Advertisment

୭ ଝିଅଙ୍କ ମା’ ଗିରଫ, ପୁଅ ପୁଅ ହେଉଥିବା ସ୍ୱାମୀଙ୍କୁ ମାରିବାକୁ ଦେଇଥିଲେ ୨ ଲକ୍ଷ ଟଙ୍କା ସୁପାରୀ

ସବୁ ବେଳେ ପୁଅ ପୁଅ ହେଉଥିଲେ। ୭ଟି ଝିଅର ବାପା ହୋଇସାରିବା ସତ୍ତ୍ୱେ ଆଉ ଥରେ ବିବାହ କରିବାକୁ ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

Woman

Woman

Advertisment

ପୁଅ ଚାହୁଁଥିଲେ ସ୍ୱାମୀ। କିନ୍ତୁ ପୁଅ ହେଉ ନଥିଲା। ସେଥିପାଇଁ ସ୍ତ୍ରୀଙ୍କୁ ଦେଉଥିଲେ ନିର୍ଯାତନା। ପୁଣି ଥରେ ବିବାହ କରିବେ ବୋଲି ବାରମ୍ବାର ଦେଉଥିଲେ ଧମକ। ନିର୍ଯାତନା ଅସହ୍ୟ ହେବାରୁ ସ୍ୱାମୀଙ୍କୁ ମାରିବାକୁ ୨ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ ସ୍ତ୍ରୀ। ସ୍ୱାମୀ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ସ୍ତ୍ରୀକୁ ଗିରଫ କରିଛି ପୁଲିସ୍। ଘଟଣାଟି ଘଟିଛି ମହାରାଷ୍ଟ୍ରର ପୁନେର ନିଗଡୀ ଥାନାର ଅକୁର୍ଡି ଅଞ୍ଚଳରେ।

Advertisment

ପୁଲିସ୍ ଉକ୍ତ ମହିଳା (୩୫)ଙ୍କ ସହିତ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଅମନ ପୂଜାରୀ ଓ ଶିବମ ଦୁବେ। ଅମନ ଓ ଶିବମଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ରହିଛି।

୭ଟି ଝିଅଙ୍କ ମା’ ଏହି ମହିଳା ଜଣଙ୍କ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇସାରିଥିଲେ। ସେଥିପାଇଁ ନିଜେ ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ପୂର୍ବରୁ ପ୍ରୟାସ କରିଥିଲେ। ସେଥିରେ ସଫଳ ନହେବାରୁ ସେ ଅମନ ଓ ଶିବମଙ୍କୁ ୨ ଲକ୍ଷ ଟଙ୍କା ଦେଇ ସ୍ୱାମୀଙ୍କୁ ହତ୍ୟା କରିବାକୁ କହିଥିଲେ।

Advertisment

ଏହି ମହିଳାଙ୍କ ଜଣେ ଝିଅ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଡିସେମ୍ବର ୭ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଅମନ ଓ ଶିବମ ତାଙ୍କ ଘରକୁ ଆସିଥିଲେ। ସେତେବେଳେ ତାଙ୍କ ମା’ ଘରେ ନଥିଲେ। ସେ ତାଙ୍କର ଜଣେ ଭଉଣୀକୁ ସାଙ୍ଗରେ ନେଇ ବାହାରକୁ ଯାଇଥିଲେ। କିନ୍ତୁ ସେତେବେଳେ ତାଙ୍କ ବାପା ଘରେ ଥିଲେ। ସେ ବେଡ୍‌ ରୁମ୍‌ରେ ଶୋଇଥିଲେ। ଅମନ ଓ ଶିବମ ତାଙ୍କ ବାପା କେଉଁଠି ଅଛନ୍ତି ବୋଲି ତାଙ୍କୁ ପଚାରିଥିଲେ। ସେ ଶୋଇଛନ୍ତି ବୋଲି କହିବାରୁ ଅଭିଯୁକ୍ତ ଦ୍ୱୟ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ପ୍ରାୟ ଅଧାଘଣ୍ଟା ପରେ ତାଙ୍କ ବାପା ଚିତ୍କାର କରୁଥିବା ସେ ଓ ତାଙ୍କର ଅନ୍ୟ ଭଉଣୀମାନେ ଶୁଣିବାକୁ ପାଇଥିଲେ। ସେ ତାଙ୍କ ବାପାଙ୍କ ରୁମ୍‌କୁ ଦୌଡ଼ି ଯାଇଥିଲେ। ସେଠାରେ ତାଙ୍କୁ ଅମନ ଓ ଶିବମ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ସେ ଦେଖିଥିଲେ। ସେ ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଖସି ପଳାଇବାରେ ସଫଳ ହୋଇଥିଲେ।

ଅମନ ଓ ଶିବମଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଅବସ୍ଥା ଗମ୍ଭୀର ଅଛି। ଅଭିଯୋଗକାରୀ ଅଭିଯୁକ୍ତ ଦ୍ୱୟଙ୍କୁ ଜାଣିଥିଲେ। ପୁଣି ପୁଲିସ୍ ରେକର୍ଡରେ ମଧ୍ୟ ସେମାନଙ୍କ ନାଁ ଥିଲା। ତେଣୁ ସେମାନଙ୍କୁ ଖୋଜିବାରେ ପୁଲିସ୍‌କୁ ଅଧିକ ଦିନ ଲାଗିଲା ନାହିଁ। ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ଉକ୍ତ ମହିଳାଙ୍କ ନାଁ ନେଇଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ମାରିବାକୁ ଚାହୁଁଥିଲେ ଓ ସେଥିପାଇଁ ସେମାନଙ୍କୁ ଟଙ୍କା ଦେଇଥିଲେ ବୋଲି ଉଭୟ ପୁଲିସ୍‌କୁ କହିଥିଲେ। ପୁଲିସ୍ ଉକ୍ତ ମହିଳାଙ୍କୁ ପଚରାଉଚରା କରିବା ବେଳେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ ଓ ପୂର୍ବରୁ ମଧ୍ୟ ଅନେକ ଥରେ ସେ ତାଙ୍କ ସ୍ୱାମୀଙ୍କୁ ମାରିବାକୁ ପ୍ରୟାସ କରିଥିଲେ ବୋଲି କହିଥିଲେ।

Attempt To Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe