Advertisment

ଟଙ୍କା ପାଇଁ ତେଲେଙ୍ଗାନାରେ ବନ୍ଧକ ଥିଲା ନାବାଳିକା; ଉଦ୍ଧାର କଲା ପୁଲିସ

କାମ କରିଥିବା ମଜୁରୀ ଦେବା ବଦଳରେ ଟଙ୍କା ଦାବି କରିଥିଲା ଦାଦନ ସର୍ଦ୍ଦାର ଶଙ୍କର।

ଅଦ୍ୟତନ ହୋଇଛି
Balangir

Balangir

Advertisment

କିଛିଟା ଟଙ୍କା ପାଇଁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟି ମାଲିକ ନିକଟରେ ବନ୍ଧକ ଥିବା ନାବାଳିକାକୁ ଉଦ୍ଧାର କରିଛି ପୁଲିସ। ବେଲପଡ଼ା ଥାନା ପୁଲିସ ଆଜି ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାର ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ତାକୁ ହସ୍ତାନ୍ତର କରିବ ପୁଲିସ।

Advertisment

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍‌ ସୁଲେକେଲା ଗାଁର ରହୁଥିବା କାହ୍ନୁ ମଲ୍ଲିକଙ୍କୁ ଗାଁରେ କାମଦାମ ନ ମିଳିବାରୁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସାଙ୍ଗରେ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଦୁଇ ଝିଅକୁ ନେଇ ଯାଇଥିଲେ।  ତୁରେଇକେଲା ଥାନା ତେନ୍ତୁଳିଖୁଣ୍ଟି ଗାଁର ଶ୍ରମିକ ଦଲାଲ୍‌ ସମାରୁ ନାୟକଙ୍କ ପରାମର୍ଶରେ କାହ୍ନୁ ଦାଦନ ଖଟିବାକୁ ଯାଇଥିଲେ। ଦାଦନ ଖଟିବାକୁ ଯିବା ପୂର୍ବରୁ ଇଟାଭାଟି ମାଲିକଙ୍କ ଠାରୁ ୮୦ ହଜାର ବଇନା ନେଇଥିଲେ। କାମ କଲେ ଅଧିକ ମଜୁରୀ ମିଳିବ ବୋଲି କାହ୍ନୁଙ୍କୁ ଦଲାଲ କହିଥିଲା। କାହ୍ନୁ ଦିନ ରାତିରେ ସେଠାରେ କାମ କରିଥିଲେ।

ସେଠାରେ କାହ୍ନୁ କିଛି ଦିନ କାମ କରିବା ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଦିନ ରାତି ତାଙ୍କୁ କାମ କରିବା ପାଇଁ କୁହାଯାଇଥିଲା। କିଛି ଉପାୟ ନପାଇ କାହ୍ନୁ, ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଝିଅମାନେ କାମ କରିଥିଲେ। ହେଲେ ବିନା କାରଣରେ କାହ୍ନୁଙ୍କୁ ଦାଦନ ସର୍ଦ୍ଦାର ମାଡ଼ ମାରୁଥିଲା। ଯେଉଁଥିପାଇଁ ପ୍ରତିବାଦ କରୁଥିଲେ ଲକ୍ଷ୍ମୀପ୍ରିୟା। ହେଲେ ସେ କିଛି ଶୁଣୁନଥିଲା।

Advertisment

ଅକଥନୀୟ ନିର୍ଯାତନା ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲା କାହ୍ନୁ। ତାଙ୍କୁ କୌଣସି ଚିକିତ୍ସା ସେବା ଯୋଗାଇ ଦିଆଗଲା ନାହିଁ। ଦିନକୁ ଦିନ କାହ୍ନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ଘରକୁ ଯିବା ପାଇଁ ଦାଦନ ସର୍ଦ୍ଦାର ଶଙ୍କରଙ୍କ ପାଖରେ ଗୁହାରୀ କରିଥିଲେ ଲକ୍ଷ୍ମୀ। କେତେ ନେହୁରା ହେଲା ପରେ ଛାଡ଼ିବା ପାଇଁ ରାଜି ହୋଇଥିଲା ଦାଦନ ସର୍ଦ୍ଦାର ଶଙ୍କର। ଆଉ ତା’ପରେ କାହ୍ନୁ, ପତ୍ନୀ ଲକ୍ଷ୍ମୀ ଓ ଦିବ୍ୟାଙ୍ଗ ଝିଅକୁ ଘରକୁ ଯିବା ପାଇଁ ଛାଡ଼ିଥିଲା। ହେଲେ ୧୧ ବର୍ଷର ଝିଅକୁ ଅଟକାଇ ଦେଇଥିଲା ଦାଦନ ସର୍ଦ୍ଦାର । କାମ କରିଥିବା ମଜୁରୀ ଦେବା ବଦଳରେ ଟଙ୍କା ଦାବି କରିଥିଲା ଦାଦନ ସର୍ଦ୍ଦାର ଶଙ୍କର।

କିଛି ଉପାୟ ନପାଇ ରୋଗୀଣା ସ୍ୱାମୀଙ୍କୁ ଧରି ଘରକୁ ଫେରିଥିଲା ଲକ୍ଷ୍ମୀ। ମେଡ଼ିକାଲରେ ସ୍ୱାମୀଙ୍କ ଚିକିତ୍ସା କରାଇଥିଲା। ହେଲେ ପାଖରେ ସମ୍ୱଳ ନଥିବାରୁ ଝିଅକୁ କେମିତି ଫେରାଇବେ, ସେହି ଚିନ୍ତାରେ ପଡ଼ିଯାଇଥିଲା ଲକ୍ଷ୍ମୀ। ପରେ ନିଜର ଜମିବାଡ଼ି ବିକି ୫୦ ହଜାର ଟଙ୍କା ସଂଗ୍ରହ କରିଥିଲା।  ସେହି ଟଙ୍କାକୁ ଅନ୍‌ଲାଇନ୍‌ରେ ଦାଦନ ସର୍ଦ୍ଦାର ଶଙ୍କରଙ୍କ ପାଖକୁ ପଠାଇଥିଲା। ଏହା ସତ୍ତ୍ୱେ ଦାଦନ ସର୍ଦ୍ଦାର ଶଙ୍କର ଝିଅକୁ ଛାଡିଲା ନାହିଁ। ସେ ଆହୁରି ୩୦ ହଜାର ଟଙ୍କା ଦାବି କରିଥିଲା ଦାଦନ ସର୍ଦ୍ଦାର। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବେଲପଡ଼ା ଥାନା ପୁଲିସ ନାବାଳିକା ଝିଅକୁ ଆଣିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲା। ଦାଦନ ସର୍ଦ୍ଦାର ନିକଟରୁ ଆଜି ନାବାଳିକାକୁ ଉଦ୍ଧାର କରି ଆଣିଥିଲା।

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe