Advertisment

ଛତ୍ରଭଙ୍ଗ ଦେଲେ ନକ୍ସଲ

ଗୁଳି ବିନିମୟ ବନ୍ଦ ହେବା ପରେ ଏସ୍‌ଓଜି ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପେରସନ କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
SOG

SOG

କନ୍ଧମାଳ ଜିଲ୍ଲା କୋଟଗଡ଼ ଓ ବେଲଘର ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି ଯବାନମାନେ କମ୍ବିଂ ଅପେରସନ କରୁଥିବା ବେଳେ ଶନିବାର ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ୧୫ରୁ ୨୦ ମିନିଟ୍‌ ଧରି ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ନକ୍ସଲମାନେ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ।

Advertisment

ଗୁଳି ବିନିମୟ ବନ୍ଦ ହେବା ପରେ ଏସ୍‌ଓଜି ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପେରସନ କରିଥିଲେ। ସର୍ଚ୍ଚ ଅପେରସନ ବେଳେ ସେଠାରେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ୭ଟି ଉନ୍ନତ ମାନର ଗ୍ରେନେଡ, ୩ଟି ଜିଲୋଟିନ, ବିଦ୍ୟୁତ ତାର, ଉନ୍ନତ ଧରଣର ବ୍ଲାଷ୍ଟିଂ ମେସିନ ଓ ସୋଲାର ପ୍ୟାନେଲ ସହିତ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି।

ସେଠାରେ ବଂଶଧାରା-ଘୁମସର-ନାଗାବଳୀ ନକ୍ସଲ ସଂଗଠନର କ୍ୟାମ୍ପ ଚାଲିଥିଲା ଓ ପ୍ରାୟ ୧୫ ଜଣ ହାର୍ଡକୋର ନକ୍ସଲ ଥିଲେ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

Advertisment

ନକ୍ସଲମାନେ ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଏସ୍‌ଓଜି ଯବାନମାନେ ଗତ ୬ ତାରିଖରୁ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। 

ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ

Naxal SOG