Advertisment

ଜମି ବିବାଦରୁ ଭୟଙ୍କର କାଣ୍ଡ: ଜଣଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଗୋଟିଏ ପରିବାରର ୫ ଜଣଙ୍କୁ ମାରିଦେଲେ

ପ୍ରେମ ଯାଦବ ଓ ସତ୍ୟପ୍ରକାଶ ଦୁବେଙ୍କ ମଧ୍ୟରେ ଜମି ବିବାଦକୁ ଛକାପଞ୍ଝା ଲାଗିଥିଲା।

author-image
Hemant Lenka
UP

UP

ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜମି ବିବାଦରୁ ଘଟିଛି ଭୟଙ୍କର କାଣ୍ଡ। ଜମି ବିବାଦରୁ ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ୬ ଜଣଙ୍କ ଜୀବନ ଯାଇଛି। ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ପୋଡ଼ାଜଳା ମଧ୍ୟ ହୋଇଛି। ଜଣଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଶତାଧିକ ଲୋକ ଗୋଟିଏ ପରିବାରର ୫ ଜଣଙ୍କୁ ଗୁଳି ଓ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି।

Advertisment

ରୁଦ୍ରପୁର ନିକଟ ଫତେପୁର ଗାଁରେ ପୂରା ଘଟଣା ଘଟିଛି। ଏଠାରେ ଗୋଟିଏ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା। ପ୍ରେମ ଯାଦବ ଓ ସତ୍ୟପ୍ରକାଶ ଦୁବେଙ୍କ ମଧ୍ୟରେ ଜମି ବିବାଦକୁ ଛକାପଞ୍ଝା ଲାଗିଥିଲା।

ତେବେ ଏହି ବିବାଦର ସମାଧାନ ପାଇଁ ପ୍ରେମ ଯାଦବ ଚାହିଁଥିଲେ। ତେଣୁ ଆଜି ସେ ସତ୍ୟପ୍ରକାଶଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ଚାଲିଥିବା ବେଳେ ହଠାତ୍‌ ଦୁବେଙ୍କ ଘରର ଜଣେ ମହିଳା ଧାରୁଆ ଅସ୍ତ୍ରରେ ଯାଦବଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ହିଁ ଯାଦବଙ୍କ ମୃତ୍ୟୁ ହୋଇଯାଇଥିଲା।

Advertisment

ଏହି ଖବର ପ୍ରଚାରିତ ହେବା କ୍ଷଣି ଯାଦବଙ୍କ ଶତାଧିକ ସମର୍ଥକ ସତ୍ୟପ୍ରକାଶ ଦୁବେଙ୍କ ଘର ଉପରେ ଆକ୍ରମଣ କରି ଦେଇଥିଲେ। ଏଥିସହ ଆଖପାଖରେ ଥିବା ପରିବାର ଲୋକଙ୍କ ଗାଡ଼ି ଓ ଅନ୍ୟାନ୍ୟ ଜିନିଷରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଯାଦବଙ୍କ ସମର୍ଥକମାନେ ଆଖିବୁଜା ଗୁଳିମାଡ଼ ମଧ୍ୟ କରିଥିଲେ। କିଛି ଲୋକ ଘର ବାହାରେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଥିବା ବେଳେ ଆଉ କିଛି ଘର ଭିତରକୁ ଧସେଇ ପଶିଥିଲେ।

ସେମାନେ ଦୁବେଙ୍କ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ୫୪ ବର୍ଷୀୟ ଦୁବେଙ୍କ ସମେତ ତାଙ୍କ ପତ୍ନୀ କିରଣ, ଝିଅ ସାଲୋନି ଓ ନନ୍ଦନୀ ଏବଂ ପୁଅ ଗାନ୍ଧି ରହିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଏଥିପାଇଁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ପୁଲିସ କହିଛି ଯେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭାବିତ ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Uttar Pradesh Crime