/odisha-reporter/media/post_attachments/uploadimage/library/16_9/16_9_0/Suleman_1755158061.jpg)
Suleman
ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ତଥା ବିଚଳିତ କରିବା ଭଳି ଘଟଣା। ଏଠାରେ ଜଣେ ନାବାଳିକାଙ୍କ ସହ କଥା ହେବା ୨୧ ବର୍ଷୀୟ ମୁସଲିମ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣଙ୍କ ଗୋଟିଏ କାଫେରେ ୧୭ ବର୍ଷୀୟ ଝିଅ ସହ ବସି କଥା ହେବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି। କିଛି ଲୋକ ସଂଘବଦ୍ଧ ଭାବେ ଯୁବକଙ୍କୁ ସର୍ବସମ୍ମୁଖରେ ପିଟିପିଟି ମାରି ଦେଇଛନ୍ତି।
ମହାରାଷ୍ଟ୍ରର ଜଲଗାଓଁରେ ଏପରି ଘଟଣା ଘଟିଛି। ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ବ୍ୟାପକ ଫୋର୍ସ ମୁତୟନ କରିବା ସହ ମୁସଲିମ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ୮ ଜଣଙ୍କୁ ଗିରଫ କରିଛି।
ମୃତକ ଜଣଙ୍କ ହେଲେ ୨୧ ବର୍ଷୀୟ ସୁଲେମାନ ରହିମ ଖାନ। ସେ ଗୋଟିଏ ସ୍ଥାନୀୟ କାଫେରେ ଜଣେ ୧୭ ବର୍ଷୀୟ ଝିଅ ସହ କଥା ହେଉଥିଲେ। ଏହାକୁ କିଛି ଯୁବକ ବିରୋଧ କରିବାରୁ ସୁଲେମାନ ଓ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ନାବାଳିକାଙ୍କୁ ସାଙ୍ଗରେ ଧରି ସୁଲେମାନ ସେଠାରୁ ଚାଲି ଯାଇଥିଲେ। ହେଲେ ଯୁବକମାନେ ସେମାନଙ୍କ ପିଛା କରିଥିଲେ।
ଯୁବକ ଓ ନାବାଳିକା ଜଣଙ୍କ ଏହା ଦେଖି ଅଟକି ଯାଇଥିଲେ। ଏତିକି ବେଳେ ସେମାନଙ୍କ ପିଛା କରୁଥିବା ଯୁବକମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ସୁଲେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ସ୍ଥାନୀୟ ଲୋକ ଓ ସୁଲେମାନଙ୍କ ବାପା ମା’ ସେଠାରେ ପହଞ୍ଚିଥିଲେ। ସେମାନେ ତୁରନ୍ତ ସୁଲେମାନଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସୁଲେମାନଙ୍କ ମୃତ୍ୟୁ ହୋଇଛି।
ସୁଲେମାନଙ୍କ ବାପାଙ୍କ କହିବା କଥା ଯେ ଯୁବକମାନେ ତାଙ୍କ ପୁଅଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ପିଟି ଥିଲେ। ତାଙ୍କ ଶରୀରର କ୍ଷତ ଚିହ୍ନ ରହିଛି। ସୁଲେମାନ ପୁଲିସ୍ ଚାକିରି ପାଇଁ ପ୍ରସ୍ତୁତ କରିବା ସହ ଜାମନେରେ ଆବେଦନ ପତ୍ର ଦାଖଲ କରିବାକୁ ଯାଇଥିଲେ। ଆକ୍ରମଣ ବେଳେ ପୁଅକୁ ରକ୍ଷା କରିବାକୁ ଉଦ୍ୟମ କରିବା ବେଳେ ସେମାନଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ସୁଲେମାନଙ୍କ ବାପା ଅଭିଯୋଗ କରିଛନ୍ତି।
ପୁଲିସ୍ କହିଛି ଯେ ଘଟଣାକୁ ନେଇ ଜାମନେରରେ ଛକାପଞ୍ଝା ଲାଗି ରହିଛି। ଗୁଜବ ପ୍ରତି ସତର୍କ ରହିବାକୁ ପୁଲିସ୍ ସମସ୍ତଙ୍କୁ ପରାମର୍ଶ ଦେଇଛି। ଘଟଣା ପରେ ଶତାଧିକ ଲୋକ ଜାମନେର ପୁଲିସ ଷ୍ଟେସନ ବାହାରେ ଏକାଠି ହୋଇଥିଲେ। ଏଥିପାଇଁ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।
ପୁଲିସ୍ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଆକ୍ରମଣରେ ସାମିଲ ଥିବା ଆଉ ୬ ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କୁ ଧରିବା ପାଇଁ ଏକାଧିକ ଟିମ ଗଠନ କରଯାଇଛି। ପୂରା ଗାଁରେ ସୁଲେମାନଙ୍କ ପରିବାର ସମେତ ମୋଟ ୪ଟି ମୁସଲିମ ପରିବାର ରୁହନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
