/odisha-reporter/media/post_attachments/uploadimage/library/16_9/16_9_0/Bengaluru__1756721213.jpg)
Bengaluru
ସାମ୍ନାକୁ ଆସିଛି ଭୟଙ୍କର ଘଟଣା। ଜଣେ ୩୫ ବର୍ଷୀୟ ମହିଳାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜୀବନ୍ତ ଜାଳି ଦେଇଛନ୍ତି। ବେଙ୍ଗାଲୁରୁରୁ ଏପରି ଘଟଣା ଘଟିଥିବା ବେଳେ ପୀଡ଼ିତା ବନଜକ୍ଷୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।
ପୁଲିସ କହିଛି ଯେ ଅଭିଯୁକ୍ତ ଭିଟଲ ଜଣେ କାର ଡ୍ରାଇଭର ଓ ସେ ସବୁବେଳେ ମଦ ପିଅନ୍ତି। ବନଜକ୍ଷୀଙ୍କ ସହ ଲିଭ ଇନରେ ରହିବା ପୂର୍ବରୁ ସେ ୩ ଜଣଙ୍କୁ ବିବାହ କରିଥିଲେ। ବନଜକ୍ଷୀ ମଧ୍ୟ ପୂର୍ବରୁ ୨ ଥର ବିବାହ କରିଥିଲେ। ତଥାପି ଉଭୟ ୪ ବର୍ଷ ହେଲା ଲିଭ ଇନରେ ରହୁଥିଲେ।
ଭିଟଲ ସବୁବେଳେ ମଦ ପିଉଥିବାରୁ ଏହାକୁ ନେଇ ବନଜକ୍ଷୀଙ୍କ ସହ ତାଙ୍କର ଝଗଡ଼ା ହେଉଥିଲା। ସବୁଦିନ ପାଟିତୁଣ୍ଡ ହେଉଥିବାରୁ ବନଜକ୍ଷୀ ନିକଟରେ ଭିଟଲଙ୍କ ଠାରୁ ଦୂରେଇ ଯାଇଥିଲେ। ଭିଟଲଙ୍କ ଠାରୁ ଅଲଗା ହେବା ପରେ ମରିଆପ୍ପା ନାମକ ଜଣେ ବ୍ୟକ୍ତି ସହ ତାଙ୍କର ବନ୍ଧୁତା ବଢ଼ିଥିଲା। ଏହା ଭିଟଲଙ୍କୁ ବେଶ ବାଧିଥିଲା। ଘଟଣା ଦିନ ବନଜକ୍ଷୀ, ମରିଆପ୍ପା ଓ ତାଙ୍କ କାର ଡ୍ରାଇଭର ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଭିଟଲ ଦେଖି ଦେଇଥିଲେ।
ସେ କାରର ପିଛା କରିଥିଲେ। ଗୋଟିଏ ଟ୍ରାଫିକ ସିଗ୍ନାଲ ଠାରେ ଗାଡ଼ି ଅଟକିବାକୁ ଭିଟଲ ନିଜ ସହ ରଖିଥିବା ପେଟ୍ରୋଲକୁ କାର ଭିତରେ ଢାଳି ଦେଇଥିଲେ। ବନଜକ୍ଷୀ, ମରିଆପ୍ପା ଓ କାର ଚାଳକଙ୍କ ଉପରେ ପେଟ୍ରାଲ ପଡ଼ିବାରୁ ସମସ୍ତେ କାରରୁ ବାହାରି ଦୌଡ଼ିଥିଲେ। କିନ୍ତୁ ଭିଟଲ ଛାଡ଼ିବା ମୁଡରେ ନଥିଲେ। ସେ ବନଜକ୍ଷୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ଏହାପରେ ପୁଣି ତାଙ୍କ ଉପରେ ପେଟ୍ରୋଲ ଢାଳି ଲାଇଟର ମାରି ଦେଇଥିଲେ।
ବିଚ ରାସ୍ତାରେ ବନଜକ୍ଷୀ ଜଳୁଥିବା ବେଳେ ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଏହାକୁ ଦେଖିଥିଲେ। ସେ ଗୋଟିଏ କପଡ଼ା ଦ୍ୱାରା ନିଆଁକୁ ଲିଭାଇବା ସହ ଅନ୍ୟମାନଙ୍କ ସହାୟତାରେ ବନଜକ୍ଷୀଙ୍କୁ ହସ୍ପିଟାଲ ପଠାଇଥିଲେ। ନିଆଁ ଲିଭାଇବା ବେଳେ ସେ ମଧ୍ୟ ଆହତ ହୋଇଛନ୍ତି। ଭିଟଲ ମଧ୍ୟ ସାମାନ୍ୟ ହୋଇଥିବା ବେଳେ ପୁଲିସ୍ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି।
ଡିସିପି ନାରାୟଣ ଏମ କହିଛନ୍ତି, “ଗୋଟିଏ ବ୍ୟକ୍ତିଗତ ବିବାଦ କାରଣରୁ ଏତେ ବଡ଼ ଘଟଣା ଘଟିଛି। ଯାହା ସବୁ ଘଟିଲା ଦୁର୍ଭାଗ୍ୟଜନକ। ଆମେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିଛୁ। ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିବା ବ୍ୟକ୍ତିଙ୍କୁ ଆମେ ସାଧୁବାଦ ଜଣାଉଛୁ। ମହିଳାଙ୍କୁ ରକ୍ଷା କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହୋଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
