Advertisment

ଅନ୍ଧବିଶ୍ୱାସର ଅନ୍ଧାର ଗଳି; ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ହତ୍ୟା କଲେ ପୁଅ, ଜ୍ୱାଇଁ

ଦେବୁ କୋମୁଟି ନାମକ ବୃଦ୍ଧ ଗୁଣିଗାରେଡି କରୁଥିବା ସନ୍ଦେହରେ ତାଙ୍କ ପରିବାର ଲୋକ ହିଁ ପାଲଟିଗଲେ ତାଙ୍କ ଶତ୍ରୁ। ଏପରିକି ୩ ପୁଅ ଓ ଜ୍ୱାଇଁଙ୍କ ସମେତ ୯ ଜଣ ମିଶି ନିର୍ମମ ଭାବେ ବୃଦ୍ଧଙ୍କ ସମେତ ତାଙ୍କ ପତ୍ନୀ ଓ ୧୦ ବର୍ଷୀୟା ନାତୁଣୀର ବି ଜୀବନ ନେଲେ।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନି ମଣିଷ। ଗୋଟିଏ ପଟେ ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗେଇ ଚାଲିଥିବା ବେଳେ ଅନ୍ଧବିଶ୍ୱାସର ଚକ୍ରବ୍ୟୁହରୁ କିନ୍ତୁ ବାହାରି ପାରୁନି। ଏପରିକି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ରକ୍ତ ସମ୍ପର୍କୀୟଙ୍କ ସହ ଖେଳୁଛି ରକ୍ତର ହୋଲି। ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି।

Advertisment

ଏପରି ଏକ ସ୍ପର୍ଶକାତର ଘଟଣା ମହାରାଷ୍ଟ୍ରର ଗୁଣ୍ଡପୁରୀ ଗାଁରେ ଗତ ୬ ତାରିଖରେ ଘଟିଥିଲା। ଦେବୁ କୋମୁଟି ନାମକ ବୃଦ୍ଧ ଗୁଣିଗାରେଡି କରୁଥିବା ସନ୍ଦେହରେ ତାଙ୍କ ପରିବାର ଲୋକ ହିଁ ପାଲଟିଗଲେ ତାଙ୍କ ଶତ୍ରୁ। ଏପରିକି  ୩ ପୁଅ ଓ ଜ୍ୱାଇଁଙ୍କ ସମେତ ୯ ଜଣ ମିଶି ନିର୍ମମ ଭାବେ ବୃଦ୍ଧଙ୍କ ସମେତ ତାଙ୍କ ପତ୍ନୀ ଓ ୧୦ ବର୍ଷୀୟା ନାତୁଣୀର ବି ଜୀବନ ନେଲେ। ଏହି ହତ୍ୟାକାଣ୍ଡ ଅଭିଯୋଗରେ ପୁଲିସ୍‌ ସମସ୍ତ ୯ ଅଭିଯୁକ୍ତଙ୍କୁ ବାନ୍ଧିଛି।  ଅଭିଯୁକ୍ତମାନେ ହାତୁଡ଼ି ଓ ଛୁରୀ ସାହାଯ୍ୟରେ ୩ ଜଣଙ୍କ ଜୀବନ ନେଇଥିବା ଜଣାଯାଇଛି।

ଏନେଇ ବୃଦ୍ଧ ଦେବୁ କୋମୁଟିଙ୍କ ଜଣେ ପୁଅ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଥିଲା। ତଦନ୍ତ ପରେ ଏଥିରେ ବୃଦ୍ଧଙ୍କ ୩ ପୁଅ, ଜ୍ୱାଇଁ ଓ ୫ ଅନ୍ୟ ଯୁବକ ସାମିଲ ଥିବା ଜଣାପଡ଼ିଛି।

Advertisment

ବୃଦ୍ଧଜଣକ ଗୁଣିଗାରେଡ଼ି କରୁଥିବାରୁ ଗାଁରେ ବହୁ ଲୋକଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଥିଲା। ମାତ୍ର ପୁଲିସ୍‌ ତଦନ୍ତରୁ ମୃତକମାନେ କ୍ୟାନସର ପରି ଗୁରୁତର ରୋଗରେ ପୀଡ଼ିତ ହୋଇ ଆଖି ବୁଜିଥିବା ଜାଣିବାକୁ ପାଇଥିଲା।

ଏହାପରେ ଦେବୁଙ୍କୁ ରାସ୍ତାରୁ ହଟାଇବାକୁ ଗ୍ରାମବାସୀ ତାଙ୍କ ପୁଅ ଓ ଜ୍ୱାଇଁଙ୍କ ଉପରେ ଚାପ ପକାଉଥିଲେ।  ଯୋଜନା ମୁତାବକ ଘଟଣା ଦିନ ଦେବୁ କୋମଟି ପତ୍ନୀ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ପୁଅ, ଜ୍ୱାଇଁଙ୍କ ସମେତ ୯ ଜଣ ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ହାତୁଡ଼ି, ଛୁରୀ ପରି ମାରଣାସ୍ତ୍ରରେ ଦେବୁ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

ଉକ୍ତ ରୁମ୍‌ରେ ଶୋଇଥିବା ଦେବୁଙ୍କ ନାତୁଣୀ ସମସ୍ତ ଘଟଣା ଦେଖି ଦେଇଥିବା ବେଳେ କଥା ବାହାରେ ପ୍ରଘଟ କରିଦେବ ଭାବି ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଥିଲେ।

Murder Maharashtra Black Magic Arrest