୨୦୨୪ ମସିହା ମେ’ ୧୮ ତାରିଖ। ଜଣେ ୧୭ ବର୍ଷୀୟ ଝିଅ ସବୁଦିଦ ଭଳି ସେଦିନ ମଧ୍ୟ ଚାଲିଚାଲି ପାଠପଢ଼ିବାକୁ ଯାଉଥିଲେ। ନିଜ ଇନିଷ୍ଟିଚ୍ୟୁଟ ଠାରୁ ଝିଅଟି ଅଳ୍ପ ଦୂରରେ ଥିବା ବେଳେ ଘଟିଥିଲା ଅପ୍ରତ୍ୟାଶିତ ଘଟଣା। ପୂର୍ବରୁ ତାଙ୍କୁ ଅପେକ୍ଷା କରି ରହିଥିବା ଗୋଟିଏ କାର୍ରୁ ଜଣେ ବ୍ୟକ୍ତି ବାହାରିଥିଲେ। ସେ ଝିଅଟିକୁ ଜାଣିଥିଲେ ଓ ସେ ସୁବିଦିନ ଏହି ରାସ୍ତାରେ ଚାଲିଚାଲି ଇନଷ୍ଟିଚ୍ୟୁଟକୁ ଯାଆନ୍ତି ବୋଲି ତାଙ୍କୁ ଜଣାଥିଲା।
ପରିଚିତ ବ୍ୟକ୍ତିଙ୍କୁ ଦେଖି ଝିଅ ଜଣଙ୍କ ଅଟକି ଯାଇଥିଲେ। ହେଲେ ସେ ଜାଣିଥିଲେ ଯେ ତାଙ୍କ ସହ ଭୟଙ୍କର ଘଟଣା ଘଟିବାକୁ ଯାଉଛି। ବ୍ୟକ୍ତି ଜଣଙ୍କ ତାଙ୍କ ସହ କଥାବାର୍ତ୍ତା ହେବା ଛଳରେ ପାଖକୁ ଡାକିଥିଲେ। ବାସ୍ ସେ କିଛି ବୁଝିବା ଆଗରୁ ତାଙ୍କୁ ବଳପୂର୍ବକ କାର ଭିତରେ ପୂରାଇ ଦେଇଥିଲେ। ଝିଅଟି ଚିତ୍କାର କରିବାରୁ ବ୍ୟକ୍ତିଙ୍କ ଜଣଙ୍କ କାର ସହ ସେଠାରୁ ଦ୍ରୁତ ଗତିରେ ତାଙ୍କୁ ନେଇ ଚାଲି ଯାଇଥିଲେ। ଏଥିସହ କାର ଭିତରେ ତାଙ୍କୁ ମାଡ଼ ମାରି ନିଶା ଖୁଆଇ ଦେଇଥିଲେ। ନିଶାସକ୍ତ ଅବସ୍ଥାରେ ସେ ଝିଅଟିର ବିଶ୍ୱାସରେ ବିଷ ଦେଇ ତାଙ୍କୁ ଉତ୍ତର ପ୍ରଦେଶର ମୈନପୁରୀରୁ ଅପହରଣ କରି ନେଇଥିଲେ।
ଏକାଦଶ ଶ୍ରେଣୀରେ ପଢ଼ୁଥିବା ଝିଅଟିକୁ ଅପହରଣ କରି ନିଆଯିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏପଟେ ଝିଅକୁ ନ ପାଇ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହେବାରେ ଲାଗିଥିଲେ। ପୁଲିସ୍ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ଝିଅଟିକୁ ଠାବ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ୮ ମାସ ଯାଏ କୌଣସି ସୁଫଳ ମିଳି ନଥିଲା। ଏଇ ୮ ମାସ କିନ୍ତୁ ଝିଅଟି ପାଇଁ କୌଣସି ନର୍କ ଯନ୍ତ୍ରଣାରୁ କମ ନଥିଲା।
ଅପହରଣ ପରେ କ’ଣ ଘଟିଥିଲା?
ଝିଅଟିକୁ ଅପହରଣ କରାଯିବା ପରେ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ନିଆଯାଉଥିଲା। ସେଠାରେ ସପ୍ତାହ ସପ୍ତାହ ଧରି ତାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ତାଙ୍କୁ କେତେବେଳେ ଦୁଷ୍କର୍ମ କରାଯାଉଥିଲା ତ ଆଉ କେତେ ବେଳେ କିଣାବିକା କରାଯାଉଥିଲା। ଏକାଧିକ ପୁରୁଷ ଓ ମହିଳା ଝିଅଟି ସହ କ୍ଲୀତଦାସ ଭଳି ବ୍ୟବହାର କରୁଥିଲେ। ତାଙ୍କୁ କିଣୁଥିବା ବ୍ୟକ୍ତି ଯୌନ ନିର୍ଯାତନା ଦେବା ପରେ ପୁଣି ଆଉ ଜଣଙ୍କୁ ବିକ୍ରି କରି ଦେଉଥିଲା। ଜଣେ ମହିଳା ମଧ୍ୟ ଝିଅଟିକୁ କିଣି ଟଙ୍କା ଆୟର ମାଧ୍ୟମ କରିଥିଲେ। ଏହି କିଣା ବିକା ଓ ଅସହ୍ୟ ଯନ୍ତ୍ରଣା ମଧ୍ୟରେ ଝିଅଟି ରାଜସ୍ଥାନର ଆଜମେରରେ ପହଞ୍ଚିଥିଲେ। ଏହା ତାଙ୍କ ହୋମଟାଉନ ଠାରୁ ୬୫୦ କିମି ଦୂର।
ଆଜମେରରେ ବିଷ୍ଣୁ ମାଳି ନାମକ ଜଣେ ବ୍ୟକ୍ତି ଝିଅଟିକୁ ୩.୫ ଲକ୍ଷ ଟଙ୍କାରେ କିଣିଥିଲେ। ସେ ବାହା ହେବାକୁ ଜଣେ କନ୍ୟା ଖୋଜୁ ଥିବା ବେଳେ ତାଙ୍କ ନଜର ମୈନପୁରୀରୁ ଅପହରଣ ହୋଇଥିବା ଝିଅଟି ଉପରେ ପଡ଼ିଥିଲା। ତାଙ୍କ ସୁନ୍ଦରତା ଦେଖି ବିଷ୍ଣୁ ବେଶ ଉତ୍ସାହିତ ହୋଇଯାଇଥିଲେ। କିନ୍ତୁ ତାଙ୍କୁ ଜଣା ନଥିଲା ଯେ ୮ ମାସ ଧରି ଝିଅ ଜଣଙ୍କ କେଉଁ ସବୁ ପରିସ୍ଥିତି ଦେଇ ଗତି କରିଛନ୍ତି। ସେ ଝିଅଟି ବିଷୟରେ କିଛି ନ ଜାଣି ତାଙ୍କୁ ବାହା ହେବା ଉଦ୍ଦେଶ୍ୟରେ କିଣି ଦେଇଥିଲେ। ବାହାଘର ଭୂତ ବିଷ୍ଣୁଙ୍କ ମୁଣ୍ଡରେ ଏତେ ମାତ୍ରାରେ ଚଢ଼ି ଯାଇଥିଲେ ଯେ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଝିଅଟି ସହ ଏକାଧିକ ଫଟୋ ପୋଷ୍ଟ କରିପକାଇଥିଲେ।
ବାସ୍ ସୋଶାଲ ମିଡିଆରେ ବିଷ୍ଣୁ ପୋଷ୍ଟ କରିଥିବା ଫଟୋ ଦୀର୍ଘ ମାସ ହେଲା ନର୍କ ଯନ୍ତ୍ରଣା ଭୋଗୁଥିବା ଝିଅଟିର ଭାଗ୍ୟର ମୋଡକୁ ବଦଳାଇ ଦେଇଥିଲା। ବିଷ୍ଣୁ କରିଥିବା ଫଟୋ ସୋଶାଲ ମିଡିଆ ଜରିଆରେ ମୈନପୁରୀରେ ପହଞ୍ଚି ଯାଇଥିଲା। ସୌଭାଗ୍ୟବଶତଃ ସେଠାକାର ଜଣେ ଯୁବକ ଏହାକୁ ଦେଖି ପାରିଥିଲେ। ଏଥିସହ ୨୦୨୪ ମେ’ ୧୮ ତାରିଖରେ ଝିଅଟି ନିଖୋଜ ଥିବା ସେ ହୃଦୟଙ୍ଗମ କରି ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ। ମୈନପୁରୀ ପୁଲିସ୍ ତୁରନ୍ତ ରାଜସ୍ଥାନ ପୁଲିସ୍ର ସହାୟତା ଲୋଡ଼ିଥିଲା। ଝିଅଟି ସହ ଫଟୋ ପୋଷ୍ଟ କରିଥିବା ବିଷ୍ଣୁ ମାଳିକୁ ପୁଲିସ୍ ଆଜମେରରୁ ଉଠାଇଥିଲା।
ପୁଲିସ୍ କ’ଣ କହିଲା?
ପୁଲିସ୍ ଫଟୋ ଦେଖିବା ପରେ ସୋଶାଲ ମିଡିଆରେ ଯାଞ୍ଚ ଆରମ୍ଭ କରିଥିଲା। ଅଭିଯୁକ୍ତ ମାଳିର ସୋଶାଲ ମିଡିଆର ଛାନଭିନ କରିବା ବେଳେ ପୁଲିସ୍ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ନୀରଜ ନାମକ ଜଣେ ବ୍ୟକ୍ତି ଆଜମେରରେ ବିଷ୍ଣୁ ମାଳିଙ୍କୁ ୩.୫ ଲକ୍ଷ ଟଙ୍କାରେ ଝିଅଟିକୁ ବିକ୍ରି କରିଥିଲା। ଏବେ ଅଭିଯୁକ୍ତମାନଙ୍କ ନାଁରେ ଦୁଷ୍କର୍ମ, ଅପହରଣ, ମାନବ ଚାଲାଣ ଓ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସେହିପରି ବିଷ୍ଣୁ ମାଳିକୁ ପୁଲିସ ଗିରଫ କରି ଗୁରୁବାର ମଣିପୁର ଆଣିଥିଲେ। ତାଙ୍କୁ କୋର୍ଟରେ ହାଜର କରି ଜେଲ ପଠାଇ ଦିଆଯାଇଛି। ସେହପରି ୮ ମାସ ଧରି ନର୍କ ଯନ୍ତ୍ରଣା ଭୋଗୁଥିବା ଝିଅଟିକୁ ମଧ୍ୟ ପୁଲିସ୍ ଉଦ୍ଧାର କରିଛି।
ନର୍କ ଯନ୍ତ୍ରଣା ଭୋଗିଥିବା ଝିଅ ଜଣଙ୍କ ବକ୍ଷାଣିଲେ ନିର୍ଯାତନାର କାହାଣୀ
ପୀଡ଼ିତା ଜଣଙ୍କ କହିଛନ୍ତି, “ମୋତେ ପ୍ରଥମେ ଏଠାରୁ ପଡ଼ୋଶୀ ଗାଁରେ ରହୁଥିବା ନୀରଜ ନାମକ ଜଣେ ବ୍ୟକ୍ତି ଅପହରଣ କରି ନେଇଥିଲେ। ଏହାପରେ ମୋତେ ଇଟାୱା ନିଆଯାଇ ଡ୍ରଗ ଦିଆଯାଇଥିଲା। ମୋତେ ଦୁଷ୍କର୍ମ କରାଯିବା ପରେ ଆଗ୍ରାରେ ରବି ଓ ବବୀଙ୍କୁ ବିକ୍ରି କରାଯାଇଥିଲା। ଏହା ନର୍କ ଯନ୍ତ୍ରଣାରୁ କମ ନଥିଲା। ମୁଁ ବୁଝି ସାରିଥିଲି ଯେ ଭୁଲ ଲୋକ ହାତରେ ମୋତେ ଦିଆଯାଇଛି। ରବି ଓ ବବୀ ମୋତେ ନିର୍ଯାତନା ଦେବା ପରେ ଆଜମେରକୁ ଚାଲାଣ କରିଥିଲେ। ସେଠାରେ ଆଶା ଜୈନ ନାମକ ଜଣେ ମହିଳାଙ୍କୁ ମୋତେ ବିକ୍ରି କରାଯାଇଥିଲା। ଆଶା ବଳପୂର୍ବକ ମୋର ବାହାଘର ବିଷ୍ଣୁ ମାଳି ସହ କରିବାକୁ ବ୍ୟବସ୍ଥା କରିଥିଲେ।”
ମାଳିଙ୍କ ପରିବାର ଲୋକ ପୁଲିସ୍କୁ କହିଛନ୍ତି ଯେ ଦୀର୍ଘ ଦିନ ହେଲା ବିଷ୍ଣୁ ପାଇଁ ସେମାନେ ଉପଯୁକ୍ତ କନ୍ୟା ଖୋଜୁ ଥିଲେ। କିନ୍ତୁ ସେମାନଙ୍କୁ କୌଣସି ସୁଫଳ ମିଳୁ ନଥିଲା। ତେଣୁ ସେମାନେ ଝିଅଟିକୁ କିଣି ବିଷ୍ଣୁ ସହ ବାହାଘର କରିବାକୁ ଚାହୁଁଥିଲେ। ଝିଅଟି ୮ ମାସ ହେଲା ନର୍କ ଯନ୍ତ୍ରଣା ଭୋଗୁଥିବା ବେଳେ ମଣିପୁରରେ ତାଙ୍କ ବାପା ମା’ ବିଭିନ୍ନ ଜିଲ୍ଲା ବୁଲି ତାଙ୍କୁ ଖୋଜିବାରେ ଲାଗିଥିଲେ। ଏଥିସହ ପୁଲିସ୍କୁ ସହଯୋଗ କରିବାକୁ ନେହୁରା ହେଉଥିଲେ।
ମୈନପୁରୀ ଏସ୍ପି(ଗ୍ରାମାଞ୍ଚଳ) ଅନୀଲ କୁମାର କହିଛନ୍ତି, “ପ୍ରଥମେ ଅପହରଣ ମାମଲା ରୁଜୁ ହୋଇଥିଲା। ଏବେ ଆମେ ମାମଲାର ବିସ୍ତୃତ ତଦନ୍ତ କରୁଛୁ। ଝିଅଟି ସହ ଅମାନୁଷିକ କାର୍ଯ୍ୟ କରିଥିବା ସମସ୍ତଙ୍କ ବିରୋଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।