Advertisment

ଉପକୂଳ ଜିଲ୍ଲାରେ ବି ଗୁଣିଗାରେଡ଼ି ସନ୍ଦେହ; ଶାବଳରେ ଆକ୍ରମଣ କରି ପଡ଼ୋଶୀଙ୍କୁ ହତ୍ୟା

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହରନାବେବି ଗ୍ରାମର ମଣି ଚରଣ ସାହୁଙ୍କ ଜୀବନ ନେଇଛନ୍ତି ପଡ଼ୋଶୀ।

author-image
Niharika Rout
ଅଦ୍ୟତନ ହୋଇଛି
DeadBody

DeadBody

କେବଳ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ, ଉପକୂଳ ଜିଲ୍ଲାରେ ବି ପହଞ୍ଚିଲାଣି ଗୁଣିଗାରେଡି ସନ୍ଦେହ। ପୂର୍ବରୁ ନିରୀହ ଆଦିବାସୀଙ୍କ ମନରେ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଗୁଣିଗାରେଡି ସନ୍ଦେହ ବସା ବାନ୍ଧି ରହୁଥିବା ବେଳେ, ଏବେ ଉପକୂଳ ଜିଲ୍ଲାବାସୀ ବି ଏହାର ଜାଲରେ ଫସି ଯାଉଛନ୍ତି। ଫଳରେ ଅକାରଣେ ହେଉଛି ରକ୍ତପାତ, ଗଡ଼ୁଛି ମୁଣ୍ଡ । ଆଉ ଉଜୁଡ଼ି ଯାଉଛି ପରିବାର।

Advertisment

ଗୁଣିଗାରେଡି ସନ୍ଦେହରୁ ଏପରି ଏକ ଲୋମଟାଙ୍କୁରା ଓ ବୀଭତ୍ସ ହତ୍ୟାକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବନ୍ତୋପାଟଣା ହରନାବେବି ଗ୍ରାମରେ ଦେଖିବାକୁ ମିଳିଛି। ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହରନାବେବି ଗ୍ରାମର ମଣି ଚରଣ ସାହୁଙ୍କ ଜୀବନ ନେଇ ଯାଇଛନ୍ତି ପଡ଼ୋଶୀ। ଗତ ୨ ଦିନ ହେବ ଏହି ଘଟଣା ଘଟିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପ୍ରମାଣ ସଂଗ୍ରହ କରି ନ ଥିବାରୁ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି ମୃତକଙ୍କ ପରିବାର।

ମଣି ଚରଣ ସାହୁଙ୍କର ନିଜ ପଡ଼ୋଶୀ ଅଜୁ ମହାରଣାଙ୍କ ସହ ଦୀର୍ଘ ଦିନ ହେବ ଭଲ ସମ୍ପର୍କ ନ ଥିଲା। ଉଭୟ ପରିବାର ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ମଣି ଚରଣ ଚାଷ ବାସ କରିବା ସହ ଗାଁରେ ଝଡ଼ାଫୁଙ୍କା କରିଥାନ୍ତି। ତାଙ୍କର ୨ ଝିଅ ବାହା ହୋଇ ଯାଇଥିବା ବେଳେ ଏକ ବଖରିଆ ଘରେ ବୁଢ଼ି ମା’, ପତ୍ନୀ ଓ ଏକ ୧୨ ବର୍ଷର ପୁଅ ସହ ସେ ରହୁଥିଲେ। 

Advertisment

ଗତ ରବିବାର ରାତିରେ ଅଜୁ ମହାରଣାଙ୍କ ପରିବାର ଲୋକେ ଉଠିଥିବା ବେଳେ ବାଡ଼ି ପଟେ କେହି ଚାଲି ଯାଉଥିବା ଦେଖିବାକୁ ପାଇଥିଲେ । ମଣି ଚରଣ ତାଙ୍କ ବାଡ଼ିପଟେ ଗୁଣିଗାରେଡି କରି କିଛି ରଖିଥିବା ସେମାନେ ସନ୍ଦେହ କରିଥିଲେ।

ଏହାପରେ ଅଜୁ ମହାରଣା ଓ ତାଙ୍କ ୨ ପୁଅ ବିପିନି ଓ ଗୁନୁଆ ଶାବଳ ଧରି ମଣି ଚରଣଙ୍କ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ସେହି ସମୟରେ ଅଜୁ ମହାରଣା ଓ ତାଙ୍କ ଦୁଇ ପୁଅ ଶାବଳରେ ମଣି ଚରଣଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ମଣିଙ୍କୁ ଛାଡ଼ି ଦେବାକୁ ପରିବାର ଲୋକେ କାକୁତି ମୀନତି ହୋଇଥିଲେ ବି ସେମାନେ ଶୁଣି ନ ଥିଲେ।

ମଣି ଚରଣଙ୍କ ଅବସ୍ଥା ଗୁରୁତର ହେବା ସହ ପ୍ରବଳ ରକ୍ତପାତ ହେବାରୁ ଅଭିଯୁକ୍ତ ବାପପୁଅ ଘଟଣାସ୍ଥଳରୁ ପଳାଇଥିଲେ। ଏହାପରେ ମଣି ଚରଣଙ୍କୁ ପରିବାର ଲୋକେ ପ୍ରଥମେ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଓ ତା’ ପରେ କଟକ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧନ ଅବସ୍ଥାରେ ଗତକାଲି ସେ ଆଖି ବୁଜିଥିଲେ। 

ଇତି ମଧ୍ୟରେ ଘଟଣାକୁ ୨ ଦିନ ବିତିବାକୁ ବସିଥିବା ବେଳେ ପୁଲିସ୍‌ ଥରେ ଘଟଣାସ୍ଥଳକୁ ଯାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ର ଦେଖା ମିଳିନି। ଅପରପକ୍ଷେ, ଘରେ ରକ୍ତର ଛିଟା ଲାଗିଥିବାରୁ ସାଇଣ୍ଟିଫିକ୍‌ ଟିମ୍‌ ପ୍ରମାଣ ସଂଗ୍ରହ ନ କରିବା ପର୍ଯ୍ୟନ୍ତ ଘରେ ପଶିବାକୁ ପରିବାର ଲୋକଙ୍କୁ ବାରଣ କରିଛି ପୁଲିସ୍‌। ଫଳରେ ଖରା, ବର୍ଷାରେ ଅଖିଆ, ଅପିଆ ସେମାନେ ଅତି ଦୟନୀୟ ଅବସ୍ଥାରେ ବାହାରେ ପଡ଼ି ରହିଛନ୍ତି।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୁଲିସ୍‌ର ନିଷ୍କ୍ରିୟତା ଓ ଖାମଖିଆଲି ମନୋଭାବ ଯୋଗୁ ଅଭିଯୁକ୍ତ ବାପପୁଅ ୩ ଜଣ ଫେରାର ହେବାରେ ସକ୍ଷମ ହୋଇଥିବା ଅଭିଯୋଗ ହେଉଛି। ଏଥିସହ ତାଙ୍କ ପରିବାରର ମହିଳାମାନେ ବି କେଉଁଆଡେ ପଳାଇଥିବା ବେଳେ ଘରେ ଏବେ ତାଲା ଝୁଲୁଛି। ପୁଲିସ୍ ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଭିଯୁକ୍ତଙ୍କୁ କାବୁ କରିବାକୁ ସକ୍ଷମ ହୋଇଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଗତ ୮ ଦିନରେ ୨ଟି ହତ୍ୟାକାଣ୍ଡ ଘଟି ସାରିଥିବା ବେଳେ ପୁଲିସ୍‌ ଏଗୁଡ଼ିକୁ ଗୁରୁତ୍ୱ ଦେଇ ତଦନ୍ତ କରୁଥିବା ଭଳି ଲାଗୁ ନଥିବା ଅଭିଯୋଗ ହୋଇଛି। 

ରିପୋର୍ଟ - ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Police Deadbody Kendrapada Black Magic