Advertisment

ନବଦାସ ହତ୍ୟା, ତଥ୍ୟ ଲୁଚାଇଲା ଗୃହବିଭାଗ: ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ପାଇଁ ପ୍ରାୟୋଜିତ ଷଡ଼ଯନ୍ତ୍ର ନୁହେଁ ତ?

ଆଜି ବିଧାନସଭାରେ ଝାରସୁଗୁଡ଼ାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏକ ଲିଖିତ ଅଣତାରକା ପ୍ରଶ୍ନ ମାଧ୍ୟମରେ ନିଜ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାର ତଦନ୍ତର ସ୍ଥିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠୁ ଜାଣିବାକୁ ଚାହିଁଥିଲେ।

author-image
Ordigital Desk
Naba Das

Naba Das

ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଗଲା । ଘଟଣାକୁ ଦୁଇବର୍ଷ ପୁରିବାକୁ ବସିଲାଣି, କିନ୍ତୁ ଏପର୍ଯ୍ୟନ୍ତ ହତ୍ୟା ପଛରେ କେଉଁମାନେ ସମ୍ପୃକ୍ତ ଓ ହତ୍ୟାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିଲା ନାହିଁ । ବିଜେଡିର ତତକାଳୀନ ବଡ଼ପଣ୍ଡାମାନଙ୍କ ସମ୍ପୃକ୍ତି ଓ ଷଡ଼ଯନ୍ତ୍ରର ଅଭିଯୋଗ ଉଭୟ ପରିବାର ସଦସ୍ୟ ଓ ବିରୋଧୀ ଦଳ ଆଣିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକୃତ ତଥ୍ୟକୁ ପଦାକୁ ଆଣିବାରେ ତଦନ୍ତକାରୀ ସଂସ୍ଥା ରାଜ୍ୟ କ୍ରାଇମବ୍ରାଂଚ ସକ୍ଷମ ହୋଇନି । ସବୁଠୁ ଆଶ୍ଚର୍ଯ୍ୟର କଥା, ରାଜ୍ୟରେ ବିଜେପି ସରକାରକୁ ଆସିବାର ସାଢ଼େ ୫ମାସ ବିତିଲାଣି ତଥାପି ନବ ଦାସ ହତ୍ୟା ମାମଲାର ତଦନ୍ତର ଅଗ୍ରଗତି କେଉଁ ସ୍ଥିତିରେ ରହିଛି ତା’ର ଖବର ବି ସରକାରଙ୍କ ପାଖରେ ନାହିଁ । ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାଧ୍ୟମରେ ଲିଖିତ ଉତ୍ତରରେ ବିଧାନସଭାରେ ତଥ୍ୟ ରଖି ପ୍ରଶାସନିକ କଳ ତାଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର କରୁନି ତ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

Advertisment

ଆଜି ବିଧାନସଭାରେ ଝାରସୁଗୁଡ଼ାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏକ ଲିଖିତ ଅଣତାରକା ପ୍ରଶ୍ନ ମାଧ୍ୟମରେ ନିଜ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାର ତଦନ୍ତର ସ୍ଥିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠୁ ଜାଣିବାକୁ ଚାହିଁଥିଲେ । ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଥିଲେ ଯେ, “ତଦନ୍ତ ଏବେ କେଉଁସ୍ତରରେ ରହିଛି ଓ ବର୍ତ୍ତମାନସୁଦ୍ଧା ରାଜ୍ୟ ସରକାର ଏହି ଘଟଣାରେ କାହା ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତଦନ୍ତ ସମୟରେ ମୃତ ପରିବାରର କେଉଁ କେଉଁ ସଦସ୍ୟଙ୍କ ବୟାନ ରେକର୍ଡ ହୋଇଛି, ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇକୁ କେଉଁ ଉପାୟରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ ଓ ତଦନ୍ତ କେଉଁସ୍ତରରେ ରହିଛି ବୋଲି ପ୍ରଶ୍ନ କରିଥିଲେ ।” ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ନବ ଦାସଙ୍କ ହଜାର ହଜାର ସମର୍ଥକ ଅଛନ୍ତି, ଯେଉଁମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ବିଧାୟକ ଶ୍ରୀ ତ୍ରିପାଠୀ ଏଭଳି ପ୍ରଶ୍ନ କରିଥାଇପାରନ୍ତି ।

ମାତ୍ର ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ତଥ୍ୟ ସଂଗ୍ରହ କରାଯାଉଅଛି’ ବୋଲି ଉତ୍ତରରେ ଦର୍ଶାଇଛନ୍ତି ।

Advertisment

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଦାସଙ୍କୁ ହତ୍ୟା କରାଯିବାର ୨ବର୍ଷ ପୁରିବାକୁ ଯାଉଥିବାବେଳେ ଏଭଳି ଏକ ସଙ୍ଗୀନ ମାମଲାରେ ରାଜ୍ୟର ବିଜେପି ସରକାର ନିଜର ଜଣେ ବିଧାୟକଙ୍କୁ ତଥ୍ୟ ଦେବାକୁ କାହିଁକି ଟାଳଟୂଳ ନୀତି ଆପଣାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ବିଧାନସଭାରେ ଏହି ତଥ୍ୟକୁ ଲୁଚାଯାଇଛି ନା ଗୃହ ବିଭାଗର ଉତ୍ତର ପ୍ରସ୍ତୁତ କରୁଥିବା ପ୍ରଶାସନିକ କଳ ଏଭଳି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି କି?

ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ନବ ଦାସ ହତ୍ୟା ମାମଲାର ତଦନ୍ତ କରି ଷଡ଼ଯନ୍ତ୍ରକାରୀଙ୍କ ପର୍ଦ୍ଦଫାସ କରିବ ବୋଲି ଦୃଢ଼ୋକ୍ତି ବାଢ଼ିଥିଲା । ଏପରିକି ବିଜେପି ଏନେଇ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ଗତ ଅଗଷ୍ଟ ମାସରେ ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ନବ ଦାସ ହତ୍ୟା ମାମଲାକୁ ପୁଣିଥରେ ଖୋଲାଯିବ ବୋଲି କହିଥିଲେ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ । ଏତେ ସବୁ ସତ୍ତ୍ୱେ ରାଜ୍ୟ ସରକାରଙ୍କ ପାଖରେ ନବ ଦାସ ହତ୍ୟା ମାମଲାର ତଦନ୍ତର ସ୍ଥିତାବସ୍ଥା ରିପୋର୍ଟ କିଭଳି ଉପଲବ୍ଧ ନାହିଁ ତାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ତା’ଛଡ଼ା ବିଧାନସଭାରେ କୌଣସି ଲିଖିତ ଅଣତାରକା ପ୍ରଶ୍ନ ବିଧାୟକ ପଚାରିବା ଓ ତା’ର ଉତ୍ତର ସରକାର ପ୍ରସ୍ତୁତ କରିଦେବା ପାଇଁ ଅତିକମରେ ୧୫ଦିନର ଅବଧି ରହିଛି । କ୍ରାଇମବ୍ରାଂଚଠୁ ତଦନ୍ତର ସ୍ଥିତାବସ୍ଥା ରିପୋର୍ଟ ଆଣିବାକୁ ଗୃହ ବିଭାଗକୁ କ’ଣ ୧୫ଦିନ ଯଥେଷ୍ଟ ହେଲାନି କି? ଯଦିଓ କ୍ରାଇମବ୍ରାଂଚ ଏହି ମାମଲାରେ ୫୪୦ପୃଷ୍ଠାର ଚାର୍ଜସିଟ୍ ଦେଢ଼ବର୍ଷ ହେଲା ଦାଖଲ କରିସାରିଲାଣି । ସରକାର ଚାହିଁଥିଲେ ଆଜି ଗୃହରେ ଆଉ ଏହି ତଥ୍ୟକୁ ରଖିପାରିଥାନ୍ତେ ।

ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ଭଳି ଏକ ସଙ୍ଗୀନ ମାମଲା ଯେଉଁଥିରେ ବିଜେଡି ସର୍ବୋଚ୍ଚ ନେତାମାନଙ୍କ ଷଡ଼ଯନ୍ତ୍ର ଓ ସମ୍ପୃକ୍ତିର ଅଭିଯୋଗ ରହିଛି ସେଭଳି ଏକ ମାମଲାକୁ ରାଜ୍ୟର ବିଜେପି ସରକାର କିଭଳି ଏତେ ହେୟଜ୍ଞାନ କଲା ଭଳି ଉତ୍ତର ବିଧାନସଭାରେ ରଖୁଛନ୍ତି ? ଏହା ଖୋଲାଖୋଲି ଭାବେ ‘ଟିମ ମୋହନ’ ଭାବେ ପରିଚିତ ପ୍ରଶାସନିକ କଳର ଭୂମିକାକୁ ସନ୍ଦେହଘେର ଭିତରକୁ ଟାଣିନେଇଛି । ବିଜେଡିର ବଡ଼ପଣ୍ଡାମାନଙ୍କୁ ସୁରକ୍ଷା ଦେବାକୁ ନା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଦନାମ କରିବା ନିମନ୍ତେ ଏଭଳି ଅପପ୍ରୟାସ କରାଯାଉନି ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ, ୨୦୨୩ ଜାନୁୟାରୀ ୨୯ତାରିଖରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗରଠାରେ ଜଣେ ପୁଲିସ ଏଏସଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲଭରରୁ ଗୁଳି ମାରି ହତ୍ୟା କରଇଥିଲେ ।

Bjp Naba Das CM Mohan Charan Majhi