Advertisment

ରାତି ଅଧରେ ଘରେ ପଶିଲେ ଦୁର୍ବୃତ୍ତ; ବୃଦ୍ଧାଙ୍କୁ ପିଟି ସୁନା ଗହଣା ଲୁଟିନେଲେ

ଗତ ରାତିରେ ଖାଇପିଇ ସାରି ଅଭୟ ପଲାଇ ଓ ପ୍ରମିଳା ପଲାଇ ଅଲଗା ଅଲଗା ରୁମ୍‌ରେ ଶୋଇଥିଲେ। କାହା ରୁମ୍‌ର କବାଟ ଦିଆଯାଇ ନ ଥିଲା।

author-image
Niharika Rout
Loot

Loot

 ଘରେ ଥିବା ବୟସ୍କ ଦମ୍ପତିଙ୍କୁ ଟାର୍ଗେଟ କଲେ ଲୁଟେରା। ରାତି ଅଧରେ ଘରେ ପଶିଲେ । ବୃଦ୍ଧଙ୍କ କବାଟ ବାହାରୁ ବନ୍ଦ କରି ତାଙ୍କ ପତ୍ନୀଙ୍କ ରୁମ୍‌ରେ ପଶିଲେ। ଏହାପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେଲେ। ଏପରି ଏକ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ସାଵରଙ୍ଗ ଥାନା ଅନ୍ତର୍ଗତ ଚକପୁର ଗ୍ରାମରେ ହୋଇଛି।

Advertisment

ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଲେ ଅଭୟ ପଲାଇ ଓ ପ୍ରମିଳା ପଲାଇ । ଗୁରୁତର ଅବସ୍ଥାରେ ପ୍ରମିଳା ପଲାଇ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅଭୟ ପଲାଇ ଓ ପ୍ରମିଳା ପଲାଇ ଘରେ ଏକୁଟିଆ ରହୁଥିବା ବେଳେ ସେମାନଙ୍କ ୪ ପୁଅ ବାହାରେ ରହୁଛନ୍ତି। ସେମାନେ ପୁଲିସ୍‌ ବିଭାଗରେ ଚାକିରି କରିଥିବା ଜଣାଯାଇଛି।

Advertisment

ଗତ ରାତିରେ ଖାଇପିଇ ସାରି ଅଭୟ ପଲାଇ ଓ ପ୍ରମିଳା ପଲାଇ ଅଲଗା ଅଲଗା ରୁମ୍‌ରେ ଶୋଇଥିଲେ। କାହା ରୁମ୍‌ର କବାଟ ଦିଆଯାଇ ନ ଥିଲା। ରାତି ପ୍ରାୟ ୧ଟା ପରେ ୨ ଦୁର୍ବୃତ୍ତ ପ୍ରଥମେ ଘରର ଗ୍ରୀଲ୍‌ ଓ କବାଟ ତାଡ଼ି ଭିତରେ ପଶିଥିଲେ। ଏହାପରେ ସେମାନେ ଅଭୟ ପଲାଇଙ୍କ ରୁମ୍‌କୁ ବାହାକୁ ବନ୍ଦ କରି ଦେଇଥିଲେ।

ପରେ ସେମାନେ ପ୍ରମିଳାଙ୍କ ରୁମ୍‌ରେ ପଶିଥିଲେ। ସେଠାରେ ସେମାନେ ପ୍ରମିଳାଙ୍କୁ ନିର୍ଧୂମ ପିଟିଥିବା ବେଳେ ଆଲମାରିରୁ ଟଙ୍କା, ସୁନା ସବୁ ନେଇ ଯାଇଥିଲେ। ଦୁବୃର୍ତ୍ତମାନେ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ୩ ଲକ୍ଷ ନଗଦ କ୍ୟାସ୍‌ ନେଇ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପ୍ରମିଳାଙ୍କ ଚିତ୍କାର ଶୁଣି ଅଭୟ ରୁମ୍‌ ବାହାରକୁ ଆସିବାକୁ ଉଦ୍ୟମ କରିବାରୁ ସମ୍ଭବ ହୋଇ ପାରି ନ ଥିଲା। ଏହାପରେ ପଡ଼ୋଶୀମାନେ ଆସି କବାଟ ଖୋଲିବା ପରେ ଗୁରତର ଅବସ୍ଥାରେ ପ୍ରମିଳାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ହୋଇଥିବା ବେଳେ ଉଭୟ ହାତ ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବା ଜଣାଯାଇଛି।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବ ବୋଲି ଜଣାଯାଇଛି। ଏନେଇ ପରିବାର ଲୋକେ କାହା ଉପରେ ସନ୍ଦେହ କରି ପାରି ନ ଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Loot Lootera Bhadrak