Advertisment

ହାଇକୋର୍ଟରୁ ମିଳିଲା ଜାମିନ, ଜେଲ୍‌ରୁ ବାହାରିଲେ ଆଜୀବନ କାରା ଦଣ୍ଡାଦେଶ ପାଇଥିବା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ

ପୁଲିସ୍‌ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେରଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ସଜା ପାଇଛନ୍ତି ନାରାୟଣ ରେଡ୍ଡୀ।

author-image
Jitendra Garnayak
Narayan Reddy

Narayan Reddy

ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇ ୧୦ ମାସ ପରେ ବ୍ରହ୍ମପୁର ଜେଲ୍‌ରୁ ଆଜି ବାହାରିଛନ୍ତି ସିପିଆଇ ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ। ପୁଲିସ୍ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେରଙ୍କ ହତ୍ୟା ମାମଲାରେ ଗତ ବର୍ଷ ଜୁଲାଇ ମାସରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ତା’ପରଠୁ ସେ ଜେଲ୍‌ରେ ଥିଲେ। ଏହି ମାମଲାରେ ଆଜି ତାଙ୍କୁ ମିଶାଇ ୩ ଜଣ ଜାମିନ ପାଇ ଜେଲ୍‌ରୁ ବାହାରିଛନ୍ତି।

Advertisment

୧୯୯୮ ମସିହାରେ ଗଞ୍ଜମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ଏକ ସଭା ହୋଇଥିଲା। ସଭାରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍‌ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ଏଥିରେ ପୁଲିସ୍‌ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା।

ଗତ ଜୁଲାଇ ମାସରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ ଏହି ମାମଲାରେ ସମସ୍ତ ୨୨ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହି ରାୟ ଆସିଲା ବେଳକୁ ୯ ଜଣଙ୍କ ମୃତ୍ୟୁ ଘଟିସାରିଥିଲା। ତେଣୁ ବାକି ୧୩ ଜଣଙ୍କୁ ବ୍ରହ୍ମପୁର ଜେଲ୍‌ ନିଆଯାଇଥିଲା।

Advertisment
CPI Narayan Reddy