Advertisment

ଅଧାବାଟରେ ଗାଡ଼ିରୁ ସରିଗଲା ପେଟ୍ରୋଲ; ଦୋକାନରେ ନାବାଳକଙ୍କୁ ବନ୍ଧା ପକାଇ ଅପହରଣକାରୀ ଛୁ

ପୁଲିସ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Deogarh

Deogarh

ଅଧାବାଟରେ ଗାଡ଼ି ଦେଲା ଧୋକା। ପଣ୍ଡ ହେଲା ଅପହରଣ ଉଦ୍ୟମ। ବାଟରେ ଗାଡ଼ିରୁ ତେଲ ସରିଯିବାରୁ ଦୋକାନରେ ତେଲ ପକାଇ ନାବାଳକଙ୍କୁ ବନ୍ଧାପକାଇ ପଳାଇଲା ଅପହରଣକାରୀ। ପୁଲିସ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣା ଘଟିଛି ଦେବଗଡ଼ ଜିଲ୍ଲାରେ ।

Advertisment

ସଂପୃକ୍ତ ନାବାଳକଙ୍କ ମା’ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୫ ଦିନ ହେଲା ଚିକିତ୍ସିତ ହେଉଛନ୍ତି। ନାବାଳକ ଜଣକ ମା’ ପାଖରେ ରହି ଦେଖାଶୁଣା କରୁଥିଲେ। ଗତକାଲି ମଧ୍ୟାହ୍ନ ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଉକ୍ତ ନାବାଳକଙ୍କୁ ତାଙ୍କ ମାମୁର ପରିଚୟ ଦେବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଡାକି ନେଇଥିଲେ। ନାବାଳକଙ୍କୁ ଘରକୁ ନେଇ ଯିବାକୁ ବ୍ୟକ୍ତି ଜଣଙ୍କ କହିଥିଲେ। ନାବାଳକଙ୍କ ଜଣଙ୍କ ତାଙ୍କ କଥାରେ ରାଜି ହୋଇଯାଇଥିଲେ। ହେଲେ ସେ ବ୍ୟକ୍ତି ଜଣଙ୍କ ନାବାଳକଙ୍କୁ ତାଙ୍କ ଘରକୁ ନନେଇ ଅନ୍ୟତ୍ର ନେଇ ଯାଉଥିଲେ।

କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଂଟାବାହାଳ ଗାଁ ନିକଟରେ ଅପହରଣକାରୀର ଗାଡ଼ିରୁ ପେଟ୍ରୋଲ ସରି ଯାଇଥିଲା। ନିକଟରେ ଏକ ଦୋକାନରେ ଅପହରଣକାରୀ ଜଣଙ୍କ ପେଟ୍ରୋଲ ପକାଇଥିଲେ। ତେଲ ପକାଇ ସାରିବା ପରେ ଦୋକାନୀ ଜଣଙ୍କ ତାଙ୍କୁ ପଇସା ମାଗିଥିଲେ। ହେଲେ ଅପହରଣକାରୀ ପାଖରେ ଟଙ୍କା ନଥିବାରୁ ସେ ବିଭିନ୍ନ ବାହାନା କରିଥିଲା। ଶେଷରେ ଅପହରଣ କରି ନେଉ ଯାଉଥିବା ନାବାଳକଙ୍କୁ ଦୋକାନରେ ବନ୍ଧା ପକାଇ ପଇସା ଆଣିବାକୁ ଘରକୁ ଯାଉଛି ବୋଲି ଅପହରଣକାରୀ କହିଥିଲା।

Advertisment

ଦୀର୍ଘ ସମୟ ଧରି ଅପହରଣକାରୀ ନ ଆସିବାରୁ ଦୋକାନୀ ଜଣକ ଗ୍ରାମବାସୀଙ୍କୁ ଡାକିବା ସହ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ ପହଞ୍ଚି ନାବାଳକଙ୍କୁ ପଚରାଉଚରା କରିଥିଲେ। ପରେ ନାବାଳକଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ନାବାଳକର ମା’ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ତଦନ୍ତ କରିବା ସହ ଅପହରଣ କାରୀଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।

ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ

Odisha Police Deogarh