Minor Student Suicide (Representational Image)
ରାଜସ୍ଥାନର ଶିକ୍ଷାନଗରୀ ଭାବେ ପରିଚିତ କୋଟା ଏବେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟାର ହଟସ୍ପଟ ଭାବେ ପରିଚିତ ହେଲାଣି। ସାରା ଦେଶରୁ ଏଠାକୁ ଆଇଆଇଟି, ଜେଇଇ, ନିଟ୍ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀ ଆସିଥାନ୍ତି। ହେଲେ ଅତ୍ୟଧିକ ମାନସିକ ଚାପ ହେଉ ବା ଅନ୍ୟ କୌଣସି କାରଣରୁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିବା ଘଟଣା ଚିନ୍ତା ବଢ଼ାଇଛି। କୋଟାରେ କିଛି ଦିନର ବ୍ୟବଧାନ ପରେ ପୁଣି ଘଟିଛି ଅଘଟଣ। ଝୁଲି ପଡ଼ିଛନ୍ତି ଜଣେ ୧୬ ବର୍ଷୀୟ ଆଇଆଇଟି-ଜେଇଇ ପ୍ରସ୍ତୁତି କରୁଥିବା ଛାତ୍ର। ବିଜ୍ଞାନ ନଗର ଥାନା ଅଞ୍ଚଳରେ ଏକ ଘରୋଇ ହଷ୍ଟେଲରେ ପଙ୍ଖାରେ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହଷ୍ଟେଲର ସମସ୍ତ ରୁମରେ ଲାଗିଥିବା ପଙ୍ଖାରେ ଆତ୍ମହତ୍ୟା ରୋକିବାକୁ ଆଣ୍ଟି-ହ୍ୟାଙ୍ଗିଂ ଡିଭାଇସ ଲାଗିଥିଲା। ଏହା ସତ୍ତ୍ୱେ ଛାତ୍ର ଜଣକ କିପରି ଏଥିରେ ଝୁଲିପଡ଼ି ନିଜ ଜୀବନ ହାରିଲେ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଯଦିଓ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି, ହେଲେ ରୁମରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ। ତେବେ ନାବାଳକ ଛାତ୍ର ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାର ପ୍ରକୃତ କାରଣ ମଧ୍ୟ ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିଜ୍ଞାନ ନଗର ଥାନା ଅଧିକାରୀଙ୍କ କହିବା ମୁତାବକ, ୧୬ ବର୍ଷୀୟ ମୃତ ଛାତ୍ର ଜଣକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର। ବିହାରର ବୈଶାଳୀ ଜିଲ୍ଲାରେ ତାଙ୍କ ଘର। ସେ ଚଳିତ ବର୍ଷ ଏପ୍ରିଲ ମାସରୁ କୋଟାର ଏକ ଘରୋଇ କୋଚିଂ ସେଣ୍ଟରରେ ଆଇଆଇଟି-ଜେଇଇ ପ୍ରସ୍ତୁତି କରୁଥିଲେ।
ପୁଲିସ କହିବା ଅନୁସାରେ ନାବାଳକ ଛାତ୍ର ଜଣଙ୍କୁ ତାଙ୍କ ପରିବାର ଲୋକେ ଶୁକ୍ରବାର ଦିନ ସାରା ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଶେଷରେ ସେମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଯାଇଦେଖିଲେ ବେଳକୁ ଛାତ୍ରଙ୍କ ମୃତଦେହ ସେ ରହୁଥିବା ରୁମର ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତେବେ ଚିନ୍ତାର ବିଷୟ ହେଉଛି ଚଳିତ ବର୍ଷ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ କୋଟାରେ ଛାତ୍ର ଆତ୍ମହତ୍ୟାର ଏହା ୧୭ଶ ମାମଲା। ପୂର୍ବ ବର୍ଷ, ଅର୍ଥାତ ୨୦୨୩ରେ କୋଟାରେ ମୋଟ ୨୬ ଛାତ୍ର ଆତ୍ମହତ୍ୟା ମାମଲା ଆସିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us