନ୍ତି ଯେ “ବାହାଘର ପରଠାରୁ ସ୍ୱାମୀ ନିର୍ଯାତନା ଦେଉଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀ ଅଭିନେତ୍ରୀ ନୋରା ଫତେହିଙ୍କୁ ବେଶ ପସନ୍ଦ କରନ୍ତି।
ନୋରାଙ୍କ ଭଳି ପତ୍ନୀ ଦିଶନ୍ତୁ ବୋଲି ଆଶା କରି ସେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରାଉଥିଲେ। ଯଦି ମହିଳା ଜଣଙ୍କ ବ୍ୟାୟାମ କରି ପାରୁ ନଥିଲେ, ସ୍ୱାମୀ ଜଣଙ୍କ ତାଙ୍କ ଖାଇବା ପିଇବା ବନ୍ଦ କରି ଦେଉଥିଲେ। ମହିଳାଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
