Advertisment

ଖୋଲିଲା ପୁରୀ ମର୍ଡର ପେଡ଼ି: ୭ ନାବଳକଙ୍କ ସହ ୯ ଗିରଫ

ପୁଲିସ୍‌ ହରିହର ସାହୁ ହତ୍ୟା ଘଟଣାରେ ଗିରଫ କରିଥିବା ୯ ଜଣଙ୍କ ମଧ୍ୟରେ ଦୀନେଶ ଖୁଣ୍ଟିଆର ବାପା ଓ ଭାଇ ବି ରହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Puri

Puri

ଖଜା ଦୋକାନକୁ ନେଇ ପୁରୀରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦା‍ଫାସ କରିଛି ପୁଲିସ୍‌। ଏହି ଘଟଣାରେ ପୁଲିସ ୯ ଜଣଙ୍କୁ ଗିର‍ଫ କରିଛି। ଏମାନଙ୍କ ମଧ୍ୟରେ ୭ ଜଣ ନାବାଳକ ରହିଛନ୍ତି। ଅନ୍ୟତମ ଖଜା ବ୍ୟବସାୟୀ ଦୀନେଶ ଖୁଣ୍ଟିଆ ହତ୍ୟାର ପ୍ରତିଶୋଧ ପାଇଁ ଅଗଷ୍ଟ ୧୯ରେ ହରିହର ସାହୁ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ବିଚ୍‌ ରାସ୍ତାରେ ହତ୍ୟା କରାଯାଇଥିଲା।

Advertisment

ପୁଲିସ୍‌ ହରିହର ସାହୁ ହତ୍ୟା ଘଟଣାରେ ଗିରଫ କରିଥିବା ୯ ଜଣଙ୍କ ମଧ୍ୟରେ ଦୀନେଶ ଖୁଣ୍ଟିଆର ବାପା ଓ ଭାଇ ବି ରହିଛନ୍ତି। ଅଭିଯୁକ୍ତ ବାପ-ପୁଅ ହେଲେ ରାଧା ଗୋବିନ୍ଦ ଲେନର ବିଜୟ ଖୁଣ୍ଟିଆ ଓ ରାକେଶ କୁମାର ଖୁଣ୍ଟିଆ। ଦୀନେଶ ଖୁଣ୍ଟିଆ ହତ୍ୟା ମାମଲାରେ ହରିହର ସାହୁଙ୍କ ପୁଅ ଏବେ ଜେଲରେ ଅଛନ୍ତି।

ପୁରୀ ଏସ୍‌ପି ପିନାକ ମିଶ୍ରଙ୍କ କହିବା କଥା ଯେ ହରିହର ସାହୁ ହତ୍ୟାକାଣ୍ଡରେ ମୋଟ ୧୧ ଜଣ ସାମିଲ ରହିଛନ୍ତି। ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ ଜଣ ଫେରାର ରହିଛନ୍ତି। ଫେରାର ଦୁଇ ଅଭିଯୁକ୍ତ ମଧ୍ୟ ନାବାଳକ। ପାରିବାରିକ ଶତ୍ରୁତା ସହ ଖଜା ବ୍ୟବସାୟକୁ ନେଇ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା।

Advertisment

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟେ ଖଣ୍ଡା ,୨ଟି କଟୁରି ଓ ଗୋଟିଏ କାତି ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତମାନଙ୍କୁ ରିମାଣ୍ତରେ ଅଣାଯିବ ବୋଲି ଏସ୍‌ପି ମିଶ୍ର ସୂଚନା ଦେଇଛନ୍ତି।

ଗତ ୮ ତାରିଖରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ରାଧା ଗୋବିନ୍ଦ ଲେନ୍‌ରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ପ୍ରଦୀପ ସାହୁ ଓ ତା'ର ସହଯୋଗୀମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୁଲିସ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତେବେ ଏହି ଘଟଣାକୁ କେନ୍ଦ୍ରକରି ମୃତ ଦିନେଶ ଖୁଣ୍ଟିଆର ବଡ଼ ଭାଇ ଓ ବାପା ପ୍ରତିଶୋଧ ପରାୟଣ ହୋଇ ଗତ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଦୀପ ସାହୁଙ୍କ ବାପା ହରିହର ସାହୁଙ୍କୁ ଅତି ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।

ଘଟଣା ପରେ ସିଟି ଡିଏସପି ପ୍ରଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରାଯାଇଥିଲା। ଏହାପରେ ଆଜି ୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଅପରାଧ ଦୁନିଆକୁ ନାବାଳକମାନେ ପ୍ରବେଶ କରିବା ଚିନ୍ତାର ବିଷୟ। ସହରର ବିଭିନ୍ନ ଥାନାରେ ନାବାଳକଙ୍କ ନାମରେ ଥିବା ଅପରାଧିକ ମାମଲା ସବୁକୁ ଯାଞ୍ଚ କରାଯାଇ ସେମାନଙ୍କୁ କାଉନସେଲିଂ କରିବାକୁ ପଦକ୍ଷେପ ନିଆଯାଉଛି। ସେମାନଙ୍କ ଅଭିଭାବକମାନଙ୍କୁ ଡାକି ସଚେତନ କରାଯିବା ପାଇଁ ବି ପ୍ରୟାସ କରାଯିବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି।

Odisha Puri Murder