Advertisment

ବଞ୍ଚି ଥାଉଁଥାଉଁ ୧୦ ଜଣଙ୍କୁ ମାରିଦେଲେ, ଟଙ୍କା ହାତେଇବା ପୂର୍ବରୁ ଧରାପଡ଼ିଗଲେ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ମୃତ୍ୟୁ କାଳୀନ ସହାୟତା ରାଶି ବାବଦକୁ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲା ଶ୍ରମ ବିଭାଗ କାଗଜପତ୍ରର ଯାଞ୍ଚ କରି ସହାୟତା ରାଶି ମଞ୍ଜୁର କରିଥିଲେ।

author-image
Manoranjan Sial
Crime

Crime

ବଞ୍ଚି ଥାଉଁଥାଉଁ ୧୦ ଜଣ ନିରୀହ ଆଦିବାସୀଙ୍କୁ ମାରିଦେଲେ ଦଲାଲ। ନକଲି ମୃତ୍ୟୁ ଓ ଉତ୍ତାରାଧିକାରୀ ପ୍ରମାଣପତ୍ର ବାହାର କରି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ହାତେଇବାକୁ ଉଦ୍ୟମ କରିଥିଲେ। ହେଲେ ତା’ପୂର୍ବରୁ ଭଣ୍ଡାଫୋଡ୍‌ ହୋଇଗଲା। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଧରାପଡ଼ିଗଲା ଦଲାଲଙ୍କ ଚାଲ୍‌। ଏନେଇ ଅଭିଯୋଗ ହେବା ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟଅଭିଯୁକ୍ତ ଫେରାର ଥିବା ନବରଙ୍ଗପୁର ASP ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି।

Advertisment

ତାରାଗାଁ ଗାଁର ପଦ୍ମନ ହରିଜନ। ପେଶାରେ ଜଣେ ଦଲାଲ। ସେ ଡଙ୍ଗରିଗୁଡା ଗାଁର ଗୋପାଳ ତନ୍ତି, ପଖନାଗୁଡା ଗାଁର ରଞ୍ଜିତା ହରିଜନ ଓ ଶରଣପୁର ଗ୍ରାମର ମୂରଲୀ ବିଷୋୟୀଙ୍କ ସହାୟତାରେ ଆଖପାଖ ଅଞ୍ଚଳର ଲୋକଙ୍କଠାରୁ ଆଧାରକାର୍ଡ, ଶ୍ରମିକ କାର୍ଡ ଏବଂ ବ୍ୟାଙ୍କ ପାସ୍‌ ବୁକ୍‌ ସଂଗ୍ରହ କରୁଥିଲେ। ଋଣ କରାଇଦେବାକୁ କହି ସେମାନେ ଏ ସବୁ କାଗଜ ପତ୍ର ହାତେଇ ଥିଲେ। ପରେ ନକଲି ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତିଆରି କରିଥିଲେ। ତା’ପରେ ସେମାନେ ସେହି ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ରକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ୍‌ରେ ଜମା କରିଥିଲେ। ପ୍ରାୟ ୧୦ ଜଣଙ୍କ ନାଁରେ କାଗଜପତ୍ର ଜମା କରିଥିଲେ।

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ମୃତ୍ୟୁ କାଳୀନ ସହାୟତା ରାଶି ବାବଦକୁ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲା ଶ୍ରମ ବିଭାଗ କାଗଜପତ୍ରର ଯାଞ୍ଚ କରି ସହାୟତା ରାଶି ମଞ୍ଜୁର କରିଥିଲେ। ଉକ୍ତ ଟଙ୍କା ବ୍ୟାଙ୍କ ଖାତାକୁ ଯିବା ପୂର୍ବରୁ ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ତତ୍ପର ହୋଇଥିଲା ଜିଲ୍ଲା ପ୍ରଶାସନ।

Advertisment

ମାମଲାକୁ ଗୁରୁତର ସହ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଓ ତତ୍କାଳୀନ ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ମୃତକଙ୍କ ଗାଁକୁ ଯାଞ୍ଚ କରିଥିଲେ। ହେଲେ ସେଥିରେ ଫ୍ରଡ୍‌ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଜିଲ୍ଲା ଶ୍ରମ ଅଧିକାରୀ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଅଭିଯୋଗରେ ଗୋପାଳ ତନ୍ତି, ରଞ୍ଜିତା ହରିଜନ ଓ ମୂରଲୀ ବିଷୋୟୀଙ୍କୁ ପୁଲିସ୍‌ ଗିରଫ କରିଥିଲା। ହେଲେ ମୁଖ୍ୟ କାର୍ପଟଦାର ପଦ୍ମନ ହରିଜନ ଫେରାର ହୋଇଯାଇଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ନବରଙ୍ଗପୁର ASP ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Fraud Nabarangpur