Advertisment

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିରୀହକୁ ହତ୍ୟା: ଟାର୍ଗେଟରେ ଥିଲେ ଜଣେ, ମଲେ ଅନ୍ୟ ଜଣେ

ମୁଖ୍ୟ ଅଭିଯୁକ୍ତ ବଳରାମ ବାରିକଙ୍କର ସିନଖମନ ଗାଁରେ ଏକ ଗ୍ରୋସୋରୀ ଦୋକାନ ଅଛି। ଦେଶୀ ମଦଭାଟିର ମ୍ୟାନେଜର ବିଶାଳ ରଞ୍ଜନ ସେଠାକୁ ସଉଦା କରିବାକୁ ଆସନ୍ତି।

author-image
Jitendra Garnayak
Arrested Accused

Arrested Accused

ବଲାଙ୍ଗିର ସଦର ଥାନା ସିନଖମନ ଗାଁର ଏକ ଦେଶୀ ମଦଭାଟିର କର୍ମଚାରୀ ସାରଦା ଯାଦବ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବଳରାମ ବାରିକ, ଆର୍ତ୍ତ ଚିନ୍ଦା, ସଂଜୀବ ବାରିକ ଓ ସୁନୀଲ ବାଗ।

ମୁଖ୍ୟ ଅଭିଯୁକ୍ତ ବଳରାମ ବାରିକଙ୍କର ସିନଖମନ ଗାଁରେ ଏକ ଗ୍ରୋସୋରୀ ଦୋକାନ ଅଛି। ଉକ୍ତ ଦେଶୀ ମଦଭାଟିର ମ୍ୟାନେଜର ବିଶାଳ ରଞ୍ଜନ ସେଠାକୁ ସଉଦା କରିବାକୁ ଆସନ୍ତି। ବଳରାମ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀ ଓ ମଦଭାଟି ମ୍ୟାନେଜର ବିଶାଳ ରଞ୍ଜନଙ୍କ ଭିତରେ ଅନୈତିକ ସମ୍ପର୍କ ଥିଲା। ଗତ ୨୨ ତାରିଖ ଦିନ ତାଙ୍କ ପତ୍ନୀ ମୋବାଇଲ ଫୋନ୍‌ରେ ଚାଟିଂ କରୁଥିଲେ। ବଳରାମ ଏହା ଦେଖିବା ପରେ ପତ୍ନୀଙ୍କଠାରୁ ସେ ମୋବାଇଲ ଫୋନଟିକୁ ଛଡ଼ାଇ ନେବାକୁ ପ୍ରୟାସ କରିଥିଲେ। ସେହି ସମୟରେ ତାଙ୍କ ପତ୍ନୀ ଫୋନ୍‌ଟିକୁ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ। ଫଳରେ ବଳରାମ ଖୁବ୍ ରାଗି ଯାଇଥିଲେ ଓ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

Advertisment

ଏହି ଘଟଣା ପରେ ସେ ମଦଭାଟି ମ୍ୟାନେଜର ବିଶାଳ ରଞ୍ଜନଙ୍କୁ ଟାର୍ଗେଟ କରିଥିଲେ। ଯୋଜନାବଦ୍ଧ ଭାବେ ସେ ତାଙ୍କୁ ଫୋନ୍ ଲଗାଇଥିଲେ। ସେ ଦୁର୍ଘଟଣାର ଶିକାର ହୋଇଛନ୍ତି ବୋଲି କହିଥିଲେ। ତା’ ସହିତ ମ୍ୟାନେଜର ନିଜେ ଆସି ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି ସେ କହିଥିଲେ। ସେତେବେଳେ ବଳରାମଙ୍କ ସହିତ ଗିରଫ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଥିଲେ।

ବଳରାମଙ୍କଠାରୁ ଫୋନ୍ ପାଇ ମଦଭାଟି ମ୍ୟାନେଜର ବିଶାଳ ରଞ୍ଜନ ନିଜ ନ ଆସି ତାଙ୍କର ତିନି ଜଣ କର୍ମଚାରୀଙ୍କୁ (ସେମାନଙ୍କ ମଧ୍ୟରେ ମୃତ ସାରଦା ଯାଦବ ଥିଲେ) ପଠାଇଥିଲେ। ଏହି ମଦଭାଟି କର୍ମଚାରୀମାନଙ୍କୁ ବଳରାମ ଓ ତାଙ୍କ ସହଯୋଗୀମାନେ ମାଡ଼ ମାରିଥିଲେ। ତା’ସହିତ ସାରଦା ଯାଦବଙ୍କୁ ଅଟକ ରଖିଥିଲେ। ମଦଭାଟି ମ୍ୟାନେଜର ଆସିଲେ ସାରଦାଙ୍କୁ ଛାଡ଼ି ଦିଆଯିବ ବୋଲି ଅଭିଯୁକ୍ତମାନେ କହିଥିଲେ। କିନ୍ତୁ ମଦଭାଟି ମ୍ୟାନେଜର ବିଶାଳ ରଞ୍ଜନ ଦୀର୍ଘ ସମୟ ଧରି ଆସି ନଥିଲେ। ଫଳରେ ବଳରାମ ରାଗି ଯାଇ ତାଙ୍କ ସହଯୋଗୀଙ୍କ ସହିତ ମିଶି ସାରଦା ଯାଦବକୁ ପିଟି ପିଟି ହତ୍ୟା କରିଥିଲେ। ପୁଲିସ ଗିରଫ ଅଭିଯୁକ୍ତମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବାଡ଼ି ଜବତ କରିଛି।

ଅନ୍ୟପକ୍ଷରେ ବଳରାମଙ୍କ ପତ୍ନୀ ଓ ମଦଭାଟି ମ୍ୟାନେଜରଙ୍କ ଭିତରେ ଅନୈତିକ ସମ୍ପର୍କ ଥିଲା ନା ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍‌।