Shivu
ବେଙ୍ଗାଲୁରୁର କୁଖ୍ୟାତ ଅପରାଧୀ ଶିବକୁମାର ଓରଫ ବିକଲୁ ଶିବୁଙ୍କୁ ମଙ୍ଗଳବାର ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଶିବୁ ଇଷ୍ଟର୍ଣ୍ଣ ବେଙ୍ଗାଲୁରୁରେ ଥିବା ୱାର ମେମୋରିଆଲ ସର୍କଲ ସ୍ଥିତ ନିଜ ଘର ନିକଟରେ ମଙ୍ଗଳବାର ରାତି ପ୍ରାୟ ୮.୧୦ରେ ଛିଡ଼ା ହୋଇଥିଲେ। ଏହି ସମୟରେ ୮ରୁ ୧୦ ଜଣ ବ୍ୟକ୍ତି ଧାରୁଆ ଅସ୍ତ୍ର ଓ ଲୁହା ରଡ ଦ୍ୱାରା ତାଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଥିଲେ।
ସେମାନଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଶିବୁଙ୍କ ମୁଣ୍ଡ ପୂରା ଛେତେରା ହୋଇ ଯାଇଥିଲା। ତାଙ୍କ ମୁହଁ ମଧ୍ୟ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଭୟଙ୍କ ଆକ୍ରମଣ ଯୋଗୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶିବୁଙ୍କୁ ହତ୍ୟା କରିବା ପରେ ଆକ୍ରମଣକାରୀମାନେ ଗୋଟିଏ ବୋଲେର ଓ ଏକାଧିକ ବାଇକରେ ସେଠାରୁ ଚମ୍ପଟ ମାରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଡିସିପି ଡି ଦେବରାଜ ଓ ଯୁଗ୍ମ କମିଶନର ରମେଶଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ସେମାନେ ନିଶ୍ଚିତ କରିଛନ୍ତି ଯେ ୪୦ ବର୍ଷୀୟ ଶିବକୁମାର ଓରଫ ଶିବୁଙ୍କ ନାଁରେ ୧୧ଟି ମାମଲା ରହିଥିଲା। ୨୦୦୬ରୁ ସେ ଅପରାଧ ଦୁନିଆ ସହ ଜଡ଼ିତ ହୋଇ ରହିଥିଲେ।
ଶିବୁଙ୍କ ହତ୍ୟାକୁ ନେଇ ଭାରତୀନଗର ପୁଲିସ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ ହୋଇଛି। ଏଫଆଇଆରରେ କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ବିଧାୟକ ବି ବାସବରାଜଙ୍କ ନାଁ ରହିଛି। ହତ୍ୟାକାଣ୍ଡର ୫ମ ଅଭିଯୁକ୍ତ ହେଉଛନ୍ତି ବାସବରାଜ। ବିଜେପି ବିଧାୟକଙ୍କ ବିରୋଧରେ ଶିବୁଙ୍କ ମା’ ବିଜୟଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଗୋଟିଏ ଜମି ଜମା ବିବାଦ କାରଣରୁ ବିଧାୟକ ବାସବରାଜ ଅନ୍ୟମାନଙ୍କ ସହ ଷଡ଼ଯନ୍ତ୍ର କରି ତାଙ୍କ ପୁଅଙ୍କୁ ହତ୍ୟା କରିଥିବା ବିଜୟଲକ୍ଷ୍ମୀ ଏଫଆଇଆରରେ ଉଲ୍ଲେଖ କରିଛନ୍ତି।
ଅଭିଯୋଗ ଅନୁସାରେ, ଶିବ କୁମାର ରିୟଲ ଇଷ୍ଟେଟ ବ୍ୟବସାୟ ସହ ଜଡ଼ିତ ଥିଲେ। ୨୦୨୩ରେ ସେ ଗୋଟିଏ ଜମି କିଥାଗନୁରରେ କିଣିଥିଲେ। ସେଠାରେ ସେ ଗୋଟିଏ ଘର କରିବା ସହ ଏହାର ରକ୍ଷାଣବେକ୍ଷଣ ପାଇଁ ଜ୍ୟୋତି ଓ ହାମସା ନାମକ ଦୁଇ ଜଣ ମହିଳାଙ୍କୁ ନିଯୁକ୍ତ କରିଥିଲେ।
କିନ୍ତୁ ଚଳିତ ବର୍ଷ ଫେବୃଆରୀ ୧୧ରେ ଦୁଇ ମହିଳାଙ୍କୁ ଜଗଦୀଶ ଓ କିରଣ ନାମକ ଦୁଇ ଜଣ ବ୍ୟକ୍ତି ସେଠାରୁ ବଳପୂର୍ବକ ବିଦା କରି ଦେଇଥିଲେ। ଏଥିସହ ଫୋନରେ ସେମାନେ ଶିବ କୁମାରଙ୍କୁ ଧମକ ଦେଇ ଜମିକୁ ଜଗଦୀଶଙ୍କ ନାଁରେ କରି ଦେବାକୁ ଚେତାବନୀ ଦେଇଥିଲେ। ଯଦି ଶିବ କୁମାର ଜମିକୁ ଜଗଦୀଶଙ୍କ ନାଁରେ ନ କରିବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ତାଙ୍କୁ ଧମକ ଦିଆଯାଇଥିଲା।
ନିୟମିତ ଭାବେ ଶିବ କୁମାରଙ୍କୁ ଏପରି ଧମକ ମିଳିବାରୁ ସେ ଜଗଦୀଶ, କିରଣ ଓ ବିଧାୟକ ବାସବରାଜଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍ କୌଣସି ପଦକ୍ଷେପ ନେଇ ନଥିଲା।
ଜୁଲାଇ ୧୫ ତାରିଖ ଦିନ ୨ଟା ବେଳେ ଶିବ କୁମାର ଘରକୁ ଆସିବା ସହ ଲଞ୍ଚ କରି ବିଶ୍ରାମ ନେଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ତାଙ୍କ ଗାଡ଼ି ଡ୍ରାଇଭର ଲୋକେଶଙ୍କୁ ଫୋନ କରି କାର ଚାବି କାହିଁକି କାହାକୁ ଦେଇଛୁ ବୋଲି ଚିତ୍କାର କରି ଫୋନରେ କଥା ହୋଇଥିଲେ। ସନ୍ଧ୍ୟା ପ୍ରାୟ ୮ଟା ବେଳେ ଶିବ କୁମାର ଘରୁ ବାହାରିବାରୁ ମା’ ବିଜୟଲକ୍ଷ୍ମୀ ମଧ୍ୟ ତାଙ୍କ ପଛେପଛେ ଗେଟ ପାଖକୁ ଯାଇଥିଲେ।
ଗେଟ ଠାରୁ ସାମାନ୍ୟ ଦୂରରେ ଶିବ କୁମାର ନିଜର ଦୁଇ ଡ୍ରାଇଭର ଇମ୍ରାନ ଖାନ ଓ ଲୋକେଶଙ୍କ ସହ କଥା ହେଉଥିବା ବିଜୟଲକ୍ଷ୍ମୀ ଦେଇଥିଲେ। ଏହାପରେ ସେ ଘର ଭିତରକୁ ଆସିଥିଲେ। କିଛି ସମୟ ପରେ ସେ ପୁଣି ବାହାରକୁ ଯିବା ବେଳେ ସେଠାରେ ଲୋକେଶ, ଇମ୍ରାନ କିମ୍ବା ଶିବ କୁମାର ନଥିଲେ। ପୁଅ କୁଆଡ଼େ ଗଲା ବୋଲି ବିଜୟଲକ୍ଷ୍ମୀ ଆଖି ବୁଲାଉଥିବା ବେଳେ ଜୋରରେ ଶବ୍ଦ ହୋଇଥିଲା।
ବିଜୟଲକ୍ଷ୍ମୀ ଘର ସାମ୍ନାକୁ ଯିବା କ୍ଷଣି ୮ରୁ ୧୦ ଜଣ ଲୋକ ଶିବ କୁମାରଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରୁଥିବା ଦେଖିବାକୁ ପାଇଥିଲେ। ଇମ୍ରାନ ସେମାନଙ୍କ କବଳରୁ ଶିବ କୁମାରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଲୋକେଶ ପୂରା ଘଟଣାକୁ ମୋବାଇଲରେ ରେକର୍ଡ କରିଥିଲେ।
ବିଜୟଲକ୍ଷ୍ମୀ ଏହାକୁ ଦେଖି ଚିତ୍କାର କରିଥିଲେ। ଲୋକମାନେ ଦୌଡ଼ାଦୌଡ଼ି ହୋଇ ଆସିବା ବେଳକୁ ଦୁର୍ବୃତ୍ତମାନେ ଶିବ କୁମାରଙ୍କୁ ହତ୍ୟା କରି ସାରିଥିଲେ। ଏହାପରେ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ବିଜୟଲକ୍ଷ୍ମୀଙ୍କ କହିବା କଥା ଯେ ସେ ଆକ୍ରମଣକାରୀଙ୍କୁ ଦ୍ୱିତୀୟ ଥର ଦେଖିଲେ ଚିହ୍ନି ପାରିବେ। ବିଜୟଲକ୍ଷ୍ମୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଜଗଦୀଶ, କିରଣ, ବିମଳ, ଅନୀଲ ଓ ଅନ୍ୟମାନେ ବିଧାୟକ ବାସବରାଜଙ୍କ କଥାରେ ତାଙ୍କ ପୁଅଙ୍କୁ କିଥାଗନୁର ଜମି ପାଇଁ ହତ୍ୟା କରିଛନ୍ତି।
ପୁଲିସ୍ ଏବେ ଏଫଆଇଆର ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। କିନ୍ତୁ ଏଯାଏ କାହାକୁ ବି ଗିରଫ କରିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Shivu_1752651887.jpg)