Advertisment

ପାଗଳ କଲା ନିଶା, ଜନ୍ମ କଲା ଛୁଆକୁ ବିକି ଡ୍ରଗ୍ସ ଖାଇଲେ ବାପା-ମାଆ

କ୍ରାଇମବ୍ରାଞ୍ଚ ପୁଲିସ ଏହି ମାମଲାରେ ଦମ୍ପତିଙ୍କ ସମେତ ଅନ୍ୟ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

କୁହାଯାଏ ପିଲାଙ୍କ ପାଇଁ ବାପାମାଆ କିଛି ବି କରିପାରନ୍ତି। ହେଲେ ପିଲାମାନଙ୍କଠାରୁ ବଳି ଯାଇଛି ଡ୍ରଗ୍ସ ନିଶା। ଭାବୁଥିବେ ଆମେ ଏପରି କାହିଁକି କହୁଛୁ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶା ଏପରି ପାଗଳ କଲା ଯେ ବାପାମାଆ ଦୁଇ ଛୁଆଙ୍କୁ ବିକ୍ରି କରିଦେଲେ। ଆଉ ବିକ୍ରି ଟଙ୍କା ଆଣି ଡ୍ରଗ୍ସ (ନିଶା ଔଷଧ) କିଣି ଖାଇଲେ। 

Advertisment

ଏପରି ଏକ ଘୃଣ୍ୟ ଘଟଣା ମୁମ୍ବାଇରେ ଦେଖିବାକୁ ମିଳିଛି। କ୍ରାଇମବ୍ରାଞ୍ଚ ପୁଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଭିଭାବକ ଶାବୀର ଏବଂ ସାନିଆ ଖାନ ଏବଂ ଶକିଲ ମାକ୍ରାନି ଅଛନ୍ତି। ଏଥିରେ ଏଜେଣ୍ଟ ସାଜି କମିଶନ ନେଇଥିବା ଉଷା ରାଠୋଡ଼ଙ୍କୁ ମଧ୍ୟ ଅଟକ ରଖିଛି ପୁଲିସ। 

ପୁଲିସର କହିବା ଅନୁସାରେ, ଶାବୀର ଏବଂ ସାନିଆ ଡ୍ରଗ୍ସ ନିଶାରେ ଏକଦମ ପାଗଳ ହୋଇ ଯାଇଥିଲେ। ଡ୍ରଗ୍ସ ଖାଇବାକୁ ଟଙ୍କା ନ ପାଇବାରୁ ସେମାନେ ଦୁଇ ପିଲାଙ୍କୁ ବିକ୍ରି କରିବାକୁ ମନସ୍ତ କରିଥିଲେ। ଏଥିପାଇଁ ଉଷା ରାଠୋଡ଼ଙ୍କ ସହ ଯୋଗାଯୋଗ କରିଥିଲେ। ଉଷାଙ୍କ ୭୪ ହଜାରର ଡିଲ୍ ପରେ ମାସକର ଝିଅ ଏବଂ ଦୁଇ ବର୍ଷର ପୁଅକୁ ବିକ୍ରି କରି ଦେଇଥିଲେ। 

Advertisment

ପୁଅକୁ ୬୦ ହଜାର ଏବଂ ଝିଅକୁ ୧୪ ହଜାରରେ ବିକ୍ରି କରିଥିଲେ ଏହି ଦମ୍ପତି। ପୁଲିସ ଅନ୍ଧେରୀରୁ ଝିଅକୁ ଉଦ୍ଧାର କରିଥିବା ବେଳେ ପୁଅକୁ ଖୋଜାଖୋଜି କରୁଛି। ଦମ୍ପତିଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ ଦେବା ପରେ ପୂରା ମାମଲା ସାମ୍ନାକୁ ଆସିଛି। ଶାବୀରଙ୍କ ଭଉଣୀ ଏନେଇ ନିଜେ ଭାଇଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଝିଅକୁ ଉଦ୍ଧାର କରିଛି। ଖବର ଲେଖା ହେବା ସୁଦ୍ଧା ପୁଅର ସନ୍ଧାନ ପାଇନଥିଲା କ୍ରାଇମବ୍ରାଞ୍ଚ ପୁଲିସ। 

Crime Mumbai Crime News Couple Sold Children