Advertisment

ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ୩ ଦୁର୍ବୃତ୍ତ

ଅଧ୍ୟାପକଙ୍କ ମାନସିକ ନିର୍ଯାତନା ସହ୍ୟ କରି ନପାରି ଓ ନ୍ୟାୟ ନପାଇ ଏଫ୍‌ଏମ୍‌ କଲେଜରେ ଜଣେ ଛାତ୍ରୀ ଆତ୍ମାହୁତି କରିବାର ଠିକ୍‌ ସପ୍ତାହେ ପରେ ଆଜି ପୁରୀରେ ଜଣେ ନାବାଳିକାଙ୍କ ଦେହରେ ଲଗାଇ ଦିଆଯାଇଛି ନିଆଁ।

ଅଦ୍ୟତନ ହୋଇଛି
Fire

Fire

Advertisment

ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ୩ ଦୁର୍ବୃତ୍ତ। ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏହି ଘଟଣା।

Advertisment

ଗୁରୁତର ନାବାଳିକାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୭୫% ପୋଡ଼ିଯାଇଛି। ତାଙ୍କୁ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।

AIIMS ନିର୍ଦ୍ଦେଶକ ଡାକ୍ତର (ପ୍ରଫେସର) ଆଶୁତୋଷ ବିଶ୍ୱାସ କହିଛନ୍ତି,ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଛି। ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ। କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି। ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ତାଙ୍କୁ ୪୮ ଘଣ୍ଟା ଅବଜରଭେସନ୍‌ରେ ରଖାଯିବ। ସେ  ଭେଣ୍ଟିଲେଟରରେ ନାହାନ୍ତି। ତାଙ୍କୁ ICUରେ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି।

Advertisment

ଏମ୍ସରେ ଚିକିତ୍ସାଧୀନ ଥିବା ଏହି ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କ ବୟାନ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିଗୁଡ଼ିକୁ ପୁଲିସ ଯାଞ୍ଚ କରୁଛି।  

ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି ୩ ଦୁର୍ବୃତ୍ତ। ସେମାନେ ମୁହଁରେ ମୁଖା ପିନ୍ଧି ଆସିଥିଲେ ବୋଲି ପୀଡ଼ିତା ଜଣଙ୍କ ତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ କହିଥିଲେ।

ନାବାଳିକା ଜଣଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି, ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ମୋ ଘର ଭିତରକୁ ଦୌଡ଼ି ଆସିଥିଲା। ତା’ ଦେହରେ ନିଆଁ ଲାଗିଥିବାରୁ ତୁରନ୍ତ ତା’ ଉପରେ ପାଣି ଢାଳି ଦେଇଥିଲି। ନିଆଁ ଲିଭାଇ ତାକୁ ପୋଷାକ ପିନ୍ଧାଇଥିଲି। ତା’ ଶରୀରର ବିଭିନ୍ନ ସ୍ଥାନ ପୋଡ଼ିଯାଇଛି। କାହାକୁ ବହି ଦେଇ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତା’ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ସେ କହିଥିଲା। ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧିଥିଲେ ବୋଲି ସେ କହିଥିଲେ। ସେମାନଙ୍କୁ ସେ ଚିହ୍ନି ନଥିବା କହିଥିଲେ।

ପୁରୀ ବଳଙ୍ଗା ଥାନାରେ ପୀଡ଼ିତାଙ୍କ ମା’ ଏତଲା ଦେଇଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ ଦୁର୍ବୃତ୍ତମାନେ ତାଙ୍କ ଝିଅ ମୁହଁରେ ରୁମାଲ ପକାଇ ଅଚେତ କରି ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ। ଝିଅ ସେମାନଙ୍କ କବଳରୁ ଖସି ଆସି ତେରହଳ ଗାଁକୁ ପଳାଇ ଆସିଥିଲା। ୩ ଦୁର୍ବୃତ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। 

ପୁରୀ ଏସ୍‌ପି ପିନାକ ମିଶ୍ର ବଳଙ୍ଗାରେ ପହଞ୍ଚି ଉକ୍ତ ନାବାଳିକାଙ୍କ ସାଙ୍ଗ ଓ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି। ତା’ ସହିତ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି।

ଏସ୍‌ପି କହିଛନ୍ତି, ସ୍ପେଶାଲ୍‌ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଏହା ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ। ଏହାକୁ ଗୁରୁତର ସହ ନେଇଛୁ। ଏଯାଏଁ କାହାରିକୁ ଅଟକ କରାଯାଇନି। କେବଳ ପଚରାଉଚରା ଜାରି ରହିଛି। ଫୋରେନସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ସ୍ପଷ୍ଟ ହୋଇନି। 

ଘଟଣାସ୍ଥଳରୁ ଫୋରେନସିକ୍ ଟିମ୍ ୨ଟି ବୋତଲ ଜବତ କରିଛି। ଦୁଇଟି ଯାକ ବୋତଲରେ ଅଧା ଯାଏ କିରାସିନି ଅଛି। ତା’ ସହିତ ଦିଆସିଲି, ଚୁଡ଼ି ଓ ଚପଲ ଆଦି ଜବତ କରିଛି ଫୋରେନସିକ ଟିମ୍।

AIIMSରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିଛି କଂଗ୍ରେସର ଏକ ଟିମ୍। ସେମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତା’ ସହିତ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।

ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ ସେ ଏହି ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି। ଦିବାଲୋକରେ ହତ୍ୟା ପ୍ରୟାସ ହୋଇଛି। ବାଲେଶ୍ୱର ଘଟଣାକୁ ସପ୍ତାହେ ନ ପୂରୁଣୁ ପୁଣି ସେଭଳି ଏକ ଘଟଣା ଘଟିଛି। ମହିଳାମାନଙ୍କ ବିରୋଧରେ ଏପରି ଘଟଣା ଏବେ ପ୍ରାୟ ପ୍ରତିଦିନ ଘଟୁଛି। ସରକାରୀ ନିଷ୍କ୍ରିୟତା ଓ ରାଜନୀତିକ ପୃଷ୍ଠପୋଷକତା ଯୋଗୁଁ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି। ଓଡ଼ିଶା ସରକାର ଗଭୀର ନିଦ୍ରାରୁ ଉଠି ଅପରାଧୀଙ୍କୁ ଗିରଫ କରିବେ କି ବୋଲି ସେ ଲେଖିଛନ୍ତି।

ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ପ୍ରଶାସନ ସ୍ଥାଣୁ ପାଲଟି ଯାଇଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ରାଜ୍ୟରେ ଛାତ୍ରୀ ଓ ମହିଳା ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି। ପୁଲିସ ଓ ପ୍ରଶାସନକୁ ଆଉ ଭୟ କରୁନାହାନ୍ତି ଅପରାଧୀ। ସରକାର ସମ୍ବେଦନଶୂନ୍ୟ ହୋଇ ସୁଶାସନର ଡିଣ୍ଡିମ ପିଟି ଚାଲିଛି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଳଙ୍ଗା ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଆମ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବେ। ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ। ଅପରାଧୀ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ଆମେ ଚେଷ୍ଟା କରିବୁ। 

ପୁରୀ ବଳଙ୍ଗା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏହି ଦୃଦୟ ବିଦାରକ ଘଟଣାରେ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ମର୍ମାହତ ବୋଲି ସେ କହିଛନ୍ତି। ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି। ପୀଡ଼ିତା ନାବାଳିକାଟିର ଚିକିତ୍ସା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବଦ୍ଧପରିକର ବୋଲି ଶ୍ରୀ ପଣ୍ଡା କହିଛନ୍ତି। 

Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe