/odisha-reporter/media/post_attachments/uploadimage/library/16_9/16_9_0/Rajalaxmi_1747477728.jpg)
Rajalaxmi
ରାସ୍ତାକଡ଼ରୁ ପାଇ ଯେଉଁ ୩ ଦିନର ଶିଶୁକନ୍ୟାକୁ ଲାଳନପାଳନ କରିଥିଲେ, ୧୩ ବର୍ଷ ବୟସରେ ସେ ଦୁଇ ପୁରୁଷ ବନ୍ଧୁଙ୍କ ସହିତ ମିଶି ତାଙ୍କୁ ମାରିଦେଲେ। ପାଳିତା ମା’କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ହାର୍ଟ ଆଟାକର ରୂପ ଦେବାରେ ସଫଳ ହୋଇଥିବା ଏହି ନାବାଳିକାଙ୍କ କଳା କାରନାମାର ଗୁମର ଫିଟାଇଥିଲା ତାଙ୍କ ଇନଷ୍ଟାଗ୍ରାମ ବାର୍ତ୍ତାଳପ। ପୁଲିସ ତାଙ୍କୁ ଓ ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି, ମନୀଷା (ଛଦ୍ମନାମ), ଗଣେଶ ରଥ (୨୧) ଓ ଦୀନେଶ ସାହୁ (୨୦)।
ମୃତ ମହିଳାଙ୍କ ନାଁ ରାଜଲକ୍ଷ୍ମୀ କର। ତାଙ୍କୁ ୫୪ ବର୍ଷ ହୋଇଥିଲା। ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଘର ଭଡ଼ା ନେଇ ରହୁଥିଲେ। ପୋଷ୍ୟ କନ୍ୟା ମନୀଷାଙ୍କ ସହିତ ସେ ରହୁଥିଲେ। ମନୀଷା ସେଠାରେ ଏକ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି।
କେମିତି ମାରିଥିଲେ
ଗତ ଏପ୍ରିଲ ୨୯ ତାରିଖ ସନ୍ଧ୍ୟାରେ ମନୀଷା ଚତୁରତାର ସହିତ ମା’ ରାଜଲକ୍ଷ୍ମୀ କରଙ୍କୁ ନିଦ ବଟିକା ଖୁଆଇ ଦେଇଥିଲେ। ନିଦ ବଟିକା ଖାଇବା ପରେ ରାଜଲକ୍ଷ୍ମୀ ଅଚେତ ହୋଇଯାଇଥିଲେ। ଯୋଜନା ମୁତାବକ ମନୀଷା ତୁରନ୍ତ ଦୁଇ ପୁରୁଷ ବନ୍ଧୁ ଗଣେଶ ଓ ଦୀନେଶଙ୍କୁ ଫୋନ୍ କରି ଘରକୁ ଡାକିଥିଲେ। ତିନି ଜଣ ମିଶି ରାଜଲକ୍ଷ୍ମୀଙ୍କ ମୁହଁରେ ତକିଆ ରଖି ତାଙ୍କୁ ହତ୍ୟା କରିଥିଲେ। ରାଜଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଯାଇଥିବା ନିଶ୍ଚିତ ହେବା ପରେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାଜଲକ୍ଷ୍ମୀଙ୍କୁ ହୃଦଘାତ ହୋଇଥିଲା ବୋଲି ମନୀଷା କହିଥିଲେ। ତାଙ୍କ କଥାକୁ ଡାକ୍ତରଖାନା କର୍ମଚାରୀ ବିଶ୍ୱାସ କରିଥିଲେ। କାରଣ ରାଜଲକ୍ଷ୍ମୀଙ୍କର ହାର୍ଟ ସମସ୍ୟା ଥିଲା। ସେହିପରି ରାଜଲକ୍ଷ୍ମୀଙ୍କ ପରିବାର ଲୋକେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ନେଇଥିଲେ। ଏପ୍ରିଲ ୩୦ ତାରିଖରେ ଭୁବନେଶ୍ୱରରେ ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ରାଜଲକ୍ଷ୍ମୀଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।
ଗୁମର ଫିଟାଇଲା ଇନଷ୍ଟାଗ୍ରାମ ବାର୍ତ୍ତାଳପ
ଘଟଣା ଘଟିବାର ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜଲକ୍ଷ୍ମୀଙ୍କୁ ଯେ ହତ୍ୟା କରାଯାଇଛି, ସେହି ଟେର କେହି ପାଇ ନଥିଲେ। ମେ’ ୧୩ ତାରିଖରେ ରାଜଲକ୍ଷ୍ମୀଙ୍କ ଭାଇ ଶିବ ପ୍ରସାଦ ମିଶ୍ରଙ୍କ ହାତରେ ପଡ଼ିଥିଲା ମନୀଷାଙ୍କ ଫୋନ। ମନୀଷା ଭୁବନେଶ୍ୱରରେ ଫୋନ୍ ଛାଡ଼ି ପାରଳାଖେମୁଣ୍ଡି ଯାଇଥିଲେ। ଶିବ ପ୍ରସାଦ ମିଶ୍ର ଫୋନ୍ଟିକୁ ଯାଞ୍ଚ କରୁଥିବା ବେଳେ ମନୀଷାଙ୍କ ଇନଷ୍ଟାଗ୍ରାମ ବାର୍ତ୍ତାଳପଗୁଡ଼ିକୁ ପଢ଼ି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଥିରେ ରହିଥିଲା ତାଙ୍କ ଭଉଣୀ ରାଜଲକ୍ଷ୍ମୀଙ୍କୁ ହତ୍ୟା କରିବାର ପୂରା ଯୋଜନା। ରାଜଲକ୍ଷ୍ମୀଙ୍କୁ ହତ୍ୟା କରି ତାଙ୍କ ସୁନାଗହଣା ଓ ଟଙ୍କା ହଡ଼ପ କରିବାକୁ ଷଡ଼ଯନ୍ତ୍ର କରିଥିଲେ ମନୀଷା ଓ ତାଙ୍କର ଦୁଇ ପୁରୁଷ ବନ୍ଧୁ।
କାହିଁକି ଘଟିଲା ଏହି ଜଘନ୍ୟକାଣ୍ଡ
ମେ’ ୧୪ ତାରିଖରେ ଶିବ ପ୍ରସାଦ ମିଶ୍ର ପାରଳାଖେମୁଣ୍ଡି ପହଞ୍ଚି ତାଙ୍କ ଭଉଣୀ ରାଜଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ପୁଲିସ ମନୀଷା ଓ ତାଙ୍କର ଦୁଇ ପୁରୁଷ ବନ୍ଧୁ ଗଣେଶ ଓ ଦୀନେଶଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପାରଳାଖେମୁଣ୍ଡିରୁ ଗିରଫ କରାଯାଇଥିଲା।
ଗଜପତି ଜିଲ୍ଲା ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ୧୪ ବର୍ଷ ତଳେ ରାଜଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଭୁବନେଶ୍ୱରର ଏକ ରାସ୍ତାକଡ଼ରୁ ମନୀଷାଙ୍କୁ ପାଇଥିଲେ। ସେତେବେଳେ ମନୀଷାଙ୍କୁ ମାତ୍ର ୩ ଦିନ ହୋଇଥିଲା। ରାଜଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କର ପିଲାପିଲି ନଥିଲେ। ତେଣୁ ସେମାନେ ମନୀଷାଙ୍କୁ ପାଖରେ ରଖିଥିଲେ ଓ ନିଜ ଝିଅ ଭଳି ଲାଳନପାଳନ କରିଥିଲେ।
ମନୀଷାଙ୍କୁ ଝିଅ ଭାବେ ଗ୍ରହଣ କରିବାର ପ୍ରାୟ ବର୍ଷେ ପରେ ରାଜଲକ୍ଷ୍ମୀଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଥିଲା। ତା’ପରଠାରୁ ରାଜଲକ୍ଷ୍ମୀ ଏକୁଟିଆ ମନୀଷାଙ୍କୁ ଲାଲନପାଳନ କରିଥିଲେ। କିଛି ବର୍ଷ ତଳେ ସେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସିଥିଲେ। ଝିଅକୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ାଇବା ପାଇଁ ସେ ପାରଳାଖେମୁଣ୍ଡିକୁ ଶିଫ୍ଟ ହୋଇଥିଲେ ଓ ଏକ ଭଡ଼ା ଘରେ ରହୁଥିଲେ।
ଝିଅ ମନୀଷା ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଗଣେଶ ଓ ଦୀନେଶଙ୍କ ସହିତ ରିଲେସନଶିପ୍ରେ ରହିଥିଲେ, ଯେଉଁମାନେ ତାଙ୍କଠାରୁ ବୟସରେ ବେଶ୍ ବଡ଼। ରାଜଲକ୍ଷ୍ମୀ ଏହି ରିଲେସନଶିପ୍କୁ ବିରୋଧ କରିଥିଲେ। ଫଳରେ ମନୀଷାଙ୍କ ସହିତ ତାଙ୍କର ଝଗଡ଼ା ବଢ଼ିଥିଲା।
ରାଜଲକ୍ଷ୍ମୀ ନିଜ ଜିଦରେ ଅଟଳ ରହିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ମନୀଷାଙ୍କୁ ଅଭିଯୁକ୍ତ ଗଣେଶ ରଥ କହିଥିବା ପୁଲିସ କହିଛି। ରାଜଲକ୍ଷ୍ମୀଙ୍କୁ ମାରିଦେଲେ ସେମାନେ ରିଲେସନଶିପ୍ରେ ରହିପାରିବେ, ତା’ସହିତ ତାଙ୍କ ସଂପତ୍ତି ମଧ୍ୟ ପାଇଯିବେ ବୋଲି ମନୀଷାକୁ ଗଣେଶ କହିଥିବା ପୁଲିସ କହିଛି। ଆଉ ସେହି ଅନୁସାରେ ଏପ୍ରିଲ ୨୯ ତାରିଖରେ ରାଜଲକ୍ଷ୍ମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା।
ରାଜଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ତାଙ୍କର କିଛି ସୁନାଗହଣାକୁ ଗଣେଶ ରଥଙ୍କୁ ଦେଇଥିଲେ ମନୀଷା। ଗଣେଶ ସେଗୁଡ଼ିକୁ ବିକ୍ରି କରି ୨ଲକ୍ଷ ୪୦ ହଜାର ଟଙ୍କା ଆଣିଥିଲା। ପୁଲିସ ଗଣେଶଠାରୁ ପ୍ରାୟ ୩୦ ଗ୍ରାମର ସୁନାଗହଣା ଜବତ କରିଛି। ଏହା ସହିତ ଅଭିଯୁକ୍ତମାନଙ୍କଠାରୁ ୩ଟି ମୋବାଇଲ ଫୋନ ଜବତ କରିଛି ପୁଲିସ। ହତ୍ୟାରେ ବ୍ୟବହୃତ ଦୁଇଟି ତକିଆକୁ ପୁଲିସ ଜବତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
